୮ଶହ ଋଷ ସେନାଙ୍କୁ ମାରିଲାଣି ୟୁକ୍ରେନ୍

୭ ଫାଇଟର୍‌ ଜେଟ୍‌ ଓ ୬ ହେଲିକପ୍ଟର ଖସାଇଦେଇଛି ୟୁକ୍ରେନ୍

ନୂଆଦିଲ୍ଲୀ : ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି । ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ଏକାକି ଲଢୁଛି ୟୁକ୍ରେନ୍‌ । ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ସେନାକୁ ଜବରଦସ୍ତ ଜବାବ ଦେଉଛି ଜେଲେଂସ୍କି ସେନା । ଏହାରି ମଧ୍ୟରେ ଏକ ବଡ ଖବର ଆସିଛି । ଋଷର ୮୦୦ ସୈନ୍ୟଙ୍କୁ ନିପାତ କରିଛି ୟୁକ୍ରେନ୍‌ ସେନା । ଏ ନେଇ ଦାବି କରିଛି ୟୁକ୍ରେନ୍‌ ସେନା । ଏହା ସହିତ ଋଷର ୭ଟି ଯୁଦ୍ଧ ବିମାନ ଏବଂ ୬ଟି ହେଲିକପ୍ଟରଙ୍କୁ ମଧ୍ୟ ମିସାଇଲ ମାଡ କରି ଖସାଇଦେଇଛି ୟୁକ୍ରେନ୍‌ ।

ଅନ୍ୟପଟେ ୟୁକ୍ରେନ୍‌ ର ଏକ ୯ ମହଲା ବିଲଡିଂରେ ମିସାଇଲ ମାଡ କରିଛି ଋଷିଆ । ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଥିରେ ଅନେକ ଲୋକ ଥିବା କୁହାଯାଉଛି । ଅନେକଙ୍କ ମୃତ୍ୟୁ ଘଟିଛି । ସବୁଠାରୁ ବଡ କଥା ହେଉଛି ୟୁକ୍ରେନ୍‌ ଏକାକି ଲଢୁଛି ଏବଂ ଋଷର ୭ଶହ ସୈନ୍ୟଙ୍କୁ ହତ୍ୟା କରିଥିବା ଦାବି କରୁଛି । ଏ ନେଇ କିନ୍ତୁ ଋଷ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ। ତାଜା ସୂଚନା ଅନୁସାରେ ଋଷର ଆଉ ୨ଟି ଫାଇଟର୍‌ ଜେଟ୍‌ କୁ ମିସାଇଲ ମାଡ କରି ଖସାଇଛି ୟୁକ୍ରେନ୍‌ ।