ପାଣିର ଦର୍ଶନ ନାହିଁ ଦରମା ପାଉଛନ୍ତି ପମ୍ପ ଡ୍ରାଇଭର

ରାଜ୍ୟର ଅଧିକାଂଶ ଗ୍ରାମାଂଚଳରେ ବିଛା ଯାଇଥିବା ପାଇପ୍‌ରେ….

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଗ୍ରାମାଂଚଳରେ ବିଛା ଯାଇଥିବା ପାଇପ୍‌ରେ ପାଣି ଆସୁନି । ମାତ୍ର ପାଣି ଯୋଗାଣ ଦାୟିତ୍ୱରେ ନିଯୁକ୍ତ ପମ୍ପ ଡ୍ରାଇଭରମାନେ ନିୟମିତ ଦରମା ପାଉଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅଧିକାଂଶ ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ରହିଛି । ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ ନକରି ଆହୁରି କିଛି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କରି ରାଜ୍ୟ କ୍ୟାବିନେଟ୍‌ କିଛି ଠିକ୍‌ କରିନାହାନ୍ତି । ସୂଚନା ମୁତାବକ, ଯାଜପୁର ଜିଲ୍ଲାର ବରୀ ଓ କୋରେଇ ବ୍ଲକରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ନୟାଗଡ଼ର ଦଶପଲା, ଗଣିଆ ଓ ନୂଆଗାଁରେ ପାନୀୟ ଜଳ ପ୍ରକଳ୍ପ କରାଯିବ । ମାଲକାନଗିରି ଜିଲ୍ଲାର ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଚାରିଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବ ।
ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ଅଧାପନ୍ତରିଆ ରଖି ପୁଣି ନୂତନ ପ୍ରକଳ୍ପ ଆରମ୍ଭ କରି ସରକାର କୋଉ ବାହାଦୁରି ଦେଖାଉଛନ୍ତି ବୋଲି ରାଜ୍ୟର ଗ୍ରାମାଂଚଳରୁ ପ୍ରତିବାଦର ସ୍ୱର ଶୁଭିଲାଣି ।

ବିଜେଡି ଠିକାଦାର ଗୋଷ୍ଠୀ ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାର କୁପରିଣାମ ଭୋଗୁଛନ୍ତି ରାଜ୍ୟର ଲକ୍ଷାଧିକ ଜନତା । ରାଜ୍ୟର ଗ୍ରାମାଂଚଳ ଅଧାପାଠୁଆ ଥିବାରୁ ତା’ର ଫାଇଦା ପାଉଛନ୍ତି ବିଜେଡି ସରକାର । ଏନ୍‌ୟୁବିସି କହିଛି, ଅଧିକାଂଶ ଗ୍ରାମଦାଣ୍ଡରେ ପାଇପ ବିଛାଯାଇଛି, ମାତ୍ର ପାଣିର ଦେଖାନାହିଁ । ଲୋକମାନେ ଖୋଲା କୂଅ, ନଳକୂଅ ପାଣିକୁ ଉଭୟ ରୋଷେଇ ଓ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଅଧିକାଂଶ ଗ୍ରାମରେ ପଂଚାୟନ ନିର୍ବାଚନ ପୂର୍ବରୁ ପାଇପ ଜଳ ଉପଲବ୍ଧ କରାଯାଇଥିଲା । ମାତ୍ର ନିର୍ବାଚନ ସରିବାର ଦୁଇମାସ ନପୁରୁଣୁ ପାଇପରୁ ପାଣି ଗଡ଼ିବା ବନ୍ଦ ହୋଇଗଲା । ସରକାରଙ୍କ ଏ ପ୍ରକାର ଆଚରଣ ଉଭୟ ଶାସକ ଓ ବିରୋଧୀ ଦଳର ଲୋକପ୍ରତିନିଧିଙ୍କ ଇଲାକାରେ ଦେଖିବାକୁ ମିଳୁଛି ।