ଓଡ଼ିଶା ଆକାଶରେ ‘ଆମ ଜନତା ଦଳ’

ଅଗଷ୍ଟ ୩୦ ତାରିଖରେ ଔପଚାରିକ ଘୋଷଣା….

ଭୁବନେଶ୍ୱର: ରାଜ୍ୟରେ ବିରୋଧୀ ଦଳ ଶୂନ୍ୟ ପ୍ରାୟ । ବିନା ବିରୋଧୀ ଦଳରେ ଗଣତନ୍ତ୍ର ଦୁର୍ବଳ । ତେଣୁ ଦୃଢ଼ ଗଣତନ୍ତ୍ର ପ୍ରତିଷ୍ଠା ଲକ୍ଷ୍ୟ ନେଇ ‘ଆମ ଜନତା ଦଳ’ ବା ‘ଏଜେଡି’ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ତିରିଶିଟି ଜିଲ୍ଲାରୁ ଯୁବକ ଯୁବତୀଙ୍କୁ ମନୋନୀତ କରି ଦଳ ପ୍ରତିଷ୍ଠା କରିବା ଦାୟିତ୍ୱ ମୁଣ୍ଡାଇଛନ୍ତି ଏନ୍‌ୟୁବିସି ନେତା ସୀତାରାମ ବେହେରା । ଏନ୍‌ୟୁବିସି ଏବେ ‘ଟାଟା ପାୱାର ଗୋ ବ୍ୟାକ୍‌’ ଅଭିଯାନର ନେତୃତ୍ୱ ନେଉଛି । ବିଗତ ୧୫ ଦିନ ଭିତରେ ପ୍ରାୟ ସାଢେ଼ ଦୁଇଲକ୍ଷ ଲୋକ ଟାଟା ପାୱାର ବିରୋଧୀ ଅଭିଯାନକୁ ସମର୍ଥନ କରିଛନ୍ତି । ଏନ୍‌ୟୁବିସି ସହିତ ମତ ବିନିମୟ ସମୟରେ ଅଧିକାଂଶ ଲୋକ ରାଜ୍ୟରେ ନୂଆ ଦଳ ଗଠନ ସମ୍ପର୍କରେ ପରାମର୍ଶ ଦେଉଛନ୍ତି ।

ଲୋକଙ୍କ ପରାମର୍ଶକୁ ସମ୍ମାନ ଦେବାକୁ ଯାଇ ‘ଆମ ଜନତା ଦଳ’ ଗଠନ କରୁଛୁ । ତେଣୁ ଦଳର ଭାଗ୍ୟ ଲୋକମାନଙ୍କ ଉପରେ ଛାଡ଼ି ଦେଉଛୁ ବୋଲି କହିଛନ୍ତି ଏନ୍‌ୟୁବିସି ନେତା ସୀତାରାମ ବେହେରା । ଏକଦା ବିଜୁ ପଟ୍ଟନାୟକଙ୍କ ନିକଟତମ ଲୋକ ଭାବେ ଜଣାଶୁଣା ସୀତାରାମ ବେହେରା ଏବେମଧ୍ୟ ବିଜୁବାବୁଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତି।

ତାଙ୍କ ମତରେ ବିଜୁବାବୁ ଓ ନବୀନବାବୁଙ୍କ ଭିତରୁ ବିଜୁବାବୁଙ୍କ ଲୋକପ୍ରିୟତା ସବୁବେଳେ ଆଗରେ ରହିବ । ତାଙ୍କରି ଆଦର୍ଶକୁ ଆୟୁଧ କରି ‘ଆମ ଜନତା ଦଳ’ କାମ କରିବ । ଅଗଷ୍ଟ ୩୦ ତାରିଖ କ୍ରାନ୍ତି ଦିବସ ଅବସରରେ ‘ଆମ ଜନତା ଦଳ’କୁ ଔପଚାରିକ ଭାବେ ଘୋଷଣା କରାଯିବ । ଅଗଷ୍ଟ ୩୦ ତାରିଖଟିକୁ ‘ଆମ ଜନତା ଦଳ’ର ପ୍ରତିଷ୍ଠା ଦିବସ ଭାବେ ଧରି ନିଆଯିବ ।