‘୫ ବର୍ଷ ଖଟିବା, ୫୦ ବର୍ଷ ଖାଇବା’

ଭୁବନେଶ୍ୱର: ‘ନବୀନ ଓଡ଼ିଶା’ ସୂତ୍ରଧର ଭିକେ ପାଣ୍ଡିୟାନ କଲେଜ ଛାତ୍ରଛାତ୍ରୀମାନଙ୍କୁ ୫ ବର୍ଷ ପାଇଁ ଖଟିବା ଓ ୫୦ ବର୍ଷ ବସିବସି ଖାଇବାର ଗୁରୁମନ୍ତ୍ର ପଢ଼ାଉଛନ୍ତି । ପାଣ୍ଡିୟାନଙ୍କ ଗୁରୁମନ୍ତ୍ର ବହୁ ଛାତ୍ରଛାତ୍ରୀଙ୍କ ମନକୁ ପାଇଛି । ପାଠ୍ୟ ପୁସ୍ତକରେ ଲେଖା ଯାଇଥିବା ‘ଆରାମ ହାରାମ ହୈ’ ମନ୍ତ୍ରଟି ଆଜିକାଲି ପୁରୁଣା ହୋଇଗଲାଣି । ତା’ର ଆଉ ଆବଶ୍ୟକତା ନାହିଁ ।

ତେବେ ଗୋଟିଏ ପ୍ରଶ୍ନ ମୋ ମନକୁ ଆସୁଛି । ଖୋଦ ପାଣ୍ଡିୟାନ ବାବୁ ଯୋଉ ବିଜେଡି ମୁଖିଆଙ୍କ ହଳିଆ କାମ କରୁଛନ୍ତି; ସେଇ ମୁଖିଆ ପ୍ରତି ୫ ବର୍ଷରେ ଥରେ ଭୋଟରଙ୍କ ନିକଟରେ ହାତଯୋଡ଼ି ଭୋଟ ଭିକ ମାଗୁଛନ୍ତି । ମୁଖିଆଙ୍କ ଭିକ ମଗା ପ୍ରକୃତି ଛଡ଼ାଇବା ପାଇଁ ବାବୁ ପାଣ୍ଡିୟାନ ତାଙ୍କୁ ୫ ବର୍ଷ ଖଟିବା ମନ୍ତ୍ରଟିକୁ ଶିଖାଇବା ଉଚିତ ମଣୁନାହାନ୍ତି କାହିଁକି?

ବାବୁ ପାଣ୍ଡିୟାନ, ଆପଣ ଆମ ଛାତ୍ରଛାତ୍ରୀଙ୍କୁ ଏତେ ବୋକା ଭାବନ୍ତୁନି । ରାଜ୍ୟର ୭୦ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ କାହିଁ କେଉଁ ଅମଳରୁ ୫ ବର୍ଷ ପାଇଁ ଖଟି ସାରିଛନ୍ତି; ମାତ୍ର ଏ ଯାଏ ସେମାନଙ୍କ ଭାଗ୍ୟରେ ବସି ଖାଇବାର ସୁଯୋଗ ମିଳିଲାନି । ଆପଣଙ୍କ ଭଳି ଟାଉଟରମାନେ ସାଢେ଼ ଚାରିକୋଟି ଜନତାଙ୍କ ଭାଗ୍ୟ ଭବିଷ୍ୟତକୁ ଲୁଟି ଚାଲିଛ ।

ବିଜେଡି ମୁଖିଆଙ୍କ ମୁଣ୍ଡରେ ବୁଦ୍ଧି ନାହିଁ ବୋଲି ସେ ଆପଣଙ୍କ ଭଳି ଦୁଇମୁଣ୍ଡିଆ ଲୋକଙ୍କୁ ମୁଣ୍ଡରେ ବସାଇଛନ୍ତି । ମାତ୍ର ଏ ରାଜ୍ୟର କଲେଜ ପଢୁଆ ପିଲାମାନେ ଆପଣଙ୍କୁ ଭଲ ଭାବରେ ଜାଣିଛନ୍ତି; ସେହିମାନେ ହିଁ ଆଗାମୀ ଓଡ଼ିଶାର କର୍ଣ୍ଣଧାର ହେବେ । ସେମାନଙ୍କ ଓଡ଼ିଶାରେ ଆପଣଙ୍କ ଭଳି ଟାଉଟରମାନେ ରହି ପାରିବେନି ।