ମୋଦୀଙ୍କୁ ଡରାଇଲାଣି ଆପ୍‌ ଅଭ୍ୟୁଦୟ

ଝୁଲାଇ ଦେଲେ ଦିଲ୍ଲୀ ମେୟର ନିର୍ବାଚନ

ଦିଲ୍ଲୀ ମେୟର ନିର୍ବାଚନକୁ ଜାଣିଶୁଣି …..

ନୂଆଦିଲ୍ଲୀ: ଦିଲ୍ଲୀ ମେୟର ନିର୍ବାଚନକୁ ଜାଣିଶୁଣି ଗଡ଼ାଇ ଚାଲିଛି ବିଜେପି । ବିଶେଷ କରି ଆପ୍‌ ଜାତୀୟ ଦଳ ମାନ୍ୟତା ପାଇବା ପରଠାରୁ ବିଜେପି ମନରେ ଛନକା ପଶିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ କରି ଜାଣି ସାରିଲେଣି ଯେ ୨୦୨୪ ଲୋକସଭା ନିର୍ବାଚନ ଜିତିବାର ସବୁ କଳାକୌଶଳକୁ ଭେଦ କରିବାର ଶକ୍ତି କେବଳ ଅରବିନ୍ଦ କେଜ୍ରିୱାଲଙ୍କର ଅଛି ।

କଂଗ୍ରେସ ମେଂଟକୁ ଦୁର୍ବଳ କରିବା ପରେ ବିଜେପି ମେଂଟ ନିଜକୁ ଏକଛତ୍ରବାଦୀ ଭାବୁଥିଲା । ମାତ୍ର ଆପ୍‌ ମେଂଟର ଅଭ୍ୟୁଦୟକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣ୍ଡକୁ ବୁଦ୍ଧି ଜୁଟୁନି । ତେଣୁ ଦିଲ୍ଲୀ ମେୟର ନିର୍ବାଚନରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରି ଦେଶବାସୀଙ୍କ ଦୃଷ୍ଟିରେ ଆପ୍‌କୁ ଖଳନାୟକ ଭାବେ ସଜାଇବା ଏବେ ମୋଦୀଙ୍କର ଆଉ ଏକ ଗୋଟିଚାଳନା ।

ମଙ୍ଗଳବାର ବିଜେପି ଓ ଆପ୍‌ ନବ ନିର୍ବାଚିତ ସଭ୍ୟମାନେ ମାଡ଼ପିଟ ଆଡ଼କୁ ଆଗଉଥିବା ଅନୁଭବ କରିବାରୁ ପ୍ରିଜାଇଡିଂ ଅଧିକାରୀ ମେୟର ନିର୍ବାଚନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରିଛନ୍ତି । ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନକୁ ଦେଢ଼ମାସ ବିତିଲାଣି । ମାତ୍ର ଦିଲ୍ଲୀ ପାଇଲାନି ନୂଆ ମେୟର । ମଙ୍ଗଳବାର ମେୟର ନିର୍ବାଚନ ଉଦ୍ଦେଶ୍ୟରେ ବିଜେପି ଓ ଆପ୍‌ର ନବ ନିର୍ବାଚିତ କର୍ପୋରେଟର୍‌ ଏକତ୍ରିତ ହୋଇଥିଲେ । ମାତ୍ର ପରସ୍ପର ନାରାବାଜି ଭିତରେ ବ୍ୟସ୍ତ ରହିବାରୁ ଆସନ୍ନ ଗଣ୍ଡଗୋଳ ଆଶଙ୍କା କରି ଗୃହ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରାଯାଇଛି । ଉଭୟ ଦଳର ନବନିର୍ବାଚିତ କର୍ପୋରେଟରମାନେ ଆପଣା ଜିଦରେ ଅଟଳ ରହି ନାରାବାଜି କରୁଥିଲେ ।
ହଟ୍ଟଗୋଳ ପୂର୍ବରୁ ପ୍ରିଜାଇଡିଂ ଅଧିକାରୀ ପ୍ରଥମେ ରାଜ୍ୟପାଳଙ୍କ ମନୋନୀତ ୧୦ ଜଣ ସଭ୍ୟଙ୍କୁ ଶପଥପାଠ କରାଇଥିଲେ । ତା’ପରେ ପରେ ସବୁ ନିର୍ବାଚିତ କର୍ପୋରେଟର ଶପଥ କରିଥିଲେ । ଆପ୍‌ କର୍ପୋରେଟରମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ ।

ପ୍ରିଜାଇଡିଂ ଅଧିକାରୀ ମେୟର ଓ ଡେପୁଟି ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ମାତ୍ରେ ଆପ୍‌ କର୍ପୋରେଟର ମୁକେଶ ଗୋୟଲ ମନୋନୀତ ସଭ୍ୟମାନଙ୍କର ଭୋଟ ଦେବାର ଅଧିକାରକୁ ପ୍ରତିବାଦ କରିଥିଲେ । ମନୋନୀତ ସଭ୍ୟମାନଙ୍କୁ ଗୃହ ବାହାରକୁ ପଠାଇ ଦିଆଯିବା ପରେ ମେୟର ଓ ଡେପୁଟି ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ଆପ୍‌ ଜିଦ୍‌ କରିଥିଲା ।