ବିଧାନସଭାରେ ଅସୁସ୍ଥ ହୋଇ ପଡ଼ିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ବିଧାନସଭାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହ କମିଟି ଦାବିରେ କଂଗ୍ରେସ ସଭ୍ୟଙ୍କ ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହ ମଝିରେ ହଟ୍ଟଗୋଳ କରୁଥିଲାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ସେ ବାଚସ୍ପତିଙ୍କ ପୋଡିୟମ୍ ତଳେ ଥିବା ସଚିବଙ୍କ ଚେୟାର ଉପରେ ଚଢ଼ିବାକୁ ଉଦ୍ୟମ କରୁଥିଲାବେଳେ ତାଙ୍କର ମୁଣ୍ଡ ବୁଲାଇଥିଲା। ଏହି ସମୟରେ ତାରା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ସେଥିପାଇଁ ସେ ତଳେ କିଛି ସମୟ ପାଇଁ ମୁଣ୍ଡକୁ ତଳକୁ କରି ସ୍ଥିର ହୋଇ ବସି ରହିଥିଲେ। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଡାକ୍ତର ଚିକିତ୍ସା କରିବା ପରେ ଛାଡ଼ି ଦିଆଯାଇଥିଲା। ନିକଟରେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ମଧୁମେହ ଓ କରୋନା ପରବର୍ତ୍ତୀ ଜଟିଳତା ଯୋଗୁଁ ତାରା ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି। ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାରା ବାହିନୀପତି ତାଙ୍କ ବାସଭବନକୁ ଯାଇଥିବା ଜଣାପଡ଼ିଛି ।