ଯାହା ସତ୍ ଅଟେ, ତାହାର କେବେ ଅଭାବ ହୋଇପାରିବ ନାହିଁ; ଯାହା ଅସତ୍ ଅଟେ ତାହାର କେବେ ଅସ୍ତିତ୍ୱ ହିଁ ନ ଥାଏ..

ବର୍ତ୍ତମାନ ଦେଖିବା, ଅନିତ୍ୟ ବସ୍ତୁ ଯାହାର ପୂର୍ବରୁ ସତ୍ତା ନ ଥିଲା, ଭବିଷ୍ୟତରେ ରହିବ ନାହିଁ କିନ୍ତୁ ବର୍ତ୍ତମାନ ତାହାର ସତ୍ତା ଅଛି, ସେହି ସତ୍ତା ତାହାର ନିଜର ଅଟେ ଅଥବା କେଉଁଠୁ ବାହାରୁ ଆସିଛି ? ଗୀତାରେ ଭଗବାନ କହିଛନ୍ତି:
ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ। ଉଭୟୋରପି ଦୃଷ୍ଟୋଽନ୍ତସ୍ତ୍ୱନୟୋସ୍ତତ୍ତ୍ୱ ଦର୍ଶିଭିଃ -୨/୧୬ ଗୀତା

ଯାହା ସତ୍ ଅଟେ, ତାହାର କେବେ ଅଭାବ ହୋଇପାରିବ ନାହିଁ ଏବଂ ଯାହା ଅସତ୍ ଅଟେ ତାହାର କେବେ ଅସ୍ତିତ୍ୱ ହିଁ ନ ଥାଏ। ଅସତ୍ ଅର୍ଥ ଯାହା ସତ୍ ନୁହେଁ – ଅସତଃ ଭାବୋ ନ ବିଦ୍ୟତେ। ଆମର ଶରୀର ଓ ଦୁନିଆର ପ୍ରତ୍ୟେକ ବସ୍ତୁ ଯାହା ବର୍ତ୍ତମାନ ଆମକୁ ଦେଖାଯାଉଛି, ତାହାକୁ ସତ୍ କୁହାଯିବ କି ? ସତ୍ ବସ୍ତୁର ତ କେବେ ଅଭାବ ହୋଇପାରିବ ନାହିଁ ଏବଂ ଏହି ସବୁଗୁଡିକର ଅଭାବ ହେବା ଦେଖାଯାଉଛି। ଅସତ୍ ମଧ୍ଯ କହିପାରିବା ନାହିଁ କାରଣ ବର୍ତ୍ତମାନ ତାହାର ଅସ୍ତିତ୍ୱ ଜଣାଯାଉଛି। ଭଗବାନ ଦୁଇଟି ହିଁ ଜିନିଷ ସୃଷ୍ଟି କରିଛନ୍ତି – ସତ୍ ଓ ଅସତ୍। କିଛି ଲୋକ ଶଙ୍କରାଚାର୍ଯ୍ୟଙ୍କୁ ପଚାରିଲେ ଯେ ଏହି ଶରୀରକୁ ଆପଣ କେଉଁ ଶ୍ରେଣୀଭୁକ୍ତ କରିବେ ? ତେଣୁ ସେ ଏକ ତୃତୀୟ ଶ୍ରେଣୀ ସୃଷ୍ଟି କଲେ ଓ ତାହାର ନାମ ରଖିଲେ – ମିଥ୍ୟା। ମିଥ୍ୟା ଅର୍ଥ ପ୍ରତୀତି ଅଟେ କିନ୍ତୁ ସତ୍ତା ନୁହେଁ।
