ଦୀର୍ଘ ୩୧ ଦିନ ଧରି ଚାଲିଥିବା ସତ୍ୟାଗ୍ରହକୁ ଆହୁରି ଶାଣିତ କରାଯିବ

ରାଜଧାନୀବାସିନ୍ଦାଙ୍କୁ ‘ଦୂଷିତ ପାଣି ଓ ଅଳିଆ ଆବର୍ଜନାର ଦୁର୍ଗନ୍ଧରୁ ମୁକ୍ତି ପାଇଁ’ ବିଜେପି ତରଫରୁ ଜାରୀ ସତ୍ୟାଗ୍ରହର ୩୧ ଦିନ

ସବୁଜ ସୁନ୍ଦର ମନ୍ଦିରମାଳିନୀ ସହର ଭୁବନେଶ୍ୱରକୁ ଆଜି ଅଳିଆ ଗଦାର ପାହାଡରେ ପରିଣତ କରିଛନ୍ତି ବିଜେଡି ସରକାର..

ଭୁବନେଶ୍ୱର: ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ସବୁଜ ସୁନ୍ଦର ମନ୍ଦିରମାଳିନୀ ସହର ଭୁବନେଶ୍ୱରକୁ ଆଜି ଅଳିଆ ଗଦାର ପାହାଡରେ ପରିଣତ କରିଛନ୍ତି ବିଜେଡି ସରକାର । ରୂପାନ୍ତରଣର ଡିଣ୍ଡିମ ପିଟୁଥିବା ବିଜେଡି ସରକାରର ଏହା ବାସ୍ତବ ଚିତ୍ର । ଦୀର୍ଘ ୨୩ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ଏହା ହେଉଛି ଅନ୍ୟତମ ପ୍ରମୁଖ ବିଫଳତା । ରାଜ୍ୟରେ “ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ”ର ଧଜିଆ ଉଡାଇଛି ବିଜୁ ଜନତା ଦଳ ସରକାର । ଦେଶର ଏକ ନମ୍ବର ସ୍ମାର୍ଟ ସିଟି ବୋଲି କହୁଥିବା ଶାସକ ବିଜେଡିର ବାହାସ୍ପୋଟ ଏହି କୃତ୍ରିମ ଅଳିଆ ଗଦାରୁ ସ୍ପଷ୍ଟ ହେଉଛି ।

ଭୁବନେଶ୍ୱରର ଦୁର୍ଗନ୍ଧମୟ ପରିବେଶ ଆଜି ଓଡିଶାକୁ ଦେଶ ତଥା ବାହାରେ ନିନ୍ଦିତ କରିଛି । ବିଜେଡି ସରକାର ଦୀର୍ଘବର୍ଷ ଶାସନରେ ରହି ବି ଭୁବନେଶ୍ୱରକୁ ଅଳିଆ ଓ ଆବର୍ଜନା ମୁକ୍ତ କରିବାରେ ସମର୍ଥ ନହେବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଏହା ଏକ ସାମାଜିକ ଅପରାଧ । ରାଜ୍ୟରେ ଗୋଟିଏ ନିର୍ଜିବ, ଅଯୋଗ୍ୟ, ନିଷ୍କ୍ରିୟ ଏବଂ ଅପାରଗ ସରକାରର ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ଦୃଶ୍ୟମାନ ହେଉନାହାନ୍ତି । ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁନାହାନ୍ତି । ଗଣତାନ୍ତ୍ରିକ, ସାମ୍ବିଧାନକ ବ୍ୟବସ୍ଥା ରାଜ୍ୟରେ ନାହିଁ । ସମ୍ବିଧାନ ଅନୁସାରେ ନୈତିକ ମୂଲ୍ୟବୋଧକୁ ରାଜ୍ୟ ସରକାର ବୁଝିବାରେ ଅକ୍ଷମ । ବିକାଶ ନାମରେ କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ହରିଲୁଟ୍ କରାଯାଉଛି । ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ, ସଂସ୍କୃତି ଆଦି ସଂକଟରେ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଇଚ୍ଛାଶକ୍ତି ନଥିବା ବିଜେଡି ସରକାରର ଶାସନରେ ରହିବାର କୈାଣସି ଅଧିକାର ନାହିଁ ।“ବିଜେଡିର ଅହଙ୍କାର ହାରିବ, ଲୋକଙ୍କ ଅଧିକାର ଜିତିବ” । ଦୀର୍ଘ ୩୧ଦିନ ଧରି ସତ୍ୟାଗ୍ରହ ଚାଲିଥିଲା । ଆଜିଠୁ ଘରକୁ ଘର ଯାଇ ସଚେତନତା ସୃଷ୍ଟି କରାଯିବା ସହିତ ବିଜେଡି ସରକାରର ଜନବିରୋଧୀ ଆଭିମୁଖ୍ୟ ପ୍ରସଙ୍ଗରେ ଅବଗତ କରାଯିବ । ବିଜେପି ଶାସନକୁ ଆସିଲେ ୭୨ ଘଂଟା ଭିତରେ ଅଳିଆ ଗଦା ସମସ୍ୟାର ସମାଧାନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଭୁବନେଶ୍ୱରବାସୀ ଆଜି ସରକାରୀ ପ୍ରାୟୋଜିତ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଗାଡକଣଠାରେ ଜନବସତି ମଧ୍ୟ ସ୍ଥଳରେ ରାଜ୍ୟ ସରକାର ତିଆରି କରିଛନ୍ତି “ବିଶାଳକାୟ ପୂତିଗନ୍ଧମୟ ଅଳିଆ ପାହାଡ” । ରାଜଧାନୀର ଆବର୍ଜନା ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିନାହାନ୍ତି ରାଜ୍ୟ ସରକାର । ଭୁବନେଶ୍ୱରବାସୀଙ୍କ ଦୁଃଖ ଓ ଦୁର୍ଦ୍ଦଶା ପ୍ରତି ରାଜ୍ୟ ସରକାର ଆଖି, କାନ, ନାକ ବନ୍ଦ କରିଦେଇଥିବାବେଳେ ମେୟର ବି ଲୋକଙ୍କୁ ଧମକାଉଛନ୍ତି । ସ୍ଥାନୀୟ ଜନସାଧାରଣମାନେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ରାଜଧାନୀବାସିନ୍ଦାଙ୍କୁ ‘ଦୁଷିତ ପାଣି ଓ ଅଳିଆ ଆବର୍ଜନାର ଦୁର୍ଗନ୍ଧରୁ ମୁକ୍ତି ପାଇଁ’ ଦୀର୍ଘ ୩୧ ଦିନ ଧରି ଜିଲ୍ଲା ବିଜେପି ତରଫରୁ ସତ୍ୟାଗ୍ରହ ଜାରୀ ରହିଥିଲା । ନିଦାବିଷ୍ଣୁ ସାଜିଥିବା ବିଜେଡି ସରକାର ତଥା ବିଏମସି କର୍ତୃପକ୍ଷ ରାଜଧାନୀବାସିନ୍ଦାଙ୍କ ସମସ୍ୟାକୁ କର୍ଣ୍ଣପାତ କଲେ ନାହିଁ । ‘ସଂଗ୍ରାମ ସରି ନାହିଁ, ସଂଗ୍ରାମୀ ହାରେ ନାହିଁ’ । ସତ୍ୟାଗ୍ରହରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତା ଓ ଜନସାଧାରଣଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିବା ସହିତ ରାଜଧାନୀବାସିନ୍ଦାଙ୍କ ଦାବୀ ଓ ସ୍ୱରକୁ ଆହୁରି ଶାଣିତ କରି ଆନ୍ଦୋଳନକୁ ବ୍ୟାପକ କରିବ ବିଜେପି ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।

BJP_Satyagraha
BJP_Satyagraha

ଅଳିଆ ପାହାଡ ପାଇଁ ଭୁବନେଶ୍ୱର ଗନ୍ଧାଇଲାଣି । କିନ୍ତୁ ମେୟର ଏବଂ ବିଏମସି କର୍ତୃପକ୍ଷ ମାଲେମାଲ ହେଉଛନ୍ତି । ଅଳିଆ ଉଠାଇବା ନାଁରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ସିଏଜି ରିପୋର୍ଟରେ ଏହା ଖୁଲାସା ହୋଇଛି । ମେସିନ କିଣା ନାଁରେ ଲୁଟ୍ କରାଯାଉଛି ଶହ ଶହ କୋଟି ଟଙ୍କା । ସେହିପରି ଭୁବନେଶ୍ୱରରେ ଡ୍ରେନ ନିର୍ମାଣ ଓ ମରାମତି ପାଇଁ ପ୍ରତିବର୍ଷ ୧୦୦କୋଟି ଖର୍ଚ୍ଚ ହେଉଛି କିନ୍ତୁ ଡ୍ରେନେଜ ଅବସ୍ଥା ସୁଧୁରିବ କଣ ଦିନକୁ ଦିନ ଆହୁରି ବିଗିଡି ଯାଉଛି । ଅସରାଏ ବର୍ଷା ହେଲେ ଡ୍ରେନ ଅଭାବ କାରଣରୁ ଭୁବନେଶ୍ୱରବାସୀ କୃତିମ ବନ୍ୟାର ସମ୍ମୁଖୀନ ହୋଇ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭୁବନେଶ୍ୱରବାସୀ ଶାସକ ଦଳର ଯେଉଁ ତିନିଜଣ ବିଧାୟକଙ୍କୁ ଭୋଟ ଦେଇ ବାଛିଥିଲେ ସେମାନଙ୍କ ପାଖରେ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ସମୟ ନାହିଁ । ଦୀର୍ଘ ୩୧ ଦିନ ଧରି ଚାଲିଥିବା ସତ୍ୟାଗ୍ରହକୁ ଆହୁରି ଶାଣିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଳିପ ମହାନ୍ତି କହିଛନ୍ତି ।

ସତ୍ୟାଗ୍ରହ ସ୍ଥଳକୁ ଯାଇ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ରାଜ୍ୟ ସରକାର ତଥା ବିଏମସି ପ୍ରଶାସନର ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ଲଢେଇ ଜାରୀ ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଭୁବନେଶ୍ୱର ମିଳିତ ନାଗରିକ ମଂଚ ତରଫରୁ ଅଳିଆ ଗଦାର ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ରାଜ୍ୟ ସଭାପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।