‘ଇଣ୍ଡିଆ’ ମେଣ୍ଟର ବୈଠକ ପୂର୍ବରୁ ଜୋର ଧରିଲା ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଡିମାଣ୍ଡ

କେଜ୍ରିୱାଲ୍ ହୁଅନ୍ତୁ ବିପକ୍ଷଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ବେଶ ଚର୍ଚ୍ଚା। ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ନେଇ ଆସିଛି ବଡ ଡିମାଣ୍ଡ। ଅରବିନ୍ଦ କେଜ୍ରିୱାଲ୍ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି କହିଛନ୍ତି ଆପର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି, ଯଦି ମତେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହାରେ ବାବଦରେ ପଚରାଯାଏ, ତେବେ ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ବାଛିବି। ସେ ଦିଲ୍ଲୀରେ ବହୁ ସୁବିଧା ଆଣିଛନ୍ତି, ଯଦି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଅର୍ଥନୀତି ସୁଦୃଢ ମଜବୁତ ହେବ।


କକ୍କର କହିଛନ୍ତି, ଅରବିନ୍ଦ କେଜ୍ରିୱାଲ କ୍ରମାଗତ ଭାବରେ ଲୋକଙ୍କ ପ୍ରସଙ୍ଗ ଉଠାଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମୁଖରେ ଏକ ଚ୍ୟାଲେଞ୍ଜର ଭାବରେ ଉଭା ହୋଇଛନ୍ତି। ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗ, ଏସବୁ କ୍ଷେତ୍ରରେ ତୀକ୍ଷ୍ଣ ନିଶାନା କରୁଛନ୍ତି କେଜ୍ରିୱାଲ୍। ତେଣୁ ତାଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଦେଖାଯାଇପାରିବ ବୋଲି ସେ କହିଛନ୍ତି।

କକ୍କର ଆହୁରି ମଧ୍ୟ କହିଛନ୍ତି ଯେ, ମୋଦିଙ୍କର ଅର୍ଥନୈତିକ ଦୃଷ୍ଟିକୋଣ ନାହିଁ, ବର୍ତ୍ତମାନ ଉତ୍ପାଦନ ହାର ନିମ୍ନଗାମୀ ରହିଛି। ଅରବିନ୍ଦ କେଜ୍ରିୱାଲଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଭାରତ ଉତ୍ପାଦନର ହବ୍ ହେବ। ବ୍ୟବସାୟୀଙ୍କ ପାଇଁ ଭରପୁର ସୁଯୋଗ ରହିବ। ଶିକ୍ଷାକୁ ଉନ୍ନତତର କରାଯିବ।

ମେଣ୍ଟ ଦଳ ଜୋରସୋରରେ ଲାଗି ପଡିଛନ୍ତି ଶାସକ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ। ମୁମ୍ୱାଇରେ ବସିବାକୁ ଯାଉଛି ‘ଇଣ୍ଡିଆ’ ମେଣ୍ଟର ତୃତୀୟ ବୈଠକ। ମୁମ୍ବାଇର ଗ୍ରାଣ୍ଡ୍ ହୟାତ୍ ହୋଟେଲରେ ଏହି ବୈଠକ ଦୁଇ ଦିନ ଧରି ବସି ଆଲୋଚନା ହେବ। ସୂଚନା ଯୋଗ୍ୟ, ସେପ୍ଟେମ୍ୱର ୧ରେ ମଧ୍ୟ ଏନଡିଏ ଡାକିଛି ବୈଠକ। ବିରୋଧୀଙ୍କ ଏକତାକୁ ଦେଖି ଆଗୁଆ ସତର୍କ ହେଉଛି ଶାସକ ବିଜେପି। ଆଗକୁ ଏହି ମହାସମର ମାନସମନ୍ଥନ ବିରୋଧୀ ମେଣ୍ଟ ପକ୍ଷରୁ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।