ଶସ୍ତା ତେଲ ଭାରତକୁ ଦେଇଛି ୩୫ ହଜାର କୋଟିର ଲାଭ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଯୋଗୁ ଭାରତ ୩୫ ହଜାର କୋଟି ଟଙ୍କାର ଲାଭ ପାଇଛି । ରିହାତି ଦରରେ ଭାରତ ସରକାର ରୁଷ ଠାରୁ ତୈଳ କିଣିବାରୁ ୩୫ ହଜାର କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି । ରୁଷ ପଡେ଼ାଶୀ ୟୁକ୍ରେନ ସହ ଯୁଦ୍ଧ କରିବାରୁ ବିଭିନ୍ନ ରାଷ୍ଟ୍ର ମସ୍କୋ ଉପରେ କଟକଣା ଲଗାଇଥିଲେ । ଏଥିଯୋଗୁ ରୁଷର ଅଶୋଧିତ ତୈଳକୁ ପୂର୍ବରୁ କିଣୁଥିବା ଦେଶଗୁଡ଼ିକ ପଛଘୁଞ୍ଚା ଦେବା ଆରମ୍ଭ କରିଥିଲେ । ଏହାର ଫାଇଦା ଉଠାଇବା ପାଇଁ ରୁଷ ସହ ଭାରତ ସରକାର ବୁଝାମଣା କରିଥିଲେ । ଯୋଜନା ଅନୁସାରେ ଭାରତ ସରକାର ରୁଷ ଠାରୁ ଅଶୋଧିତ ତୈଳ ଆମଦାନୀ ଆରମ୍ଭ କରିଥିଲେ । କର୍ମସ ବିଭାଗର ତଥ୍ୟ ଅନୁସାରେ, ଏପ୍ରିଲ-ଜୁଲାଇ ମଧ୍ୟରେ ରୁଷରୁ ଭାରତର ମିନରାଲ ତୈଳ ଆମଦାନୀ ପ୍ରାୟ ୮ଗୁଣ ବଢ଼ି ୧୧.୨ ବିଲୟନ ଡଲାରରେ ପହଞ୍ଚିଥିଲା ।

ଗତବର୍ଷ ସମାନ ସମୟରେ ଏହା ୧.୩ ବଲିୟନ ଡଲାର ଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତ ସରକାର ଯେତେବେଳେ ରୁଷ ଠାରୁ ଅଶୋଧିତ ତୈଳା ଆମଦାନୀ କରିବାକୁ ନିଷ୍ପତ୍ତି ନେଲେ ଏହା ୧୨ ବିଲିୟନ ଡଲାର ଛୁଇଁଥିଲା । ଗତବର୍ଷ ରୁଷ ଠାରୁ ମାତ୍ର ୧.୫ ବିଲିୟନ ଡଲାରର ତୈଳ ଆମଦାନୀ ହୋଇଥିଲା । ଏହି ୧୨ ବିଲିୟନ ଡଲାର ଆମଦାନୀ ମଧ୍ୟରୁ କେବଳ ୭ ବିଲିୟନର ଡଲାରର ଆମଦାନୀ ଜୁନ ଓ ଜୁଲାଇରେ ହୋଇଛି । ୨୦୨୦ରେ ମଧ୍ୟ ତୈଳ ମାର୍କେଟରେ ମୂଲଚାଲ କରି ଭାରତ ବେଶ ଆର୍ଥିକ ଲାଭ ପାଇଥିଲା । ୨୦୨୦ରେ ମହାମାରୀ ଯୋଗୁ ପୂରା ବିଶ୍ୱ ଠପ ହୋଇ ଯାଇଥିଲା । ତୈଳର ଚାହିଦା କମି ଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମୂଲଚାଲ ଆରମ୍ଭ କରିଥିଲେ । ବେଶ ଯୋଜନାବଦ୍ଧ ରଣନୀତି ଅନୁଯାୟୀ ସରକାର ଶସ୍ତାରେ ତେଲ କିଣିବା ସହ ଏହାକୁ ବିଭିନ୍ନ ଭଣ୍ଡାର ଓ ଶିପରେ ଗଚ୍ଛିିତ କରି ରଖିଥିଲେ । ଏଥିଯୋଗୁ ସରକାର ୨୫ ହଜାର କୋଟି ଟଙ୍କାର ଲାଭ ପାଇଥିଲେ ।