୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଟିପିଏସ୍ଓଡିଏଲ୍ର ସହାୟକ ଯନ୍ତ୍ରୀ

ଭୁବନେଶ୍ୱର: ୧୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଟିପିଏସ୍‌ଓଡିଏଲ୍‌(ଟାଟା ପାୱାର୍ ସାଉଥ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌)ର ସହାୟକ ଯନ୍ତ୍ରୀ(ବିଦ୍ୟୁତ୍‌) ପ୍ରବୀଣ କୁମାର ହୋତା ଧରାପଡ଼ିଛନ୍ତି । ଜଣେ ଅସ୍ଥାୟୀ ବିଦ୍ୟୁତ୍ କର୍ମଚାରୀଙ୍କ ଚାକିରି ସ୍ଥାୟୀ କରିବା ଲାଗି ସେ ଲାଞ୍ଚ ନେଉଥିବାରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ରସାୟନ ମିଶ୍ରିତ ଲାଞ୍ଚ ଟଙ୍କା ଜବତ ହୋଇଛି । ଏଥିସହ ତାଙ୍କ ଘରୁ ନଗଦ ୪ଲକ୍ଷ ୫ହଜାର ୬୦୦ଟଙ୍କା ମିଳିଛି । ଏନେଇ କୋରାପୁଟ ଭିଜିଲାନ୍ସ କେସ୍ ନଂ ୩/୨୦୨୨ରେ ଏକ ମାମଲା ରୁଜୁ କରି ପ୍ରବୀଣଙ୍କୁ କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଭିଜିଲାନ୍ସ ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଟିପିଏସ୍‌ଓଡିଏଲ୍‌ର ବିଦ୍ୟୁତ ବିଭାଗରେ ପ୍ରବୀଣ ସହାୟକ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ପ୍ରବୀଣ ମିଟର ଟ୍ୟାମ୍ପରିଂ, ଟ୍ରାନ୍ସଫରମରକୁ ଖରାପ ଦେଖାଇ ଏକ୍ସଚେଞ୍ଜ କରିବା, ବେଆଇନ ଭାବେ ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନକୁ ବିଦ୍ୟୁତ୍ ସଂଯୋଗ ଭଳି କାମ ସେ କରୁଥିଲେ । ଏହାଦ୍ୱାରା ବିଦ୍ୟୁତ୍ ବିଭାଗର ବିପୁଳ ଟଙ୍କା କ୍ଷତି ହେଉଥିଲା । ଏନେଇ ତାଙ୍କ ବିରୋଧରେ ଭିଜିଲାନ୍ସ ପାଖେ ବାରମ୍ବାର ଦୁର୍ନୀତି ଅଭିଯୋଗ ହୋଇଥିଲା । କିଛିଦିନ ତଳେ ଜଣେ ଅସ୍ଥାୟୀ ବିଦ୍ୟୁତ୍ କର୍ମଚାରୀ(ହେଲପର୍‌) ତାଙ୍କ ଚାକିରି ସ୍ଥାୟୀ କରିବା ଲାଗି ଯନ୍ତ୍ରୀ ପ୍ରବୀଣଙ୍କୁ କହିଥିଲେ । ତେବେ ଏନେଇ ପ୍ରବୀଣ ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଲାଞ୍ଚ ମାଗିବା କଥା ନେଇ ସମ୍ପୃକ୍ତ କର୍ମଚାରୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ସମ୍ପୃକ୍ତ କର୍ମଚାରୀ ଗୁରୁବାର ସକାଳେ ୧୦ହଜାର ରସାୟନ ମିଶ୍ରିତ ଟଙ୍କା ନେଇ ପ୍ରବୀଣଙ୍କୁ ଦେଇଥିଲେ । ଏତିକିବେଳେ ଭିଜିଲାନ୍ସ ଟିମ୍ ପ୍ରବୀଣଙ୍କ ଅଫିସ୍ ଚାମ୍ବର୍‌ରେ ଚଢ଼ଉ କରି ତାଙ୍କ ଠାରୁ ରସାୟନ ମିଶ୍ରିତ ଟଙ୍କା ଜବତ କରିଥିଲା । ଏହାପରେ ପ୍ରବୀଣଙ୍କ ଅଫିସ ସମେତ ବୋରିଗୁମ୍ମା ସରକାରୀ ବାସଭବନ, କୋରାପୁଟ ସେମିଳିଗୁଡା ସ୍ଥିତ ଭଡ଼ାଘରେ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗପଡା ଗ୍ରାମରେ ଥିବା ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏତିକିବେଳେ ତାଙ୍କ ସରକାରୀ ବାସଭବନରୁ ନଗଦ ୪ଲକ୍ଷ ୫ହଜାର ୬୦୦ଟଙ୍କା ମିଳିଥିଲା । ତେବେ ପ୍ରବୀଣଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଭିଜିଲାନ୍ସ ସନ୍ଦେହ କରିଛି । ଏନେଇ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।