ଅବକାରୀ ନୀତି ମାମଲାରେ ଆପ ବିଧାୟକଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତିକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଖୋଳତାଡ଼ ଜାରି ରହିଛି । ଏହି ଘଟଣାରେ ଇଡି ଦିଲ୍ଲୀର କ୍ଷମତାସୀନ ଆପର ବିଧାୟକ ଦୁର୍ଗେଶ ପାଠକଙ୍କୁ ଜେରା ଆରମ୍ଭ କରିଛି । ତାଙ୍କୁ ଇଡି ଅଫିସରେ ହାଜର ହେବାକୁ ନୋଟିସ କରାଯାଇଥିଲା । ଏହି ନୋଟିସ ଯୋଗୁ ବିଧାୟକ ପାଠକ ନିଜର ପକ୍ଷ ରଖିବାକୁ ଇଡି ଅଫିସରେ ହାଜର ହୋଇଛନ୍ତି । କିଛି ଦିନ ତଳେ ଅବକାରୀ ନୀତି ଦୁର୍ନୀତିର ଅଭିଯୁକ୍ତ ବିଜୟ ନାଏରଙ୍କ ମୁମ୍ବାଇ ସ୍ଥିତ ଘରେ ଇଡି ରେଡ କରିବା ବେଳେ ଆପ ବିଧାୟକ ଦୁର୍ଗେଶ ପାଠକ ଉପସ୍ଥିତ ଥିଲେ । ଏବେ ଡିଜିଟାଲ ପ୍ରମାଣ ଓ ବିଜୟ ନାଏରଙ୍କ ସହ ତାଙ୍କର କି ଭଳି ସମ୍ପର୍କ ରହିଛି, ସେକଥା ଜାଣିବା ପାଇଁ ଇଡି ତାଙ୍କୁ ସମନ କରିଛନ୍ତି । ଏବେ ସେ ହାଜର ହେବାରୁ ତାଙ୍କୁ ଇଡିର ଅଧିକାରୀମାନେ ସେ ବିଷୟରେ ପଚରାଉଚରା କରୁଛନ୍ତି ।

ଅନ୍ୟପକ୍ଷରେ ଆପ ବିଧାୟକ ପାଠକଙ୍କୁ ଜେରା କରାଯିବା ଘଟଣାକୁ ସହଜରେ ହଜମ କରିପାରି ନାହାନ୍ତି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେ ଇଡିର ସମନ ପଛରେ ବିଜେପିର ହାତ ଥିବା କହିଛନ୍ତି । ସେ କହିଛନ୍ତି ଯେ ପାଠକ ନୂଆ ଅବକାରୀ ନୀତି ତିଆରି ହେବାର ଅଂଶବିଶେଷ ନଥିଲେ । ଆଗକୁ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନର ନିର୍ବାଚନ ଥିବାରୁ ରାଜନୀତିକ ଉଦ୍ଦେଶ୍ୟ ରଖି ବିଧାୟକ ପାଠକଙ୍କୁ ସମନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।