‘ବୈଜୟନ୍ତ ପଣ୍ଡା ବିଜେପି ପାଇଁ ଅଭିଶାପ’

ଭୁବନେଶ୍ୱର: ନବୀନବାବୁଙ୍କ ଗୁହାଳ ଛାଡ଼ିବା ପରଠାରୁ ବିଜେପି ଶରଣାଗତ ନେତା ବୈଜୟନ୍ତ ପଣ୍ଡା ଏକ ଅନାଲୋଚିତ ପ୍ରସଙ୍ଗ ହୋଇ ରହିଯାଇଛନ୍ତି । ତାଙ୍କଠାରୁ ରାଜ୍ୟବାସୀ କିଛି ଆଶା କରୁନାହାନ୍ତି । ସେ ବିଜେପିରେ ରହି ରାଜ୍ୟ ବାହାରେ କାମ କରନ୍ତୁ ବୋଲି ଆମ ଜନତା ଦଳ ନେତା ସୁନାକର ବାରିକ କହିଛନ୍ତି ।

ସେ ପୁନର୍ବାର କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କର ଦମ୍‌ ଥିଲେ, କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରେ ବିଜେଡିକୁ ପରାଜିତ କରିପାରିଥାନ୍ତେ । ବାବୁ ବୈଜୟନ୍ତ ଦଳର ଧର୍ମରକ୍ଷା କରି ବିଜେପି ପ୍ରତି ଆପଣା କର୍ତବ୍ୟ କରିଛନ୍ତି । ମାତ୍ର ପ୍ରକୃତରେ ଦେଖିବାକୁ ଗଲେ, ଆଜି ଯଦି ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି; ତା’ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରହିଛି । ବିଜେଡି ଟିକେଟ୍‌ ବଳରେ କେନ୍ଦ୍ରାପଡ଼ା ସାଂସଦ ହୋଇ ବିଜେଡି ଗୁଣ ଗାଉଥିଲେ ।

ବିଜେଡିରୁ ତଡ଼ା ଖାଇଲା ପରେ ବ୍ୟବସାୟକୁ ସୁରକ୍ଷିତ ରଖିବା ପାଇଁ ବିଜେପି ଶରଣ ନେଇଛନ୍ତି । ବିଜେଡିରୁ ତଡ଼ା ଖାଇଲା ପରେ ରାଜ୍ୟସାରା ବୁଲିବୁଲି ଚା’ ଦୋକାନରୁ ଚା’ ପିଇଦେଲେ କେହି ଲୋକପ୍ରିୟ ହୋଇଯିବେନି । ବିଜେପି ପାଇଁ ବୈଜୟନ୍ତ ପଣ୍ଡା ଆଶୀର୍ବାଦ ନୁହନ୍ତି ବରଂ ଅଭିଶାପ । ଓଡ଼ିଶାର କୌଣସି ବିଧାନସଭା କି ଲୋକସଭା ଆସନରୁ ଜିତିବାର କାଟ୍‌ତି ତାଙ୍କ ପାଖରେ ନାହିଁ ।

ରାଜଭବନ ଆଗରେ ବୈଜୟନ୍ତ ବାବୁ କହିଛନ୍ତି, ନବଦାସଙ୍କୁ ହତ୍ୟା ପାଇଁ କିଏ ଆଦେଶ ଦେଇଛି, କିଏ ଷଡ଼ଯନ୍ତ୍ର କରିଛି, ତାହା ସାମ୍ନାକୁ ଆସୁନି । ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ନେଇ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି । ସତ୍ୟ ସାମ୍ନାକୁ ଆସିବା ଦରକାର । ଷଡ଼ଯନ୍ତ୍ରକାରୀଙ୍କ ଗିରଫଦାରି କରାଯିବା ଦରକାର । ମୁଖ୍ୟମନ୍ତ୍ରୀ ଶାସନ କରୁ ନଥିବା ସ୍ପଷ୍ଟ ହୋଇଗଲାଣି ଇତ୍ୟାଦି ଇତ୍ୟାଦି ।
ବୈଜୟନ୍ତ୍ର ପଣ୍ଡାଙ୍କ ଭାଷଣର ପ୍ରତିଟି ବାକ୍ୟରେ ନବୀନବାବୁଙ୍କ ପ୍ରତି ଅଭିମାନ ଫୁଟିଉଠିଛି । କୌଣସି ବାକ୍ୟରେ ବିଜେଡି ମୁଖିଆ ନବୀନବାବୁଙ୍କ ନାମ ଉଚ୍ଚାରଣ କରିନାହାନ୍ତି ।