ମା’ ବିମଳାଙ୍କ ପୀଠରେ ନାଚୁଥିଲେ ଦେବଦାସୀ

ମଦ, ମାଂସ, ମାଛ ଲାଗି କରୁଥିଲେ ତାନ୍ତ୍ରିକଗଣ

ମା’ଙ୍କ ଆରାଧନାର ଅଂଶବିଶେଷ ଥିଲା ଯୌନକ୍ରୀଡ଼ା…..

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଭିତରୁ ଗୋଟିଏ ହେଉଛନ୍ତି ଶ୍ରୀମନ୍ଦିର ବେଢ଼ାର ଦକ୍ଷିଣ-ପଶ୍ଚିମ କୋଣରେ ପ୍ରତିଷ୍ଠିତ ମା’ ବିମଳା । ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ଚକ୍ର ସୁଦର୍ଶନ ରତ୍ନ ସିଂହାସନରେ ପୂଜା ପାଉଥିଲେ ମଧ୍ୟ ତାନ୍ତ୍ରିକମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ମାତ୍ରେ ମା’ ବିମଳାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଋଷି ମାର୍କଣ୍ଡେୟଙ୍କ ରଚିତ ଦେବୀ ମାହାତ୍ମ୍ୟରେ ମା’ ବିମଳାଙ୍କ ଆରାଧନା ଲିଖିତ ଅଛି । ଆଦି ଶଙ୍କରାଚାର୍ଯ୍ୟ ଓ ପୁରୁଷୋତମ ରକ୍ଷିତ ମା’ ବିମଳାଙ୍କ ଆଶୀର୍ବାଦ ଭିକ୍ଷା କରିବା ପରେ ହିଁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ । ମା’ ବିମଳାଙ୍କ ମନ୍ଦିର ସାମ୍ନାରେ ପ୍ରତିଷ୍ଠିତ ରୋହିଣୀ କୁଣ୍ଡ । ରୋହିଣୀ କୁଣ୍ଡର ଜଳକୁ ଅତି ପବିତ୍ର କୁହାଯାଏ ।

ନବରାତ୍ରି ଅବସରରେ ମା’ ବିମଳାଙ୍କୁ ତାନ୍ତ୍ରିକ ମତେ ପୂଜା କରାଯାଏ । ପ୍ରତିପଦାଠାରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କୁ ଉପାସନା କରାଯାଏ । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ବଢ଼ାଯାଇଥିବା ପ୍ରସାଦ ମା’ ବିମଳାଙ୍କ ପୀଠକୁ ଆସିବା ପରେ ହିଁ ମହାପ୍ରସାଦ ନାମଧାରଣ କରିଥାଏ । ଏପରି ମହିମା ମଣ୍ଡନ କରିଥିବା ମା’ଙ୍କୁ ଗଜପତି ମହାରାଜା ଆରାଧନା କରିଥାନ୍ତି । କୁହାଯାଏ, ମା’ ବିମଳା ହିଁ ମା’ ମହିଷାସୁରମର୍ଦିନୀ । ଦୁର୍ଗାପୂଜା ସମୟରେ ମା’ ରକ୍ତମୁଖା ରହୁଥିବାରୁ ମହିଳାମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଏନା ।

ଇତିହାସ କହେ, ମା’ ବିମଳାଙ୍କ ମୂଳ ମନ୍ଦିର ଷଷ୍ଠ ଶତାବ୍ଦୀରେ ତିଆରି କରାଯାଇଥିଲା । ଆଜି ଯେଉଁ ମନ୍ଦିରକୁ ଆପଣମାନେ ଦେଖୁଛନ୍ତି; ତାକୁ ଗଙ୍ଗବଂଶର ରାଜା ନବମ ଶତାବ୍ଦୀରେ ନିର୍ମାଣ କରିଥିଲେ । ଜନଶ୍ରୁତି ଅନୁସାରେ ପ୍ରଥମ ଶ୍ରୀମନ୍ଦିରଟିକୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାର ଦେଖି ଗଙ୍ଗବଂଶ ରାଜା ନୂତନ ଶ୍ରୀମନ୍ଦିର ତୋଳାଇ ଥିଲେ । ମାଦଳାପାଞ୍ଜି କହୁଛି, ଶ୍ରୀମନ୍ଦିର ନିର୍ମାଣ କରାଯିବାର ବହୁପୂର୍ବରୁ ମା’ ବିମଳାଙ୍କ ମନ୍ଦିର ଥିଲା । ମନ୍ଦିରଟିକୁ ସୋମବଂଶୀ ରାଜା ତିଆରି କରିଥିଲେ ।

ଆଦି ଶଙ୍କରାଚାର୍ଯ୍ୟ ଅଷ୍ଟମ ଶତାବ୍ଦୀରେ ଶ୍ରୀକ୍ଷେତ୍ରକୁ ଆସି ଗୋବର୍ଦ୍ଧନ ମଠ ନିର୍ମାଣ କରିଥିଲେ । ଶଙ୍କରାଚାର୍ଯ୍ୟ ମା’ ବିମଳାଙ୍କୁ ପ୍ରତ୍ୟହ ଦର୍ଶନ କରୁଥିଲେ । ଅନ୍ୟ ଏକ ଶାସ୍ତ୍ରାନୁସାରେ, ପ୍ରାଚୀନ ଶ୍ରୀମନ୍ଦିରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ପୂଜା ପାଉଥିଲେ । ବେଢ଼ା ଭିତରେ ପୂଜା ପାଉଥିଲେ ମା’ ସରସ୍ୱତୀ, ମା’ ମହାଲକ୍ଷ୍ମୀ ଓ ମା’ ପାର୍ବତୀ । ତିନି ମହାଦେବୀଙ୍କ ଭିତରୁ ମା’ ପାର୍ବତୀ ହିଁ ପରେ ମା’ ବିମଳା ନାମଧାରଣ କରିଛନ୍ତି ।

ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଶକ୍ତି ଆରାଧନାର ପ୍ରାଧାନ୍ୟ ଥିଲା । ଶକ୍ତି ଆରାଧନା ପରେ ଶୈବ ଆରାଧନା ଓ ଶେଷରେ ବିଷ୍ଣୁ ଆରାଧନା ଚାଲିଛି । ଆଜି ଶ୍ରୀକ୍ଷେତ୍ରଟି ବୈଷ୍ଣବ ଧର୍ମର ପ୍ରାଣକେନ୍ଦ୍ର ପାଲଟିଛି ସତ; ମାତ୍ର ଶକ୍ତି ପୀଠର ଆରାଧନା ବନ୍ଦ ହୋଇନାହିଁ ।

ନବରାତ୍ରି ପୂଜା ତା’ର ଜ୍ୱଳନ୍ତ ଉଦାହରଣ । ଶକ୍ତି ଆରାଧନା କାଳରେ ତାନ୍ତ୍ରିକମାନେ ମା’ ବିମଳାଙ୍କ ପାଖରେ ମଦ ମାଂସ ମାଛ ସହିତ ଯାବତୀୟ ନିରାମିଷ ଖାଦ୍ୟ ସମର୍ପଣ କରୁଥିଲେ । ନବରାତ୍ରି ପୂଜା ସମୟରେ ମା’ ବିମଳାଙ୍କ ସାମ୍ନାରେ ଦେବଦାସୀ ନାଚ କରୁଥିବାର ପରମ୍ପରା ଥିଲା । ଏପରିକି ମା’ଙ୍କୁ ଖୁସି କରିବା ପାଇଁ ନବମୀ ପୂଜା ଶେଷରେ ତାନ୍ତ୍ରିକ ଓ ଦେବଦାସୀମାନେ ଯୌନକ୍ରୀଡ଼ା ପ୍ରଦର୍ଶନ କରୁଥିଲେ ।

ମହାରାଜା ନରସିଂହ ଦେବଙ୍କ ରାଜତ୍ୱ କାଳରେ ମା’ ବିମଳାଙ୍କ ନିକଟରେ ମଦ, ମାଂସ ଓ ମାଛ ଲାଗି ବନ୍ଦ କରାଗଲା । ମା’ଙ୍କ ସାମ୍ନାରେ ଯୌନକ୍ରୀଡ଼ା ପ୍ରଦର୍ଶନକୁ କୁତ୍ସିତ ପରମ୍ପରା କହି ମହାରାଜା ନରସିଂହ ଦେବ ସବୁଦିନ ପାଇଁ ବନ୍ଦ କରିଦେଲେ । ନରସିଂହ ଦେବଙ୍କ ରାଜତ୍ୱ ଶେଷ ହେବା ପରେ ଦେବୀଙ୍କ ପୂଜାକୁ ସାମାନ୍ୟ ବଦଳାଇ ଦିଆଗଲା । କେବଳ ସ୍ୱତନ୍ତ୍ର ପୂଜା ଅବସରରେ ମା’ଙ୍କ ପାଖରେ ମାଂସ ଓ ମାଛ ଲାଗି କରାଗଲା ଯାହା ଆଜି ପର୍ଯ୍ୟନ୍ତ ଚାଲିଛି । କୁହାଯାଏ, ମା’ଙ୍କ ପାଖରେ ଯୌନକ୍ରୀଡ଼ାକୁ ବନ୍ଦ କରିଦେବାରୁ ରାଜା ନରସିଂହ ଦେବଙ୍କ ବଂଶ ଲୋପ ପାଇଗଲା ।