ମମତାଙ୍କ ବିରୋଧରେ କଂଗ୍ରେସ-ବାମ-ବିଜେପି ଏକାଠି

ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ ସରଗରମ….

କୋଲକାତା: ୨୦୦୩ ମସିହାର କଥା । ସେତେବେଳେ ମମତା ବାନାର୍ଜୀ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତ୍ରୀ ଥିଲେ । ଏକ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ କହିଥିଲେ, ଯଦି ଆରଏସ୍‌ଏସ୍‌ ଆମକୁ ସାହାଯ୍ୟ କରନ୍ତି; ଆମେ ଲାଲଗଡ଼କୁ ଚୁରମାର କରିଦେବୁ । ୨୦୦୩ରେ ପଶ୍ଚିମବଙ୍ଗରେ ବାମ ସାମ୍ମୁଖ୍ୟ ଶାସନ କରୁଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗକୁ ଲାଲଗଡ଼ର ଦୁର୍ଗ କୁହାଯାଉଥିଲା ।

ସେହି ସମୟରେ ମମତା ଏନ୍‌ଡିଏର ଭାଗିଦାରୀ ଥିଲେ । ଆରଏସ୍‌ଏସ୍‌ ନେତା ତରୁଣ ବିଜୟ ଏକ ସଭାରେ ମମତାଙ୍କୁ ‘ପଶ୍ଚିମବଙ୍ଗର ଦୁର୍ଗା’ ଭାବେ ଘୋଷଣା କରିଥିଲେ ।
୨୦୧୧ରେ ସିପିଏମ୍‌ର ୩୪ ବର୍ଷର ଶାସନକୁ ଖତମ କଲେ ମମତା ବାନାର୍ଜୀ । ସେବେଠାରୁ ମମତାଙ୍କ କଥାରେ ଉଠୁଛି ବସୁଛି ପଶ୍ଚିମବଙ୍ଗ । ୨୦ ବର୍ଷ ତଳେ ଲାଲଗଡ଼କୁ ଭାଙ୍ଗିବା ପାଇଁ ମମତା ଯୋଉ ସଂଘ ପରିବାର ସାହାଯ୍ୟ କାମନା କରିଥିଲେ ।

ଆଜି ସେହି ବିଜେପି ଓ ଆରଏସଏସ୍‌ ମିଳିତ ଭାବେ ବାମ ସାମ୍ମୁଖ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ପଶ୍ଚିମବଙ୍ଗ କ୍ଷମତାରୁ ମମତାଙ୍କୁ ହଟାଇବା ପାଇଁ ସିପିଏମ୍‌ ସହ ହାତ ମିଳାଇଛନ୍ତି ବିଜେପି ଓ ସଂଘ ପରିବାର । ଏପ୍ରିଲ-ମେ’ ମାସରେ ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ ହେବାର ଅଛି । ମାମଲା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି, ସେହି କାରଣରୁ ତାରିଖ ଧାର୍ଯ୍ୟ ହୋଇନାହିଁ । କିନ୍ତୁ ପଂଚାୟତ ନିର୍ବାଚନ ହେବା ସୁନିଶ୍ଚିତ ।

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଂଚାୟତ ନିର୍ବାଚନ କରିବାକୁ ସବୁ ଦଳଗୁଡ଼ିକ ଆପଣା ଆପଣା ସ୍ତରରେ ପ୍ରଚାର କାମ ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗର ପଂଚାୟତ ନିର୍ବାଚନର ପ୍ରଭାବ ଲୋକସଭା ନିର୍ବାଚନ ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ସବୁଠାରୁ କୌତୁହଳ ବିଷୟ ହେଉଛି, ପଶ୍ଚିମବଙ୍ଗର କେତୋଟି ସ୍ଥାନରେ ମମତାଙ୍କୁ ପାନେ ଦେବା ପାଇଁ ବିଜେପି ସହ ହାତ ମିଳାଇଛି କଂଗ୍ରେସ ।

ଜାତୀୟ ସ୍ତରରେ ବିଜେପି ଓ କଂଗ୍ରେସ ପରସ୍ପରକୁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବୁଛନ୍ତି; ମାତ୍ର ପଶ୍ଚିମବଙ୍ଗରେ ବିଜେପି-କଂଗ୍ରେସ ମିଳିମିଶି କାମ କରୁଛନ୍ତି । ଏକ ସାକ୍ଷାତକାରରେ ପଶ୍ଚିମବଙ୍ଗ କଂଗ୍ରେସ ମୁଖପାତ୍ର କହିଛନ୍ତି, ଆଂଚଳିକ ସ୍ତରରେ ଆମର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ମମତାଙ୍କର ଟିଏମ୍‌ସି । ଟିଏମ୍‌ସିକୁ ହରାଇବା ପାଇଁ ଏଥର କଂଗ୍ରେସ-ବିଜେପି-ବାମଦଳ ଏକାଠି ହୋଇଛନ୍ତି ।