ଆମକୁ ଅନିତ୍ୟତା କେବଳ ଦେଖିବାର ନାହିଁ, ତା ଉପରେ ବିଚାର କରିବାର ଅଛି। ତେଣୁ ତ ଗୁରୁଙ୍କର ଆବଶ୍ୟକତା ଅଛି।‌ ଅନିତ୍ୟ ବସ୍ତୁର ସ୍ୱରୂପ କଣ ହୋଇପାରେ ? ତାହାର ତ ସତ୍ତା ହିଁ ନାହିଁ। ତେଣୁ ସତ୍ତା ତାହାର ସ୍ୱରୂପ ହୋଇପାରିବ ନାହିଁ।

ସ୍ୱରୂପ କାହାକୁ କହନ୍ତି ? ଅହେୟମ୍ ଅନୁପାଦେୟଂ ଯତ୍ ତତ୍ ସ୍ୱରୂପମ୍– ଯାହାକୁ ଛାଡିହେବ ନାହିଁ, ଯାହାକୁ ବାହାରୁ ଆଣିହେବ ନାହିଁ, ତାହା ସ୍ୱରୂପ ଅଟେ। ଯେପରି ଅଗ୍ନିରେ ଉଷ୍ଣତା ବାହାରୁ କେଉଁଠୁ ଆସେ ନାହିଁ କିମ୍ବା ଅଗ୍ନି ତାକୁ ଛାଡିପାରିବ ନାହିଁ। ଉଷ୍ଣତା ଅଗ୍ନିର ସ୍ୱରୂପ ଅଟେ। ଚିନିରେ ମିଠାପଣ ବାହାରୁ କେଉଁଠୁ ଆସିନାହିଁ କି ଚିନି ନିଜର ମିଠାପଣକୁ ଚାହିଁଲେ ମଧ୍ଯ ଛାଡିପାରିବ ନାହିଁ। ତେଣୁ ମିଠା ଚିନିର ସ୍ୱରୂପ ଅଟେ। ଆମେ ତରକାରୀ ରାନ୍ଧିଲେ ଓ ସେଥିରେ ଲୁଣ ପକାଇଲେ। ତେବେ ତରକାରୀରେ ଯେଉଁ ଲୁଣିପଣ ଅଛି,ତାହା ତରକାରୀର ନିଜର ନୁହେଁ, ଆଗନ୍ତୁକ ଅଟେ। ତାହା ଲୁଣରୁ ଆସିଛି। ଜଳ ଗରମ ଲାଗୁଛି କିନ୍ତୁ ସେଥିରେ ଯେଉଁ ଉଷ୍ଣତା ଅଛି, ତାହା ଆଗନ୍ତୁକ ଅଟେ। ଅଗ୍ନିର ସଂସର୍ଗରେ ତାହା ଆସିଛି। ବାହାରୁ ଆସିଥିବା ବସ୍ତୁ ଆସେ ଓ ଚାଲିଯାଏ ମଧ୍ଯ। ସେଥିରେ ଗ୍ରହଣ ଓ ତ୍ୟାଗ ଦୁଇଟିଯାକ ଥାଏ। ଏହିପରି ଜିନିଷ ବସ୍ତୁର ନିଜର ସ୍ୱରୂପ ହୋଇପାରେନା।

ସେହିପରି ମୋର ଶରୀରରେ ଯଦି ତାହାର ନିଜର ସତ୍ତା ଥାଆନ୍ତା, ତେବେ ତାହାର ଅସ୍ତିତ୍ୱ କେବେ ନଷ୍ଟ ହୁଅନ୍ତା ନାହିଁ। ମୋ ଶରୀରରେ ଯେଉଁ ସତ୍ତା ଦେଖାଯାଉଛି, ଏଥିରେ ଯେଉଁ ‘ଅଛି’ ର ଭାବ ଅଛି,ତାହା କେଉଁଠାରୁ ଆସିଲା ? ଶରୀରରେ ଯେଉଁ ସତ୍ତା ଦେଖାଯାଉଛି, ତାହା ଆଗନ୍ତୁକ ଅଟେ।
ବାହାରୁ ଆସିଛି, ତେଣୁ ଚାଲିଯାଉଛି ମଧ୍ୟ। ଯଦି ତାହାର ନିଜର ହୋଇଥାନ୍ତା, ତେବେ ତ ସ୍ଥିତ ରହନ୍ତା। ଏହି ନିର୍ଣ୍ଣୟ ବିଶ୍ବର ସମସ୍ତ ପଦାର୍ଥ, ସମସ୍ତ ଭୂତ, ସମସ୍ତ ଜୀବ, ସମସ୍ତ ଦେବତା, ପରିସ୍ଥିତି ଓ ସାରା ଜଗତ ପ୍ରତି ଲାଗୁ ହୁଏ। ପୃଥିବୀ ମଧ୍ଯ ଆମକୁ ସତ୍ ଲାଗେ କିନ୍ତୁ ତାହାର ସତ୍ତା ତାହାର ନିଜର ନୁହେଁ। ଅନ୍ୟ କେଉଁଠାରୁ ଆସିଛି। ସତ୍ତା କେଉଁଠାରେ ଅଛି, କେଉଁଠୁ ଆସେ ? କୁହାଯାଇଛି – ନିତ୍ୟ ବ୍ରହ୍ମ। ବ୍ରହ୍ମରୁ ଆସେ ଦୁନିଆ ନିକଟକୁ ଏବଂ ଦୁନିଆକୁ ସତ୍ୟ ପରି କରିଦିଏ। ଧ୍ୟାନ ଦିଅନ୍ତୁ ଯେ ସତ୍ୟ ପରି କରେ, ସତ୍ୟ କରେ ନାହିଁ।

ଗୋସ୍ଵାମୀ ଜୀ ରାମଚରିତ ମାନସରେ ଭଗବାନ ରାମଙ୍କର ସ୍ତୁତି କରି କହିଛନ୍ତି – ଯତ୍ ସତ୍ୱାତ୍ ଅମୃଷୈବ ଭା ସକଳଂ ରଜ୍ଜୈ। ଯଥାହେଭ୍ରମଃ ଅର୍ଥାତ ଯାହାଙ୍କର ସତ୍ତାରେ ଦୁନିଆ ସତ୍ୟ ଲାଗୁଛି, ସେ ଶ୍ରୀରାମ ଅଟନ୍ତି। ଆମକୁ ଦୁନିଆର ବସ୍ତୁଗୁଡିକରେ ଆନନ୍ଦ ଆସେ। ଆନନ୍ଦ ଆସେ ଓ ଯାଏ ମଧ୍ୟ। ଗୋଟିଏ ବସ୍ତୁ କେବେ ପ୍ରିୟ ଲାଗେ ପୁଣି କେବେ ଅପ୍ରିୟ ମଧ୍ୟ ଲାଗେ। ବସ୍ତୁରେ ପ୍ରିୟତା ବା ଆନନ୍ଦ ନ ଥାଏ। ଯଦି ଥାଆନ୍ତା, ତେବେ ଯାଆନ୍ତା କାହିଁକି ? ତେବେ ଆନନ୍ଦ ଓ ପ୍ରିୟତା ଆସିଲା କେଉଁଠୁ? ସେହି ଆନନ୍ଦ ସ୍ୱରୂପ ବ୍ରହ୍ମଠାରୁ। ତାହାର ପ୍ରିୟତାରେ ହିଁ ଦୁନିଆ ପ୍ରିୟ ଲାଗୁଛି। ବସ୍ତୁରେ ପ୍ରିୟତା ତାହାର ନିଜର ହୋଇ ନ ଥାଏ। ଯଦି ହୋଇଥାନ୍ତା, ତେବେ ବସ୍ତୁକୁ ଛାଡି କୁଆଡେ ଯାଆନ୍ତା ନାହିଁ। ମୁଁ ବହୁତ ପସନ୍ଦ କରି ସୋଫାସେଟ କିଣି ଘରକୁ ଆଣିଲି। ପସନ୍ଦ କରିବାକୁ, ବାଛିବାକୁ ବହୁତ ପରିଶ୍ରମ କଲି। ପୁଣି ୫/୭ ବର୍ଷ ପରେ ମନ ସେଥିରୁ ହଟିଗଲା ଓ ତାକୁ ନେଇ ଗ୍ୟାରେଜରେ ରଖିଦେଲି। ଭାବିଲି, ବୃଦ୍ଧାଶ୍ରମରେ ନେଇ ଦାନ କରିଦେବି। ତେବେ ସୋଫା କିଣିବା ସମୟରେ ତାହା ଯେତେ ପ୍ରିୟ ଲାଗୁଥିଲା, ସେ ପ୍ରିୟତା ଗଲା କୁଆଡେ ? ତେଣୁ ଏହା ତ ନିଶ୍ଚିତ ଯେ ପ୍ରିୟତା ବସ୍ତୁର ସ୍ୱରୂପ ନୁହେଁ। କବୀର କହୁଛନ୍ତି – ଆଏ ଯାଏ ସୋ ମାୟା ଅର୍ଥାତ ଜୋ ନ ଆଏ ଯାଏ, ୱହ ବ୍ରହ୍ମ – ନିତ୍ୟ ବ୍ରହ୍ମ।

ବେଦାନ୍ତରେ ନିତ୍ୟ – ଅନିତ୍ୟର ବିଭାଗ ନାହିଁ। ବିଭାଗ ଅଛି ସତ୍ୟ ଓ ମିଥ୍ୟାର। ମିଥ୍ୟା ବସ୍ତୁ ସହିତ କୌଣସି ରାଗ-ଦ୍ଵେଷ ହୁଏ ନାହିଁ। ରାଗ-ଦ୍ଵେଷର ନିବୃତ୍ତି ଅନିତ୍ୟତାର ଜ୍ଞାନ ଦ୍ୱାରା ହୋଇପାରେନା। ରାଗ-ଦ୍ଵେଷର ନିବୃତ୍ତି ତ ସତ୍ୟ-ମିଥ୍ୟାର ଜ୍ଞାନ ଦ୍ୱାରା ହିଁ ହୁଏ। ଏହି ଦୁଇଟି ବିଷୟର ନିଶ୍ଚୟ ହୋଇଯିବା ପରେ ସାଧକର ମନ ଏକ ନିଶ୍ଚିତ ଚିତ୍ତଭୁମିକୁ ପ୍ରାପ୍ତ କରିନିଏ ଯେଉଁଠାରେ ଶାନ୍ତ ହେବାପାଇଁ କୌଣସି ଅଭ୍ୟାସର ଆବଶ୍ୟକ ନାହିଁ। ସିଧା ବସିବା ଦ୍ୱାରା, ଆସନ, ପ୍ରାଣାୟାମ, ଶ୍ୱାସ ଇତ୍ୟାଦି ସନ୍ତୁଳିତ କରିବାରେ ମନରେ ଯେଉଁ ଶାନ୍ତି ଅନୁଭୂତ ହୁଏ, ତାହାକୁ ନୈମିତ୍ତିକ ଶାନ୍ତି କୁହାଯାଏ।

ନିର୍ବ୍ୟାଜ ଶାନ୍ତାତ୍ମନା ବିମୃଶ୍ୟତା – ନିର୍ବ୍ୟାଜ ଅର୍ଥ ବିନା କୌଣସି ନିମିତ୍ତରେ, ସହଜ ରୂପରେ। ଏଠାରେ କୁହାଯାଏ, ଶାନ୍ତ ଚିତ୍ତର ସ୍ଵଭାଵ ହୋଇଗଲା। ଏହିପରି ଶାନ୍ତ ଚିତ୍ତ କଣ କରେ ? ବିମୃଶ୍ୟତା – ବିମର୍ଶ କରେ, ମନନ କରେ. ଏକ ଲୟରେ ଚିନ୍ତନ କରେ। ଚିନ୍ତନ-ମନନ ପାଇଁ ଚିତ୍ତରେ ଶାନ୍ତି ଥିବା ଆବଶ୍ୟକ। ଯେଉଁ ଚିତ୍ତରେ ଚିନ୍ତା ଥାଏ, ସେଥିରେ ଚିନ୍ତନ ହୁଏ ନାହିଁ। ତେଣୁ ଯାହାର ଜୀବନରେ ଅଧିକ ସମସ୍ୟା ଥାଏ, ତାହା ଜୀବନରେ ଚିନ୍ତନର ନ୍ୟୁନତା ଥାଏ। ସମସ୍ୟା ତ ସମସ୍ତଙ୍କର ଥାଏ କିନ୍ତୁ ଏକା ପରି ନ ଥାଏ। ଅଧିକାଂଶ ସମସ୍ୟା ଆମର ଦୋଷପୂର୍ଣ୍ଣ ବ୍ୟବହାର ଯୋଗୁଁ ହୋଇଥାଏ। ଯଦି ଆମର ବାଣୀ ରୁକ୍ଷ ହୁଏ,ତେବେ ଆମକୁ ତା ଠାରୁ ଅଧିକ ରୁକ୍ଷ ବାଣୀ ଶୁଣିବାକୁ ମିଳିବ। ବ୍ୟବହାର ଦୋଷ ଯୋଗୁଁ ଚିତ୍ତରେ ଯେଉଁ ଅଶାନ୍ତି ଜାତ ହୁଏ, ତା ଠାରୁ ଆମେ ରକ୍ଷା ପାଇପାରିବା। ପ୍ରାରବ୍ଧବଶ ଯଦି କିଛି ସମସ୍ୟା ଆସେ, ତେବେ ତାହା ଅଲଗା କିନ୍ତୁ ମୋର ବ୍ୟବହାର ଦ୍ୱାରା ଚିତ୍ତରେ ଅଶାନ୍ତି ନ ହେଉ, ସେଥିପାଇଁ ଆମର ବ୍ୟବହାର ସୁଧାରିବା ଆବଶ୍ୟକ। ନିଜର ବାଣୀକୁ ସୁଧାରିବା ଆବଶ୍ୟକ। ଏହିପରି ଅଭ୍ୟାସ କଲେ ନିର୍ବ୍ୟାଜ ଶାନ୍ତାତ୍ମନା ବିମୃଶ୍ୟତା ହେବ।

ଚିତ୍ତରେ ମନ୍ଥନ ହେଲା, ଜ୍ଞାନ ଜ୍ୟୋତି ପ୍ରଜ୍ଜ୍ଵଳିତ ହୋଇଗଲା। ଏହି ଜ୍ଞାନାଗ୍ନିରେ ହବନ କର. କାହାର ? ନିଜର ସଂଚିତ ଓ ଆଗାମୀ କର୍ମର। ସେମାନଙ୍କୁ ଜାଳି ଭସ୍ମ କରିଦିଅ। ନିର୍ବୀଜ କରିଦିଅ। ପ୍ରାରବ୍ଧର କଣ ହେବ ? ନିଜ ଶରୀରକୁ ପ୍ରାରବ୍ଧକୁ ସମର୍ପଣ କରିଦିଅ। ପ୍ରାରବ୍ଧାୟ ସମର୍ପିତଂ ସ୍ୱବପୁଃ।
ଏହି ଶ୍ଳୋକରେ ଶଙ୍କରାଚାର୍ଯ୍ଯ ପ୍ରଥମ ଧାଡିରେ ଜଗତର ବ୍ୟାଖ୍ୟା କଲେ। ଦ୍ଵିତୀୟ ଧାଡିରେ ବ୍ରହ୍ମର ନିରୂପଣ କଲେ। ତୃତୀୟ ଧାଡିରେ ସଞ୍ଚିତ ଓ କ୍ରିୟମାଣ କର୍ମର ନିଦାନ କଲେ ଓ ଚତୁର୍ଥ ଧାଡିରେ ପ୍ରାରବ୍ଧର ସମାଧାନ କରିଦେଲେ।