ବିଜେପି ବିରୋଧୀ ମେଣ୍ଟ: ଯୋଗଦେବା ମୁଡରେ ନାହାନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଯୋଜନା କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ନେତାମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ପାଇଁ ଉଦ୍ୟମ କରୁଛନ୍ତି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅଲଗା ମୁଡରେ ଅଛନ୍ତି । ନିକଟରେ ତାଙ୍କୁ ନୀତୀଶ କୁମାର ଭେଟିବା ସହ ୨୦୨୪ ପୂର୍ବରୁ ବିଜେପି ବିରୋଧୀ ମେଣ୍ଟକୁ ସଶକ୍ତ କରିବା ସମ୍ପର୍କରେ ଆଲୋଚନା କରିଥିଲେ । କିନ୍ତୁ କେଜ୍ରିୱାଲ ବିଜେପି ବିରୋଧୀ ମେଣ୍ଟରେ ସାମିଲ ହେବା ମୁଡରେ ନଥିବା ସଙ୍କେତ ଦେଇଛନ୍ତି । ଏଥିସହ ତାଙ୍କ ଦଳ ଆପ ଏକାକୀ ୨୦୨୪ ସାଧାରଣ ନିର୍ବାଚନରେ ଲଢେ଼ଇ କରିବ ବୋଲି ମଧ୍ୟ ପରୋକ୍ଷରେ କହିଛନ୍ତି ।

ଦଳ ନିଜସ୍ୱ କାର୍ଯ୍ୟକ୍ରମ ଜରିଆରେ ସବୁ ପ୍ରକାରର ଲଢେ଼ଇ ପାଇଁ ପ୍ରସ୍ତୁତ ଥିବା କେଜ୍ରିୱାଲ କହିବା ପରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଛନ୍ତି । ଏହାର ଅର୍ଥ କେଜ୍ରିୱାଲ ଏଯାଏ ବିଜେପି ବିରୋଧୀ ମେଣ୍ଟରେ ସାମିଲ ହେବା ମୁଡରେ ନାହାନ୍ତି । ବିଜେପି ବିରୋଧୀ ମେଣ୍ଟ ବଦଳରେ କେଜ୍ରିୱାଲ ଦଳୀୟ ନେତାମାନଙ୍କୁ ୧୩୦ କୋଟି ଭାରତୀୟ ସହ ମେଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ।