କଂଗ୍ରେସର ତରବରିଆ ଅଧ୍ୟକ୍ଷ ନିର୍ବାଚନ ପଛରେ ବିଜେପି

ଅକ୍ଟୋବର ୧୭ ତାରିଖରେ ମତଦନ..

ନୂଆଦିଲ୍ଳୀ: କଂଗ୍ରେସକୁ ସ୍ଥାୟୀ ଅଧ୍ୟକ୍ଷ ପ୍ରଦାନ ପଛରେ ବିଜେପିର ହାତ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତମ ମହଲ କହୁଛନ୍ତି । ସ୍ଥାୟୀ ଅଧ୍ୟକ୍ଷ ନେତୃତ୍ୱରେ ଦଳକୁ ଲୋକସଭା ନିର୍ବାଚନ ମଇଦାନରେ ଠିଆ କରାଇ ନେହୁରୁ ଦାୟାଦର ରାଜନୈତିକ ସମାଧି ଦେବା ମୋଦୀଜୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ।

ମୋଦୀଜୀ ଜାଣନ୍ତି, ନେହୁରୁ ପରିବାର ବିନା କଂଗ୍ରେସର ଅନ୍ୟଗତି ନାହିଁ । ସୋନିଆ, ରାହୁଲ ଅଥବା ପ୍ରିୟଙ୍କାଙ୍କ ଭିତରୁ କେହି ଜଣେ କଂଗ୍ରେସର ଅଧ୍ୟକ୍ଷ ପଦବୀରେ ରହିବେ । ସୋନିଆ ଓ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଲୋକସଭା ନିର୍ବାଚନ ଲଢ଼ିସାରିଛି । ଏବେ ପ୍ରିୟଙ୍କାଙ୍କ ନେତୃତ୍ୱକୁ ଅପେକ୍ଷା କରାଯାଇଛି । କଂଗ୍ରେସକୁ ସଂକଟରୁ ଉଦ୍ଧାର କରିବା ପାଇଁ ପ୍ରିୟଙ୍କା ଆଗକୁ ଆସିବା ଦରକାର । ମାତ୍ର ରାହୁଲ ଓ ସୋନିଆଙ୍କ ଅନୁମତି ବିନା ପ୍ରିୟଙ୍କା ଏରୁଣ୍ଡି ଡେଇଁବେନି । ଦଳ ପାଇଁ ନିର୍ବାଚନ ପ୍ରକ୍ରିୟାରେ ଯୋଗଦେବା ଓ ଦଳର ନେତୃତ୍ୱ ନେବା କଥା କଦାପି ସମାନ ହୋଇ ନପାରେ । ପ୍ରିୟଙ୍କାଙ୍କ ନେତୃତ୍ୱରେ ଦଳ ନିର୍ବାଚନରେ ହାରିଗଲେ, ନେହୁରୁ ପରିବାରର ରାଜନୈତିକ ମୃତ୍ୟୁ ସାଙ୍ଗକୁ ବିଜେପି ମେଂଟ ହାତକୁ ଦେଶ ୨୦ ବର୍ଷ ପାଇଁ ଚାଲିଯିବ ।

ତରବରିଆ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସୋନିଆ ଗାନ୍ଧୀ ବିଦେଶ ଯାଇଛନ୍ତି । ତାଙ୍କ ସାଙ୍ଗରେ ରାହୁଲ ଓ ପ୍ରିିୟଙ୍କା ଅଛନ୍ତି । କଂଗ୍ରେସର ମନ, ମସ୍ତିଷ୍କ, ମେରୁଦଣ୍ଡ ଦେଶରେ ଥିଲାବେଳେ ଅଧ୍ୟକ୍ଷ ନିର୍ବାଚନ ପାଇଁ ତତ୍ପରତା ପ୍ରକାଶ ପାଇ ନଥିଲା । ବିଦେଶରେ ଥାଇ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଅଧ୍ୟକ୍ଷତା କରିବା ତାଙ୍କର ଦେଶ ପାଇଁ କମ୍‌ ଓ ଦଳ ପାଇଁ ଅଧିକ ପ୍ରେମ ପ୍ରମାଣିତ କରୁଛି । କାର୍ଯ୍ୟକାରିଣୀ ବୈଠକରେ ଗ୍ରୁପ-୨୩ର ଅନ୍ୟତମ ନେତା ଆନନ୍ଦ ଶର୍ମା ଯୋଗଦେବା ଗୁରୁତ୍ୱପୂର୍ଣ୍ଣ ନିଶ୍ଚୟ ।

ଅକ୍ଟୋବର ୧୭ ତାରିଖରେ ମତଦନ ଗ୍ରହଣ କରାଯିବ । ୧୯ ତାରିଖରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ରବିବାର ଅନୁଷ୍ଠିତ କାର୍ଯ୍ୟକାରିଣୀ କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଯାଂଚ ଓ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ରହିଛି । ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ପାର୍ଟି ଭିତରେ ଅଧ୍ୟକ୍ଷ ପଦବୀକୁ ନେଇ ଅଧିକାଂଶ ନେତାଙ୍କ ମନରେ ନାନା ପ୍ରଶ୍ନ ଉଠିଥିଲା । ଦଳ ଭିତରୁ ଶୁଣିବାକୁ ମିଳୁଥିବା ଚାପା ଗୁଞ୍ଜରଣ ବନ୍ଦ କରିବା ପାଇଁ ଅଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ତରବରିଆ ନିଷ୍ପତି ନିଆଯାଇଛିି ।