ନବୀନବାବୁଙ୍କ ଦୋମୁହାଁ ନୀତି: ଟାଟା ହାତକୁ ଯିବ ଓପିଜିସି!

ଝାରସୁଗୁଡ଼ାର ବନହରପାଲିସ୍ଥିତ ଓପିଜିସି ବିଜୁଳି ଶକ୍ତି ଉତ୍ପାଦନ….

ଝାରସୁଗୁଡ଼ାର ବନହରପାଲିସ୍ଥିତ ଓପିଜିସି ବିଜୁଳି ଶକ୍ତି ଉତ୍ପାଦନ କେନ୍ଦ୍ରଟିକୁ ଟାଟା ହାତକୁ ଟେକିଦେବା ପାଇଁ ବାଟ ତିଆରି କରାଯାଇଛି । ଲୋକଦେଖାଣିଆ ଟେଣ୍ଡର ମଗାଯାଇଛି ବୋଲି ବିଶିଷ୍ଟ ସୂତ୍ରରୁ ଖବର ମିଳିଛି । ଖବରଟି କେତେ ସତ କେତେ ମିଛ ସମୟ ଆସିଲେ ଜଣାପଡ଼ିବ । ଶକ୍ତିକେନ୍ଦ୍ରର ସଂପ୍ରସାରଣକୁ ଉଦ୍‌ଘାଟନ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଆଗାମୀ ୨୫ ବର୍ଷ ପାଇଁ ରାଜ୍ୟରେ ବିଜୁଳି ସଂକଟ ଉପୁଜିବ ନାହିଁ । ଏକଦା ଆମେରିକା କମ୍ପାନୀ ‘ଏଇଏସ୍‌’ ହାତକୁ ଟେକି ଦିଆଯାଇଥିଲା ଓପିଜିସି । ଏଇଏସ୍‌’ର ମୁନାଫାଖୋର ଦୃଷ୍ଟିର ଶିକାର ହୋଇ ଓପିଜିସି ରସାତଳକୁ ଚାଲି ଯାଉଥିବାର ଦେଖି ରାଜ୍ୟ ସରକାର ଏଇଏସ୍‌ ସହ ବିଜୁଳି ବୁଝାମଣା ରଦ୍ଦ କରି କମ୍ପାନୀର ପରିଚାଳନା ଭାର ନିଜ ମୁଣ୍ଡକୁ ନେଲେ । ଏବେ ପୁଣି ଓପିଜିସିରୁ ୪୯% ମାଲିକାନା ହସ୍ତାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । କିଛି ଘରୋଇ କମ୍ପାନୀ ହାତକୁ ଓପିଜିସି ମାଲିକାନାରେ ଥିବା ମନୋହରପୁର କୋଇଲା ଖଣି ଟେକି ଦିଆଯିବ । ରାଜ୍ୟ ସରକାରଙ୍କ ହାମବଡ଼ା ନିଷ୍ପତି ନବୀନବାବୁଙ୍କର ଦୋମୁହାଁ ନୀତିକୁ ସୂଚାଉଛି ।

ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ପଂଚାନନ କାନୁନଗୋ କହିଛନ୍ତି, ବିଜୁଳି ଭଳି ଅତ୍ୟାବଶ୍ୟକ ସେବାକ୍ଷେତ୍ରରେ ଘରୋଇ ମାଲିକାନାକୁ ପ୍ରଶ୍ରୟ ଦେଇ ନବୀନ ସରକାର ମସ୍ତବଡ଼ ଭୁଲ କରୁଛନ୍ତି । ସରକାରଙ୍କୁ ଏ ପ୍ରକାର ପରାମର୍ଶ ଦେଉଥିବା ପ୍ରଶାସକ ମହଲ ରାଜ୍ୟବାସୀଙ୍କ ପ୍ରତି ଘୋର ଅବିଚାର କରୁଛନ୍ତି । ଏନ୍‌ୟୁବିସି ନେତା ସୀତାରାମ କହିଛନ୍ତି, ବିଦ୍ୟୁତ ଶକ୍ତି କେନ୍ଦ୍ରଟିକୁ ବିକିବାର ଯୋଜନା ଥିଲା ତ ୧୫ ହଜାର କୋଟି ଟଙ୍କାର ସଂପ୍ରସାରଣ କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଗଲା କାହା ସ୍ୱାର୍ଥରେ?