ଦୁଇ ଓଡ଼ିଆ ଖେଳାଳି ଆଇପିଏଲ୍ ନିଲାମ ତାଲିକାରେ

ଭୁବନେଶ୍ୱର: ୧୫ଶ ଆଇପିଏଲର ସଂସ୍କରଣ ପାଇଁ ଆସନ୍ତା ୧୨ ଓ ୧୩ ତାରିଖରେ ମେଗା ଅକ୍ସନ୍ ହେବ। ଏଥିପାଇଁ ଆଜି ୫୯୦ ଜଣ ଖେଳାଳି ଚୂଡ଼ାନ୍ତ ତାଲିକା ଜାରି ହୋଇଛି। ଏଥର ଅକ୍ସନରେ ଓଡ଼ିଶାର ଦୁଇ ଖେଳାଳିଙ୍କୁ ଏଣ୍ଟ୍ରୀ ମିଳିଛି। ଏହି ଦୁଇ ଖେଳାଳି ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ। ଆଇପିଏଲ୍ ନିଲାମରେ ସାମିଲ୍ ହୋଇଥିବା ଅଭିଷେକ ଜଣେ ଡାହାଣ ହାତୀ ବ୍ୟାଟର୍ ଓ ଲେଗ୍ ସ୍ପିନର। ସେହିପରି ଶୁଭ୍ରାଂଶୁ ଡାହାଣହାତୀ ବ୍ୟାଟର। ଦୁହେଁ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ।

ପୂର୍ବରୁ ଓଡ଼ିଶାର ୫ ଜଣ ଖେଳାଳିଙ୍କ ନାଁ ଆଇପିଏଲ୍ ଅକ୍ସନ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପଠାଇଥିଲା। କିନ୍ତୁ ସେଥିମଧ୍ୟରୁ ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତିଙ୍କ ନାଁ ତାଲିକାରୁ ବାଦ୍ ପଡ଼ିଛି। ଉଭୟ ଶୁଭ୍ରାଂଶୁ ଓ ଅଭିଷେକଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଲେଖାଏ ରହିଛି। ଦୁହିଁଙ୍କୁ ଅନକ୍ୟାପ୍‌ଡ ଖେଳାଳି ଭାବେ ସାମିଲ୍ କରାଯାଇଛି। ଶୁଭ୍ରାଂଶୁଙ୍କ ସିରିଏଲ୍ ନମ୍ବର ୨୧୮ ରହିଥିବା ବେଳେ ସେଟ୍ ନମ୍ବର ୨୪ ରହିଛି। ସେହିପରି ଅଭିଷେକଙ୍କ ସିରିଏଲ୍ ନମ୍ବର ୫୩୧ ରହିଥିବା ବେଳେ ସେଟ୍ ନମ୍ବର ୫୭ ରହିଛି।