ଛାତ୍ର ସଂସଦ ନିର୍ବାଚନ ନହେଲେ ଭଲ: ଆରପିଡି

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ହୁଅନ୍ତୁ କି ମୋ ସରକାର ହୁଅନ୍ତୁ କି ଫାଇଭ-ଟି ସରକାର ଏଡାଇ ଯାଇଥିବାରୁ ରାଷ୍ଟ୍ରୀୟ ପରିବର୍ତନ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପଛରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଯାହା ଥାଉନା କାହିଁକି, ଶିକ୍ଷା ବାତାବରଣକୁ ନିର୍ବାଚନ ଭଳି ଏକ କଳୁଷିତ ପରିବେଶଠାରୁ ଦୂରରେ ରଖାଯିବା ଉଚିତ ବୋଲି ଆରପିଡି ନେତା ରବିନ୍ଦ୍ର ସେଠୀ କହିଛନ୍ତି ।

ଅତୀତରେ ଛାତ୍ର ସଂସଦ ନିର୍ବାଚନ ପରବର୍ତୀ ହିଂସାକାଣ୍ଡ କେତେ ଭୟଙ୍କର ରୂପ ନେଇଛି; ତାହା ବିଷୟରେ ରାଜ୍ୟ ସରକାର ଓ ସାଧାରଣ ଜନତା ଅବଗତ ଅଛନ୍ତି । ବିଶେଷ କରି ବିଭିନ୍ନ ରାଜନୈତିକ ଦଳ ପୃଷ୍ଠପୋଷକତାରେ ଚାଲିଥିବା ଛାତ୍ର ସଂସଦ ନିର୍ବାଚନ କ୍ରମେ କଳୁଷିତ ବାତାବରଣକୁ ଆମନ୍ତ୍ରଣ କରୁଛି ।

ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦରେ ବହୁ ଛାତ୍ର ସଂଗଠନ ଏକଜୁଟ ହୋଇଛନ୍ତି । କିଛି ଛାତ୍ର ସଂଗଠନ ବିଜେଡିର ପରିବାରବାଦ ରାଜନୀତିକୁ ପ୍ରମୁଖ କାରଣ ରୂପେ ଦର୍ଶାଉଛନ୍ତି, ମାତ୍ର ତାହା ବାସ୍ତବ ସତ୍ୟ ନୁହେଁ ।

ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ମାସ କେଇଟା ଅଛି; ତା’ ଭିତରେ ଛାତ୍ର ସଂସଦ ନିର୍ବାଚନ ସମ୍ଭବ ନୁହେଁ ବୋଲି ବିଜେଡିର ଗୋଟିଏ ଗୋଷ୍ଠୀ ଯୁକ୍ତି କରୁଛନ୍ତି ।

କଲେଜ ରାଜନୀତି ଭିତରକୁ କୌଣସି ରାଜନୈତିକ ଦଳ ନପଶିବା ଉଚିତ । ମାତ୍ର ତାହା ଅସମ୍ଭବ କାରଣ ଏବିଭିପି, ଏସୟୁସିଆଇ ଭଳି ବହୁ ସଂଗଠନର ପୃଷ୍ଠପୋଷକ ସାଜିଛନ୍ତି ବହୁ ରାଜନୈତିକ ଦଳ । ରାଜ୍ୟ ରାଜନୀତିକୁ ଚଲାଇବାକୁ ହେଲେ, ମହାବିଦ୍ୟାଳୟ ଅବା ବିଶ୍ୱବିଦ୍ୟାଳୟରୁ କିଛି ବଳି ଛାଗଳ ସଂଗ୍ରହ କରାଯିବା ଦରକାର । ତା’ ନହେଲେ ରାଜନୀତି ଯଜ୍ଞରେ ବଳି ପଡ଼ିବାକୁ ଛେଳି ଅଣାଯିବ କୁଆଡୁ?
ବୁଦ୍ଧିମାନ ଛାତ୍ରମାନେ ଛାତ୍ର ସଂସଦ ନିର୍ବାଚନକୁ ଅଲବିଦା କହିବା ଦରକାର ବୋଲି ଆରପିଡି ମତାମତ ପ୍ରଦାନ କରିଛି ।