ଫିକ୍ସିଂ କବଳରେ ଭାରତୀୟ ହକି ଟିମ୍‌

ଚଳିତ ହକି ବିଶ୍ୱକପ୍‌ ଭାରତୀୟ ହକି….

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପ୍‌ ଭାରତୀୟ ହକି ଟିମ୍‌ ଭାଗ୍ୟରେ ନଥିବା ମନେହୁଏ । ଭାରତର ମିଡ୍‌ ଫିଲ୍ଡର ହାର୍ଦ୍ଦିକ ସିଂହ ଆଉ ବିଶ୍ୱକପ୍‌ ପାଇଁ ଷ୍ଟିକ୍‌ ଧରିବେନି । ଆହତ କାରଣରୁ ତାଙ୍କୁ ବାଦ ଦିଆଯାଇଛି ବୋଲି କୋଚ୍‌ କହୁଛନ୍ତି ମାତ୍ର ଅସଲ କଥା ଆଉ କିଛି ବୋଲି ଆଶଙ୍କା ପ୍ରକାଶ ପାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ହାର୍ଦ୍ଦିକ୍‌ । ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ବେଳେ ସେ ଆହତ ହୋଇଥିଲେ । ଫଳରେ ତାଙ୍କୁ ୱେଲ୍ସ ମ୍ୟାଚରେ ଦେଖିବାକୁ ମିଳି ନଥିଲା ।

ଭାରତୀୟ ହକି କୋଚ୍‌ ଗ୍ରାହାମ ରିଡ୍‌ଙ୍କ ମତରେ ହାର୍ଦ୍ଦିକଙ୍କ ଆଘାତ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତାଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ରାଜ କୁମାର ପଲଙ୍କୁ ଦଳରେ ସାମିଲ କରାଯାଇଛି । ତଥାପି ଦଳ ହାର୍ଦ୍ଦିକଙ୍କ ଅନୁପସ୍ଥିତି ଅନୁଭବ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ହାର୍ଦ୍ଦିକ ପ୍ରଥମ ଦୁଇଟି ମ୍ୟାଚ୍‌ ଭଲ ଖେଳିଥିଲେ; କିନ୍ତୁ ଚଳିତ ବିଶ୍ୱକପରୁ ତାଙ୍କୁ ବାଦ ଦିଆଯିବା ପଛରେ ଆଉ କିଛି ଅଭିସନ୍ଧି ନାହିଁ ତ? ହକି ମହାସଂଘର କିଛି ସଭ୍ୟଙ୍କ ମତରେ ଭାରତୀୟ ହକି ଟିମକୁ ଜାଣିଶୁଣି ଦୁର୍ବଳ କରି ଦିଆଯାଇଛି । ଚଳିତ ବିଶ୍ୱକପ୍‌ ବିଜେତା ଅନୌପଚାରିକ ଭାବେ ସ୍ଥିର ହୋଇସାରିଲାଣି । କେବଳ ଔପଚାରିକତାକୁ ଅପେକ୍ଷା କରାଯାଇଛି ।