ପଞ୍ଚାୟତିରାଜ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିହେଲା

ସମ୍ବିଧାନ, ଗଣତନ୍ତ୍ର ପ୍ରତି କୁଠାରଘାତ କଲେ ରାଜ୍ୟ ସରକାର ଓ ନିର୍ବାଚନ କମିଶନ୍‌

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ଏବଂ ତତ୍‌ସଂଲଗ୍ନ ମାର୍ଗଦର୍ଶିକା ଓଡ଼ିଆ ପଞ୍ଚାୟତିରାଜ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା । ଖଳନାୟକ ଭାବରେ ରାଜ୍ୟର ବିଜେଡି ସରକାର ଓ ତାଙ୍କର ବଚସ୍କର ପାଲଟିଥିବା ରାଜ୍ୟ ନିର୍ବାଚନ କମିଶନ୍ ଏହି କଳଙ୍କିତ ଅଧ୍ୟାୟର ସୂତ୍ରଧର ବୋଲି କଂଗ୍ରେସ ଶାଣିତ କଟାକ୍ଷ କରିଛି ।

ଦେଶରେ କରୋନା ସଂକ୍ରମଣ ୧ ଲକ୍ଷ ୬୮ ହଜାର । ରାଜ୍ୟରେ ତାହା ୭୦୭୧ । ବିଶେଷଜ୍ଞମାନେ ଏହି ସଂକ୍ରମଣ ଆସନ୍ତା ଫେବୃଆରୀରେ ଶୀର୍ଷରେ ଛୁଇଁବ ବୋଲି ସତର୍କ କରାଇଛନ୍ତି । ବିଜେଡିକୁ ଛାଡ଼ି ରାଜ୍ୟର ସମସ୍ତ ବିରୋଧୀମାନେ ବର୍ତ୍ତମାନ ସମୟରେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇବାକୁ ଦାବି ରଖିଥିଲେ । ମାତ୍ର ନିର୍ବାଚନ କମିଶନ୍ ସେମାନଙ୍କ ଦାବିକୁ କର୍ଣ୍ଣପାତ କଲେନାହିଁ ଏବଂ ନିର୍ବାଚନ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରିକଲେ । ଏହା ନିର୍ବାଚନ କମିଶନଙ୍କ ନିଜସ୍ୱ ନିଷ୍ପତ୍ତି ନୁହେଁ । ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଏହା କରିଛନ୍ତି ଯାହାକି ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ ଓ.ବି.ସି. ଓ ଜନଜାତି ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ପ୍ରତି ହେୟଜ୍ଞାନ କରାଯାଇଛି । ରାଜ୍ୟର ୫୪ ଶତାଂଶ ଲୋକ ଓବିସି ଓ ୨୨.୫ ଶତାଂଶ ଲୋକ ଜନଜାତି ସମ୍ପ୍ରଦାୟର । ଏହି ଦୁଇ ବର୍ଗର ଜନ ସମୁଦାୟକୁ ଚଳିତ ପଞ୍ଚାୟତ ନିର୍ବାଚନାରେ ପ୍ରତାରିତ କରାଯାଇଛି । ଆଦିବାସୀମାନଙ୍କୁ ୨୩ଟି ଜିଲ୍ଲା ଓ ୧୯୫ଟି ବ୍ଲକ୍‌ରେ ସରପଞ୍ଚ ପଦବୀ ଓ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ଦିଆଯାଇ ନାହିଁ । ଓ.ବି.ସି. ବର୍ଗଙ୍କ ପ୍ରତି ଅବିଚାର କରାଯାଇଛି । ଓ.ବି.ସି. ସଂରକ୍ଷଣ ସଂକ୍ରାନ୍ତରେ ଆସନ୍ତା ୧୭ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ଶୁଣାଣି କରିବେ । ଯଦି ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କର ଓବିସି ବର୍ଗର ସାମ୍ବିଧାନିକ ଅଧିକାର ପ୍ରତି ସମ୍ବେଦନଶୀଳତା ଥାଆନ୍ତା, ତେବେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିକୁ ୧୭ ତାରିଖ ପରକୁ ଘୁଞ୍ଚାଇ ଦେଇ ପାରିଥାନ୍ତେ । କିନ୍ତୁ ତାହା ନ କରି ତରବରିଆ ଭାବରେ ବିଜ୍ଞପ୍ତି ଜାରି କରିବା ଦୁର୍ଭାଗ୍ୟଜନକ ।ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କହିଛନ୍ତି ।

ପଞ୍ଚାୟତ ନିର୍ବାଚନାରେ ତୃଣମୂଳ ସ୍ତରରେ ଗଣତନ୍ତ୍ର କ୍ରିୟାଶୀଳ ହୋଇଥାଏ । ପଞ୍ଚାୟତର ଲୋକମାନେ ସେମାନଙ୍କର ପ୍ରସଙ୍ଗ ସମସ୍ୟା ସବୁକୁ ନେଇ ନିର୍ବାଚନ ସମୟରେ ମତାମତକୁ ପ୍ରକାଶ କରିଥାଆନ୍ତି । ମାତ୍ର କୋଭିଡ ଆଳରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ଅତ୍ୟନ୍ତ ସଙ୍କୁଚିତ କରାଯାଇଛି । ନିର୍ବାଚନ ପ୍ରଚାର କାର୍ଯ୍ୟକୁ ସଙ୍କୁଚିତ କରାଯାଇଛି, ଯାହାକି ତୃଣମୂଳ ସ୍ତରରେ ଲୋକଙ୍କ ଗଣତାନ୍ତ୍ରିକ ଭାଗିଦାରିତା ପ୍ରତି ଉପହାସ ବୋଲି କଂଗ୍ରେସ କହିଛି ।

ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କର ସଖୀ କଣ୍ଢେଇ ହୁଅନ୍ତୁ ନାହିଁ । ନିରପେକ୍ଷ ରୁହନ୍ତୁ ବୋଲି କଂଗ୍ରେସ ଅନୁରୋଧ କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ, ମନୋଜ ମହାପାତ୍ର, ଚିନ୍ମୟ ଦାସ ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।