ଆଜି ୭୨୬ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର : ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିଲାଗି ରାଜ୍ୟର ୨୦୦ଟି ଜିଲ୍ଲା ପରିଷଦ ଆସନରେ ଛିଡ଼ା ହୋଇଛନ୍ତି ୭୨୬ଜଣ ପ୍ରାର୍ଥୀ। ଆସନ୍ତାକାଲି ଏହି ଜିଲ୍ଲା ପରିଷଦଙ୍କ ସହିତ ୩୦ଟି ଜିଲ୍ଲା ୭୧ଟି ବ୍ଲକ୍‌ର ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମଧ୍ୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମତଦାନରେ ୨୨ହଜାର ୩୭୯ଟି ମତଦାନ କେନ୍ଦ୍ରରେ ସକାଳ ୭ରୁ ଦିନ ଗୋଟାଏ ମଧ୍ୟରେ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହି ମତଦାନ ବେଳେ ଯେଭଳି ସବୁ ଦଳ ନିର୍ବାଚନ ଆୟୋଗଙ୍କ ଆଚରଣ ବିଧି ମାନି କାର୍ଯ୍ୟ କରିବେ ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବେ ସେନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପାଢ଼ୀଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପୁଲିଂ କର୍ମଚାରୀ ୨୨ହଜାର ୩୭୯ଟି ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି।

ଶାନ୍ତିଶୃଙ୍ଖଳାର ସହ ମତଦାନ ନିମନ୍ତେ ୨୨୫ ପ୍ଲାଟୁନ୍ ପୁଲିସ ସୁରକ୍ଷା ବଳ ମୁତୟନ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସଶସ୍ତ୍ର ପୁଲିସ, ଇଣ୍ଡିଆନ ରିଜର୍ଭ ବାଟାଲିୟନ ଓ ସ୍ପେଶାଲ ରିଜର୍ଭ ବାଟାଲିୟନର ଯବାନଙ୍କ ସମେତ ୩୭ହଜାର ୨୪୫ ପୁଲିସ ବଳ ନିୟୋଜିତ ହୋଇଛନ୍ତି । କରୋନା କଟକଣା ଓ ଗହଳି ଏଡ଼ାଇବା ପାଇଁ ଗୋଟିଏ ଲେଖାଏଁ ବୁଥ୍‌ରେ ୩୦୦ରୁ ୫୦୦ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଯେଉଁମାନେ କରୋନା ସଂକ୍ରମିତ ସେମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲ ମାଧ୍ୟମରେ ନିଜର ମତାଧିକାର ଦେଇପାରିବେ। ସମସ୍ତେ ଭୋଟ ଦେବା ପରେ ହିଁ କରୋନା ସଂକ୍ରମିତ ଭୋଟରମାନେ ନିଜର ଭୋଟ ଦେବା ବ୍ୟବସ୍ଥା କରାଯାଇଛି ।