ବିଜେଡି ଇତିହାସରେ ପ୍ରଥମଥର ପ୍ରଶ୍ନବାଚୀ ସୃଷ୍ଟି

ଦଳର ବରିଷ୍ଠ ବିଜେଡି ନେତାମାନଙ୍କ ସମେତ ରାଜନୀତିକ ସମୀକ୍ଷକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି

ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ସମାରୋହରେ ନିରବ ରହିଲେ ନବୀନ: ଦଳରେ ଆଲୋଡ଼ନ, କର୍ମୀ ନିରାଶ

ପ୍ରତିବର୍ଷ ଭଳି ଦଳ ନିର୍ବାଚନମଣ୍ଡଳୀସ୍ତରରେ ପ୍ରତିଷ୍ଠା ଦିବସ ପାଳିଲା । ଶାସକ ବିଜେଡିକୁ ୨୬ପୁରି ୨୭ଚାଲିଲା । କିନ୍ତୁ ନିର୍ବାଚନୀ ବର୍ଷରେ ଦଳର ଲକ୍ଷ ଲକ୍ଷ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ କୌଣସି ସନ୍ଦେଶ ଦେଲେନି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଇତିହାସରେ ପ୍ରଥମଥର ପାଇଁ ନବୀନ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇନାହାନ୍ତି କିମ୍ବା ଦଳୀୟ କର୍ମୀଙ୍କ ନିମନ୍ତେ କୌଣସି ସନ୍ଦେଶ ଦେଇନାହାନ୍ତି ।

ନବୀନଙ୍କ ନିରବତା ଏବେ ଦଳୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଗୋଷ୍ଠୀକନ୍ଦଳରେ ଲିପ୍ତ ନେତାମାନଙ୍କଠୁ ମୁହଁ ଫେରାଇଥିବା କର୍ମୀମାନଙ୍କୁ ମଧ୍ୟ ନିରାଶ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇନଥିଲେ ନବୀନ । କେବଳ ବିଜୁ ପଟ୍ଟନାୟକ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରି ସେ ନିଜ ବାସଭବନକୁ ଫେରି ଯାଇଥିଲେ । ପ୍ରଥମଥର ପାଇଁ ଦଳର ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋଙ୍କ ନିରବତା ଦଳର ବରିଷ୍ଠ ବିଜେଡି ନେତାମାନଙ୍କ ସମେତ ରାଜନୀତିକ ସମୀକ୍ଷକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଦଳର ପ୍ରତିଷ୍ଠା ଦିବସରେ ଯଦି ସୁପ୍ରିମୋ ନିରବ ରହିବେ, ତା’ହେଲେ ଲକ୍ଷଲକ୍ଷ କର୍ମୀ କାହାକୁ ଭରସା କରି ସାଂଗଠନିକ କାର୍ଯ୍ୟ ଆଗେଇନେବେ ବା ଦଳକୁ ସୁଦୃଢ଼ ପାଇଁ ଉତ୍ସାହିତ ହେବେ ତାହା ଏବେ ବିଜେଡି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏବେ ଆଉ ୩ମାସ ପରେ ଦଳ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛି । ନେତାମାନଙ୍କ ମଧ୍ୟରେ ଏଭଳି ଛକାପଞ୍ଝା ଭିତରେ ନପଶି ନବୀନଙ୍କ ଉପରେ ଭରସା କରି ଲକ୍ଷଲକ୍ଷ କର୍ମୀ ଦଳରେ ପଡ଼ିରହିଛନ୍ତି ଓ ସଂଗଠନକୁ ସୁଦୃଢ଼ କରିବା କାର୍ଯ୍ୟ ତୃଣମୂଳସ୍ତରରେ ଜାରି ରଖିଛନ୍ତି। ଯଦିଓ ଦଳର କର୍ମୀ ଓ ନେତାମାନେ ଉଭୟ ନବୀନ ଓ ତାଙ୍କ ଖାସ୍ ସହଯୋଗୀ ଭିକେ ପାଣ୍ଡିଆନଙ୍କ ନେତୃତ୍ୱକୁ ଗ୍ରହଣ କରୁଛନ୍ତି ମାତ୍ର ଆଗାମୀ ନିର୍ବାଚନରେ ବିଜେପି ଓ କଂଗ୍ରେସ ପ୍ରତି ଦଳ କେଉଁ ଆଭିମୁଖ୍ୟ ଗ୍ରହଣ କରିବ ତାହା ଦଳର ପ୍ରତିଷ୍ଠା ଦିବସରେ ନବୀନ ସ୍ପଷ୍ଟ କରିବେ ବୋଲି ଭାବିଥିବା କର୍ମୀମାନଙ୍କୁ ଏବେ ନିରାଶ ହେବାକୁ ପଡ଼ିଛି ।

ଅନ୍ୟପକ୍ଷରେ ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ ମାନେ କହିଛନ୍ତି ଯେ, ଦଳର ପ୍ରତିଷ୍ଠା ଦିବସରେ ଦଳର ସଭାପତି ନିଜେ ନିରବ ରହିବା ଓ କର୍ମୀଙ୍କ ପାଇଁ କୌଣସି ସନ୍ଦେଶ ନଦେବା ତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ନିଜର ପ୍ରତିଷ୍ଠା ଦିବସରେ ସଭାପତିଙ୍କଠୁ କିଛିନା କିଛି ସନ୍ଦେଶ ପାଇବାକୁ କର୍ମୀମାନେ ଆଶା ରଖିବା ସ୍ୱାଭାବିକ କଥା । ପ୍ରଥମଥର ପାଇଁ ନବୀନ ଏଭଳି ନିରବ ରହିଛନ୍ତି । ବୋଧହୁଏ ସେ ନିଜେ ପ୍ରମୁଖ ଭୂମିକାରୁ ଓହରି ଅନ୍ୟମାନଙ୍କୁ ଆଗକୁ ଆଣିବା(ପ୍ରମୁଖ ଦାୟିତ୍ୱ) ନିମନ୍ତେ ଏଭଳି କରିଥାଇପାରନ୍ତି ବୋଲି ସେ କହିଛନ୍ତି । ଚର୍ଚ୍ଚା ହେଉଛି, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି କେଉଁ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି ।