BJD ଚାନ୍ଦା ଆଦାୟ କରିବାରେ ପଞ୍ଚମ ବୃହତ ଆଂଚଳିକ ଦଳ

ଭୁବନେଶ୍ୱର: ବିଜୁ ଜନତା ଦଳ ଭାରତ ବର୍ଷର ୫ମ ବୃହତମ ଆଂଚଳିକ ଦଳ ହିସାବରେ ୧୦୧୯.୫ କୋଟି ଟଙ୍କା ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି । ବର୍ଷ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କୁ ଭୂଆଁ ବୁଲାଉଥିବା ବିଜେଡ଼ି ଏବଂ ତାର ସର୍ବୋଚ୍ଚ ନେତା ଶ୍ରୀ ନବୀନ ପଟ୍ଟନାୟକ ମୁଖା ଆଜି ଖୋଲିଯାଇଛି ।

ନବୀନ ପଟ୍ଟନାୟକ ହେଉଛନ୍ତି ଭାରତ ବର୍ଷର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି ଏହି ଖବରକୁ ଦେଖିଲା ପରେ ବୁଝାପଡ଼ୁଛି । ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବର୍ଷ ବର୍ଷ ଧରି ଉପେକ୍ଷା କରି ପୁଞ୍ଜିପତି ମାନଙ୍କୁ ରାଜ୍ୟର ସମ୍ପତିକୁ ଟେକି ଦେଇ ହଜାର ହଜାର କୋଟି ଟଙ୍କା ରାଜନୈତିକ ପାଣ୍ଠି ବର୍ଷ ବର୍ଷ ଧରି କରିଚାଲୁଛନ୍ତି ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ ଜାତୀୟ କଂଗ୍ରେସ ଗଣମାଧ୍ୟମ ବିଭାଗର ସଂଯୋଜିକା ଶ୍ରୀମତୀ ବବିତା ଶର୍ମା ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ବିଜେପି ଏକ ଜୋର ଜୁଲମ କରି ରାଜନୈତିକ ପାଣ୍ଠି ଆଦାୟ କରୁଥିବା ଦଳ । ଏଥିପାଇଁ ଇଡି, ସିବିଆଇ ଏବଂ ଆଇଟିକୁ ବିଭିନ୍ନ ଶିଳ୍ପପତି ଓ ବ୍ୟବସାୟୀମାନଙ୍କ ବିରୁଦ୍ଧରେ ବ୍ୟବହାର କରି ତାଙ୍କୁ ଭୟଭୀତ କରି ବିଜେପି ୬ ବର୍ଷ ଭିତରେ ୮ ହଜାର ୨୫୨ କୋଟି ଟଙ୍କା ରାଜନୈତିକ ପାଣ୍ଠି ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି ।

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ବିଜୁ ଜନତା ଦଳ ଏକ ଆଂଚଳିକ ଦଳ ହୋଇ ମଧ୍ୟ ଭାରତ ବର୍ଷର ରାଜନୈତି ଚାନ୍ଦା ପାଇଥିବା ୫ମ ବୃହତମ ଦଳ । ଏହି ଚାନ୍ଦା ୨୦୧୮ ଜୁଲାଇ ମାସରୁ ୨୦୨୪ ଫେବୃଆରୀ ମଧ୍ୟରେ ବିଜୁ ଜନତା ଦଳ ବିଭିନ୍ନ ଖଣି କମ୍ପାନୀ ଏବଂ ଷ୍ଟିଲ କମ୍ପାନୀ ମାନଙ୍କ ଠାରୁ ପାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀର ଏସଏଲ ମାଇନିଂ ୧୭୪.୫ କୋଟି, ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ ଲିମିଟେଡ ୭୦ କୋଟି, ଗ୍ରାସିମ ଇଣ୍ଡ୍ରଷ୍ଟିଜ ୧୦ କୋଟି ମିଶାଇ ୨୫୪.୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ୧୦୦ କୋଟି, ଜିନ୍ଦଲ ଷ୍ଟେନଲେସ ୩୦ କୋଟି, ରଶ୍ମି ସିମେଂଟ ୪୫ କୋଟି, ରଶ୍ମି ମେଟାଲିକ୍ସ ୨୭ କୋଟି, ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ ୧୮ କୋଟି, ରୁଙ୍ଗଟା ସନ୍ସ ୫୦ କୋଟି, ଏସ.ଏନ ମହାନ୍ତି ୪୫ କୋଟି, ବେଦାନ୍ତ ଲିମିଟେଡ ୪୦ କୋଟି, ପେଙ୍ଗୁଇନ ଟ୍ରେଡିଂ ଏଣ୍ଡ ଏଜେନ୍ସି ୩୦.୫ କୋଟି, ଶ୍ରୀ ଜଗନ୍ନାଥ ଏଣ୍ଡ ପାୱାର ୧୪ କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ବିଜେଡ଼ି ଦଳକୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଦେଇଛନ୍ତି । ଉଭୟ ବିଜେଡ଼ି ଓ ବିଜେପି ଏକ ଚାନ୍ଦା ଅସୁଲି ରାଜନୈତିକ ଦଳ । ବିଜେପି ଡର ଏବଂ ଧମକ ଦେଇ ରାଜନୈତିକ ଚାନ୍ଦା ଆଦାୟ କରୁଥିଲା ବେଳେ ଭାରତୀୟ ଜାତୀୟ କଂଗ୍ରେସର ବ୍ୟାଙ୍କ ଆକାଉଂଟକୁ ଇନକମ ଟ୍ୟାକ୍ସ ମାଧ୍ୟମରେ ବନ୍ଦ କରିଦେଉଛନ୍ତି । ନିର୍ବାଚନ ମାତ୍ର ଆଉ ଦୁଇମାସ ବି ନାହିଁ । ଭାରତବର୍ଷର ଗଣତନ୍ତ୍ର ବଂଚିନାହିଁ ବୋଲି ଧରିନେବାକୁ ହେବ । ବିଜେପିକୁ କଂଗ୍ରେସର ଏତେ ଭୟ କାହିଁକି ବୋଲି ସେ ପ୍ରଶ୍ନ କରୁଛନ୍ତି ।

ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି କହିଲେ ଯେ ବିଜୁ ଜନତା ଦଳ କେବଳ ଖଣି ଓ ଷ୍ଟିଲ କମ୍ପାନୀ ମାନଙ୍କ ପାଖରୁ ଚାନ୍ଦା ଆଦାୟ କରି ନାହିଁ । ଏପରିକି କଲିକତାର ଦୁଇଟି ମଦ ବ୍ୟବସାୟୀ କରୁଥିବା କମ୍ପାନୀ ମାନଙ୍କ ପାଖରୁ ମଧ୍ୟ ନିର୍ବାଚନ ଆଦାୟ କରିଛନ୍ତି । ଲକ୍ଷ୍ମି ଇଣ୍ଡ୍ରଷ୍ଟିଆଲ ଲିମିଟେଡ ୧୦ କୋଟି, କାସେଲ ଲିକର ପ୍ରାଇଭେଟ ଲିମିଟେଡ ୫ କୋଟି ବିଜୁ ଜନତା ଦଳକୁ ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ଦେଇଛନ୍ତି । ଏହି ଦୁଇ କମ୍ପାନୀ ମଦ ବ୍ୟବସାୟରେ ଲିପ୍ତ । ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି କାହିଁକି ଏ ସବୁ ଖଣି କମ୍ପାନୀ ଏବଂ ଷ୍ଟିଲ କମ୍ପାନୀମାନେ ଶହ ଶହ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏହା ବଦଳରେ କଣ ଫାଇଦା ପାଇଛନ୍ତି? ରାଜ୍ୟ ସରକାର ଏହି ସବୁ କମ୍ପାନୀମାନଙ୍କୁ ରାଜ୍ୟର କ’ଣ କ’ଣ ସମ୍ପତିକୁ ଟେକି ଦେଇଛନ୍ତି । ଏହାର ସ୍ପଷ୍ଟିକରଣ ବିଜୁ ଜନତା ଦଳର ନେତୃବୃନ୍ଦ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖନ୍ତୁ ବୋଲି ସେ କହିଛନ୍ତି । ଏପରିକି ୩୭ଟି ଔଷଧ ପ୍ରସ୍ତୁତକାରୀ କମ୍ପାନୀ ମାନଙ୍କ ପାଖରୁ ୮୦୦ କୋଟି ଟଙ୍କାର ରାଜନୈତିକ ଚାନ୍ଦା ବିଜେପି ବଣ୍ଡ ମାଧ୍ୟମରେ ପାଇଛି । ଏହି ସବୁ କମ୍ପାନୀମାନଙ୍କରେ ପ୍ରଥମେ ଆୟକର ବିଭାଗ ଦ୍ୱାରା ଚଢ଼ାଉ କରାଯାଇଥିଲା ପରେ ଏହି ସବୁ କମ୍ପାନୀମାନେ ନିର୍ବାଚନୀ ବଣ୍ଡ କିଣିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ ।