ନଭେମ୍ବର ୩ରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆସନ୍ତା ନଭେମ୍ବର ୩ ତାରିଖରେ ଓଡ଼ିଶାର ବାଲେଶ୍ୱର ଏବଂ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଅକ୍ଟୋବର ୯ ତାରିଖ(ଶୁକ୍ରବାର) ଦିନ ଏଥିପାଇଁ ଗେଜେଟ୍ ନୋଟ୍ଫିକେସନ ଜାରି କରିବେ ନିର୍ବାଚନ କମିଶନ। ଅକ୍ଟୋବର ୧୬ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୧୭ ତାରିଖରେ ସମସ୍ତ ନାମାଙ୍କନ ଫର୍ମ ଯାଞ୍ଚ ହେବାକୁ ଥିବାବେଳେ ୧୯ ତାରିଖକୁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୩ ତାରିଖରେ ଭୋଟଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ।

ନଭେମ୍ବର ୧୦ରେ ଭୋଟ ଗଣତି ହେବାକୁ ଥିବାବେଳେ ସେହି ଦିନ ହିଁ ଫଳ ଏକପ୍ରକାର ଜଣାପଡ଼ିଯିବ। ୧୨ ତାରିଖ ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରକ୍ରିୟା ସାରିବାକୁ ଇସିଆଇଙ୍କ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ, ବିଜେପି ବିଧାୟକ ମଦନମୋହନ ଦତ୍ତ ଏବଂ ବିଜେଡ଼ି ବିଧାୟକ ବିଷ୍ଣୁଚରଣ ଦାସଙ୍କ ଅକାଳ ବିୟୋଗରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ଖାଲି ପଡ଼ିଛି। ସମସ୍ତ ରାଜନୈତିକ ଦଳ ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାଁନ୍ତି।