‘ମୁଖ୍ୟମନ୍ତ୍ରୀ ପାଣ୍ଡିଆନ’ ଶବ୍ଦ ସତ ହେବ କି?

ସରକାରୀ ଚାକିରୀରୁ ଇସ୍ତଫା ଦେଇ ପାଣ୍ଡିଆନ୍ ସିଧାସଳକ ରାଜନୀତିକୁ ଆସନ୍ତୁ ବୋଲି ବିରୋଧୀ ବାରମ୍ବାର ଆହ୍ୱାନ ଦେଉଥିଲେ । ବିରୋଧୀଙ୍କ ଆହ୍ୱାନକୁ ଚାଲେଞ୍ଜ କରି ଶ୍ରୀପାଣ୍ଡିଆନ୍ ଚାକିରୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି । ପାଣ୍ଡିଆନଙ୍କ ଅବସର ପରେ ବିରୋଧୀଙ୍କ ପାଟି ଚୁପ୍ ହୋଇଯାଇଛି । ସେପଟେ ବିଜେଡିର ବରିଷ୍ଠନେତାମାନଙ୍କ ପାଟିରୁ ସ୍ଲିପ କରୁଥିବା ‘ମୁଖ୍ୟମନ୍ତ୍ରୀ ପାଣ୍ଡିଆନ’ ଶବ୍ଦକୁ ବାସ୍ତବରୂପ ମିଳିବା ନେଇ ବାଟି ମଧ୍ୟ ଫିଟିଯାଇଛି ।

ଗତକିଛିଦିନ ହେଲା ପାଣ୍ଡିଆନଙ୍କୁ ନେଇ ବିଜେଡି ଦଳ ସମେତ ସାରାରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା । ପ୍ରଶାସନିକ କରିଡରର ପାୱାରଫୁଲ ସଚିବଙ୍କ ଜିଲ୍ଲାଗସ୍ତ ଓ କାର୍ଯ୍ୟକ୍ରମକୁ ନେଇ ଭିନ୍ନ ଚର୍ଚ୍ଚା ହେଉଥିଲା । ଏହି ଚର୍ଚ୍ଚା ଭିତରେ କେନ୍ଦ୍ରାପଡା ବ୍ଲକ ଚେୟାରମ୍ୟାନଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ପର୍ଯ୍ୟନ୍ତ ଅନେକ ନେତା ସଭାରେ ପାଣ୍ଡିଆନଙ୍କୁ ‘ମୁଖ୍ୟମନ୍ତ୍ରୀ’ ବୋଲି ସମ୍ବୋଧନ କରିଥିଲେ । ଯଦିଓ ପରେ ଏହା ତାଙ୍କ ପାଟିରୁ ସ୍ଲିପ କରିଥିବା କହି ଘଟଣାକୁ ଏଡାଇ ଯାଇଥିଲେ, ହେଲେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା ।

ସମ୍ଭାବନା ସୃଷ୍ଟି ହୋଇଥିଲା ଯେ, ଆଗାମୀ ଦିନରେ ବିଜେଡି ସରକାରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ବିଜେଡି ପାଣ୍ଡିଆନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରିବାକୁ ଯାଉଛି ବୋଲି ଆଲୋଚନା ମଧ୍ୟ ହେଉଥିଲା । ଏବେ ପାଣ୍ଡିଆନ୍ ଅବସର ନେବା ପରେ ତାହା ବାସ୍ତବର ରୂପ ନେବାକୁ ଯାଉଛି । ଲୋକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ବିଜେଡି ନେତାମାନେ ଏକ ପ୍ରକାର ମାହୋଲ ସୃଷ୍ଟି କରୁଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ତେବେ ପାଣ୍ଡିଆନଙ୍କର ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ, ତାହା ଉପରେ ଏବେ ରାଜ୍ୟବସାୀଙ୍କ ନଜର ରହିଛି ।

ସୂଚନା ଥାଉକି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି-ସଚିବ ଭିକେ ପାଣ୍ଡିଆନ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବାରୁ ଶ୍ରୀପାଣ୍ଡିଆନ ଅବସର ନେଇଛନ୍ତି । ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଞ୍ଜୁର କରିଛି । ଅକ୍ଟୋବର ୨୦ରେ ରାଜ୍ୟ ପଠାଇଥିବା ଆବେଦନ ପତ୍ରକୁ ମଂଜୁରି ମିଳିଛି । ସର୍ବଭାରତୀୟ ସେବା ଆଇନ ୧୬(୨ଇ) ଅନୁସାରେ ମଂଜୁର ହୋଇଥିବା ଜଣାଯାଇଛି ।