ମାଞ୍ଜା ସୂତା ଲାଗି ଯୁବକ ଆହତ

କଟକ : ମାଞ୍ଜାସୂତା ଜନିତ ଅଘଟଣରୁ ପୁଣି ଜଣେ ଯୁବକ ଅଳ୍ପକେ ବର୍ତ୍ତିଛନ୍ତି । ମାଞ୍ଜା ସୂତା ଲାଗି ବ୍ୟକ୍ତିଙ୍କ ପାଦରେ ଗଭୀର କ୍ଷତ ହୋଇଛି । ଏହି ଘଟଣାଟି ଆଠଗଡ ବ୍ଲକ କଖଡି ଅଞ୍ଚଳରେ ଘଟିଛି । ଆଠଗଡ ବ୍ଲକ କରିକୋଲ ଗ୍ରାମରେ ସୁଜିତ ମଲ୍ଲିକଙ୍କ ଘର । ସେ ଜଗତପୁର ସ୍ଥିତ ଏକ ବ୍ୟାଙ୍କରେ ଚାକିରୀ କରନ୍ତି । ଶୁକ୍ରବାର ଅପରାହ୍ନରେ ସେ ବ୍ୟାଙ୍କରୁ କାମ ସାରି ନିଜ ଘରକୁ ଫେରୁ ଥିବାବେଳେ କଖଡି ମୁଖ୍ୟ ରାସ୍ତା ଉପରେ ହଠାତ ତାଙ୍କ ଗୋଡରେ ମାଞ୍ଜାସୂତା ଛନ୍ଦି ହୋଇ ତାଙ୍କ ପାଦରେ କ୍ଷତ ହେବାରୁ ସେ ଭାରସାମ୍ୟ ହରାଇ ଗାଡି ସହ ଛିଟକିପଡିଥିଲେ । ଏହି ମାଞ୍ଜା ସୂତାରେ ତାଙ୍କ ପାଦର ଉପରି ଭାଗ କଟି ଯାଇଥିଲା । ଫଳରେ ଲୋକ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା ମାତ୍ର ରକ୍ତସ୍ରାବ ବନ୍ଦ ହୋଇନଥିଲା ।

ଏପଟେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିଯିବାରୁ ତାଙ୍କୁ ଏସସିବି ମେଡିକାଲ ପଠାଯାଇ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ତେବେ ସୁଜିତଙ୍କ ଗୋଇଠି ଭିତରେ ଠାଏ ଠାଏ ଅଂଶ କଟିଯାଇଥିଲା । ଫଳରେ ତାଙ୍କ ପାଦରେ ୧୫ଟି ଷ୍ଟିଚ ପଡିଛି । କିଛି ସମୟ ତାଙ୍କୁ ମେଡିକାଲରେ ରଖାଯିବା ପରେ ଡିସଚାର୍ଜ କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗୁରୁତର ସୁଜିତଙ୍କୁ ତତ୍କାଳ ମେଡିକାଲରେ ଭର୍ତ୍ତି କରାଯିବାରୁ ସେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ତେବେ ଏଭଳି ବିରାଟ ଅଘଟଣ ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରାଯାଉଛି । କେବଳ ମାଞ୍ଜାସୂତା ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରି ପ୍ରଶାସନ ଚୁପ ବସିପଡିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି ।