ନେହୁରୁ ପରିବାରର ଶେଷ ଆଶ୍ରୟସ୍ଥଳ ଚିତାଭସ୍ମ

କଂଗ୍ରେସକୁ ନୂଆ ଜୀବନ ଦେବା ପାଇଁ ଭାରତ ଯୋଡେ଼ା ଯାତ୍ରା ଆୟୋଜନ..

ନୂଆଦିଲ୍ଲୀ: କଂଗ୍ରେସକୁ ନୂଆ ଜୀବନ ଦେବା ପାଇଁ ‘ଭାରତ ଯୋଡେ଼ା’ ଯାତ୍ରା ଆୟୋଜନ ଚାଲିଛି । ଦକ୍ଷିଣ ଭାରତର କନ୍ୟାକୁମାରୀରୁ ଆରମ୍ଭ ଭାରତ ଯାତ୍ରା ଜମ୍ମୁ-କଶ୍ମୀରରେ ମୁଣ୍ଡି ମାରିବ । ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ଭାରତ ଯୋଡେ଼ା ଯାତ୍ରା ୩୫୭୦ କିମି ଅତିକ୍ରମ କରିବ । କଂଗ୍ରେସର ଏହି ଯାତ୍ରା କନ୍ୟାକୁମାରୀସ୍ଥିତ ଗାନ୍ଧୀ ମଣ୍ଡପରୁ ଆରମ୍ଭ କରାଯିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ।

ସେହିପରି ଜଣାପଡୁଛି, ଆଜିମଧ୍ୟ ନେହୁରୁ ପରିବାରର ରାଜନୈତିକ ଜୀବନକୁ ନବରୂପ ଦେବା ପାଇଁ ମହାତ୍ମା ଗାନ୍ଧୀଙ୍କ ଆଶୀର୍ବାଦ ଲୋଡ଼ା । ଜବାହରଲାଲ ନେହୁରୁଙ୍କ ରାଜନୈତିକ ଜୀବନକୁ କୂଳରେ ଲଗାଇବା ପାଇଁ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ବହୁତ କସରତ କରିବାକୁ ପଡ଼ିଥିଲା । ଏବେ ସେହି ପରିବାର କନ୍ୟାକୁମାରୀର ଗାନ୍ଧୀ ମଣ୍ଡପକୁ ଆଶ୍ରା କରିଛି । ଉକ୍ତ ମଣ୍ଡପରେ ଗାନ୍ଧୀଜୀଙ୍କର ଚିତାଭସ୍ମକୁ ଯତ୍ନର ସହିତ ରଖାଯାଇଛି । ଶୁଣିବାକୁ ମିଳେ, ଗାନ୍ଧୀଜୀ ଦୁଇଥର କନ୍ୟାକୁମାରୀକୁ ଯାଇଥିଲେ । ତାଙ୍କ ସ୍ମୃତିକୁ ସ୍ମରଣୀୟ ପାଇଁ ତିଆରି କରାଯାଇଛି ଗାନ୍ଧୀ ମଣ୍ଡପ । ମଣ୍ଡପଟି ମନ୍ଦିର, ମସଜିଦ ଓ ଗୀର୍ଜାର ସମାବେଶ କହିଲେ ଠିକ ହେବ । ହିନ୍ଦୁ, ମୁସଲିମ୍‌ ଓ ଖ୍ରୀଷ୍ଟିଆନ୍‌ ଧର୍ମର ଲୋକଙ୍କ ଧାର୍ମିକ ମନୋଭାବ ପ୍ରତି ସମ୍ମାନ ଜଣାଇ ମଣ୍ଡପଟି ଏବେ ମଧ୍ୟ ସର୍ବଧର୍ମ ମିଳନ ପୀଠ ଭାବେ ପରିଚିତ ।

ନେହୁରୁଙ୍କ ଦାୟାଦ କଂଗ୍ରେସକୁ ନୂଆ ଜୀବନ ଦେବା ପାଇଁ ଗାନ୍ଧୀ ମଣ୍ଡପଟିର ଶରଣ ନେଇଛନ୍ତି । ଭାରତର ସ୍ୱାଧୀନତା ହାସଲ ପରେ କଂଗ୍ରେସକୁ ସମାଧି ଦେଇ ଆଉ ଗୋଟିଏ ରାଜନୈତିକ ଦଳ ଗଠନ ପାଇଁ ଗାନ୍ଧୀ ଜବାହରଲାଲଙ୍କ ଗୋଷ୍ଠୀକୁ ପରାମର୍ଶ ଦେଇଥିଲେ । ମାତ୍ର ଜବାହରଲାଲ କଂଗ୍ରେସକୁ ସମାଧି ଦେବା ବଦଳରେ ଗାନ୍ଧୀଙ୍କ ସମାଧି ପାଇଁ ବାଟ ତିଆରି କରିଦେଲେ । ଏବେ କଂଗ୍ରେସର ଭାରତ ଯୋଡେ଼ା ଯାତ୍ରା ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ରାଜନୈତିକ ଜୀବନକୁ କେତେମାତ୍ରାରେ ସଜାଡିବ, ତାହା ଆଗାମୀ ଲୋକସଭା ନିର୍ବାଚନରେ ପରୀକ୍ଷିତ ହୋଇଯିବ ।

ଗାନ୍ଧୀ ମଣ୍ଡପର ଯେଉଁ ସ୍ଥାନରେ ଚିତାଭସ୍ମ ରଖାଯାଇଛି । ପ୍ରତିବର୍ଷ ଅକ୍ଟୋବର ଦୁଇ ତାରିଖ ମଧ୍ୟାହ୍ନରେ ସେଇ ଚିତାଭସ୍ମ ଉପରେ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ । ମଣ୍ଡପ ଶୀର୍ଷରେ ଏଭଳି ସ୍ଥାନରେ କଣାଟିଏ କରାଯାଇଛି, ଯାହା କେବଳ ଅକ୍ଟୋବର ୨ ତାରିଖ ଦିନ ସୂର୍ଯ୍ୟ କିରଣକୁ ସ୍ୱାଗତ କରିଥାଏ ।