ରାଜ୍ୟରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ ପଞ୍ଚାୟତ ନିର୍ବାଚନ-୨୦୨୨ ପାଇଁ ଓଡିଶା ମୁଖ୍ୟ ନିର୍ବାଚନ କମିଶନର ତାରିଖ ତଥା ଆଚରଣ ବିଧି ଘୋଷଣା କରିଛନ୍ତି। ୫ଟି ପର୍ଯ୍ୟାୟରେ ଯଥା: ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ ଗ୍ରହଣ କରାଯିବ। କୋଭିଡ୍ ମାର୍ଗଦର୍ଶିକା କଡାକଡି ପାଳନ ମଧ୍ୟରେ ନିର୍ବାଚନ ପରିଚାଳନା କରାଯିବ।

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି । ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି । ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ଭୋଟ ଗଣତି ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପ୍ରଚାର ପାଇଁ ପଥପ୍ରାନ୍ତ ପଦଯାତ୍ରା, ବାଇକ ରାଲି ପାଇଁ ଅନୁମତି ନାହିଁ । ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ । ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀମାନେ ଘରକୁ ଘର ଯାଇ ପ୍ରଚାର କରିପାରିବେ । ଡବଲ ଡୋଜ୍ ଟିକା ବା ଆରଟିପିସିଆର ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ରହିଛି । ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟାଫର୍ମରେ ପଚାର କରିବେ ପ୍ରାର୍ଥୀ । ଭୋଟ ଗଣତି ପରେ ବିଜୟ ଶୋଭାଯାତ୍ରା କରାଯାଇ ପାରିବ ନାହିଁ । ତେବେ ଆଜିଠାରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।