ୟୁପିଏ ନୁହେଁ ଇଣ୍ଡିଆ: ପ୍ରଧାନମନ୍ତ୍ରୀ ପଦକୁ ‘ଛି’ କଲା କଂଗ୍ରେସ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ମେଂଟ ଜିତିଲେ, ପ୍ରଧାନମନ୍ତ୍ରୀ ପଦରେ କଂଗ୍ରେସର କୌଣସି ନେତା ରହିବେ ନାହିଁ ବୋଲି ମଙ୍ଗଳବାର ଅନୁଷ୍ଠିତ ବିରୋଧୀ ମେଂଟ ବୈଠକରେ ମତାମତ ପ୍ରକାଶ ପାଇଛି । ବୈଠକରେ ଯୋଗଦାନ କରି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖାଡଗେ ଏହି ସୂଚନା ପ୍ରଦାନ କରିଛନ୍ତି । ମେଂଟର ସାରଥି ଦାୟିତ୍ୱ ତୁଲାଇବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ମୋଦି ସାଙ୍ଗିଆ ବିବାଦରେ ହାଇକୋର୍ଟରୁ ତ୍ରାହି ନ ପାଇ ରାହୁଲ ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟର ବିପଦରେ । ତେଣୁ ଅନ୍ୟ ଉପାୟ ନପାଇ ବିରୋଧୀ ମେଂଟର ମହାରଥୀ ଦାୟିତ୍ୱ ସୋନିଆ ଗାନ୍ଧୀଙ୍କୁ ମୁଣ୍ଡାଇବାକୁ ପଡ଼ିଲା ।
କଂଗ୍ରେସ ନେତୃତ୍ୱାଧୀନ ମେଂଟରେ ଆହୁରି କିଛି ଦଳ ମିଶିଛନ୍ତି । ତେବେ ବିଜେପି ମେଂଟରେ ମଧ୍ୟ କିଛି ନୂଆ ରାଜନୈତିକ ଦଳ ଯୋଗଦାନ କରିଛନ୍ତି । ବିଜେଡି, ଜେଡିଏସ ଭଳି କିଛି ଦଳ ଦୁଇ ଜାତୀୟ ମେଂଟର ଯୁଦ୍ଧକୁ ଦୂରରୁ ଦେଖିବାକୁ ନିଷ୍ପତି ନେଇଛନ୍ତି ।

ଜଣାଇ ଦିଆଯାଉଛି, କଂଗ୍ରେସ ଅଧ୍ୟକ୍ଷତାରେ ବେଙ୍ଗାଲୁରୁରେ ବିରୋଧୀ ଗୋଠର ୨୦୨୪ ରଣନୀତି ବୈଠକ ଚାଲିଛି । ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମୁତାବକ ୟୁପିଏ ଗୋଠର ନାମ ପରିବର୍ତନ କରାଯାଇ ‘ଇଣ୍ଡିଆ’ ରଖାଯାଇଛି । ବିରୋଧୀଙ୍କ ମେଂଟରେ ଆପ୍‌ ଯୋଗ ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିଲ୍ଲୀରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି ଆପ୍‌ ଶାସନ କରୁଛି । କଂଗ୍ରେସ ଓ ଆପ୍‌ ପରସ୍ପରକୁ ବିରୋଧ କରୁଥିଲେ ମଧ୍ୟ ଜାତୀୟ ରାଜନୀତିରେ ଏକାଠି ହୋଇଛନ୍ତି ।