‘ମୋ ସହିତ ବିଜେଡିକୁ କାଠଗଡ଼ାକୁ ଟାଣୁ ଇଡି’

ନିଜ ଦୋଷକୁ ଦଳ ମୁଣ୍ଡରେ ରଖି ଖସିଯିବେ ବ୍ରଜ!

ତାଳଚେର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଗୁଳ, ତାଳଚେର, ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଖଣି ଖନନ ଚାଲିଛି । ଏହି କଥା ଜାଣିବା ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ସଂପୃକ୍ତ ବିଜେଡି ବିଧାୟକଙ୍କୁ ନୋଟିସ୍‌ ପଠାଇଥିଲା । ଦୀର୍ଘ ୭ ଘଂଟା କାଳ ଜେରା କରିବା ଭିତରେ ଇଡି ବିଧାୟକଙ୍କ ନିକଟରୁ ସନ୍ତୋଷଜନକ ଉତର ପାଇନାହିଁ । କିନ୍ତୁ ଖୋଦ ବିଧାୟକ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ସେ ଇଡିକୁ ସବୁ ତଥ୍ୟ ପ୍ରଦାନ କରିଛନ୍ତି । ସେ ସଂପୂର୍ଣ୍ଣ ଧୁଆମୁଗ । ଯାହା କିଛି କରିଛନ୍ତି, ଦଳ ପାଇଁ କରିଛନ୍ତି, ନବୀନବାବୁଙ୍କ ପାଇଁ କରିଛନ୍ତି ।

ସୂଚନା ମୁତାବକ, ସିମାଦ୍ରୀ ଟ୍ରାନ୍ସପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ମାଲିକ ସୁଧାଂଶୁ ହୋତାଙ୍କ ସହ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କର ବ୍ୟବସାୟିକ ସଂପର୍କ ଥିବା ଜାଣିବା ପରେ ମାମଲା ଇଡି ହାତକୁ ଯାଇଥିଲା । ସୁଧାଂଶୁଙ୍କ ବେଆଇନ ବ୍ୟବସାୟରୁ ବିପୁଳ ଟଙ୍କା ବିଧାୟକଙ୍କ ପାଣ୍ଠିକୁ ଯାଇଛି । ସୁଧାଂଶୁଙ୍କ ଘରୁ ନଗଦ ୩ କୋଟି ଟଙ୍କା ପାଇବା ପରେ ଇଡି ତଦନ୍ତ ଆରମ୍ଭ କରିଥିଲା । ସୁଧାଂଶୁ ବିଭିନ୍ନ କମ୍ପାନୀରୁ କୋଟିକୋଟି ଟଙ୍କା ହେରଫେର କରି ପତ୍ନୀଙ୍କ ନାମରେ ବ୍ୟବସାୟ ସଂସ୍ଥାଟିଏ ଆରମ୍ଭ କରିଥିଲେ । ବିଧାୟକ ବ୍ରଜକିଶୋରଙ୍କ ଅନୁକମ୍ପା ଲାଭ କରି ସୁଧାଂଶୁ କୋଟିକୋଟି ଟଙ୍କା ରୋଜଗାର କରିବା ସହିତ କମିଶନ ଆକାରରେ ବିଧାୟକଙ୍କୁ ବେଶ୍‌ ମୋଟା ଅଙ୍କ ପ୍ରଦାନ କରିଛନ୍ତି ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ବିଧାୟକ କହିଛନ୍ତି, ମୋର କିଛି ଦୋଷ ନାହିଁ । ମୁଁ ନିମିତ ମାତ୍ର । ମୋ ଜରିଆରେ ବିଜେଡି ଭଲ ଭାବରେ ଉପକୃତ ହୋଇଛି । ମୁଁ ଏକା କିଛି ଖାଇନି । ବିଜେଡିକୁ ଖୁଆଇଛି, କିଛି ଖାଇଛି । କାହାଠାରୁ ୧୦୦ ଟଙ୍କାଟିଏ ଆଣିଲେ, ଦଳକୁ ୭୦ ଦେଇଛି, ନିଜେ ୩୦ ରଖିଛି । ତେଣୁ ମୁଁ ଯଦି କିଛି ଅପରାଧ କରିଛି ବୋଲି ଇଡି ମନେକରୁଛି । ମୋ ସହିତ ବିଜେଡିକୁ ମଧ୍ୟ କାଠଗଡ଼ାକୁ ଟାଣୁ ଇଡି ।