ଜୁଲାଇ ୨୪ରେ ୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ

ପଶ୍ଚିମବଙ୍ଗ, ଗୁଜରାଟ ଓ ଗୋଆର ୧୦ଟି ରାଜ୍ୟସଭା ଆସନ ପାଇଁ ଜୁଲାଇ ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଦିନେଶଚନ୍ଦ୍ର ଜେମାଲଭାଇ ଅନାବାଦିୟ ଓ ଲୋକଣ୍ଡୱାଲା ଯୁଗଲସିହ୍ନ ମାଥୁରଜୀଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮ ତାରିଖରେ ଶେଷ ହେଉଛି। ଜୁଲାଇ ୨୮ ତାରିଖରେ ଗୋଆର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡୁଛି । ଉକ୍ତ ଆସନରୁ ନିର୍ବାଚିତ ହୋଇଥିଲେ ବିଜେପି ସାଂସଦ ବିନୟ ଡି ତେନ୍ଦୁଲକର।

ପଶ୍ଚିମବଙ୍ଗର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଅଗଷ୍ଟ ୧୮ ତାରିଖରେ ଟିଏମସି ସାଂସଦ ଡେରେକ୍‌ ଓ’ବ୍ରାୟନ, ଡୋଲା ସେନ, ସୁସ୍ମିତା ଦେବ, ଶାନ୍ତା ଛେତ୍ରୀ ଓ ଶୁଭେନ୍ଦୁ ଶେଖର ରାୟ ଓ କଂଗ୍ରେସ ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି।

୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ଜୁଲାଇ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ମନୋନୟନ ପତ୍ର ଦାଖଲ କରିବାର ଶେଷ ତାରିଖ ଜୁଲାଇ ୧୩ ତାରିଖ । ମନୋନୟନ ପତ୍ର ପ୍ରତ୍ୟାହାର ପାଇଁ ଅନ୍ତିମ ତାରିଖ ଜୁଲାଇ ୧୭ ତାରିଖ। ଜୁଲାଇ ୨୪ ତାରିଖ ଦିନ ମତଦାନ ଗ୍ରହଣ ଓ ଗଣନା କରାଯିବ।