ଝାରସୁଗୁଡା ଉପନିର୍ବାଚନ: ଅତି ଉତେଜନାପ୍ରବଣ ୭୧ଟି ବୁଥ୍‌ରେ ବ୍ୟାପକ ସୁରକ୍ଷା ଦାବି

କେନ୍ଦ୍ରୀୟ ପୋଲିସଙ୍କୁ ନିୟୋଜିତ କରାଯାଉ

ଭୁବନେଶ୍ୱର: ରାଜ୍ୟରେ ଆଇନର ଶାସନ ଚାଲୁନାହିଁ । ରାଜ୍ୟରେ ଏବଂ ଝାରସୁଗୁଡାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ କାରଣରୁ ଦିବାଲୋକରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଗଲା । ବିଜେଡି ସରକାରର ଅପାରଗତା କାରଣରୁ ଝାରସୁଗୁଡାରେ ଉପନିର୍ବାଚନ ହେଉଛି । ଝାରସୁଗୁଡାରେ ଶାସକ ଦଳର ଗୁଣ୍ଡାଶାସନ ଓ ମାଫିଆ ରାଜ ପାଇଁ ଅଂଚଳବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ଆସନ୍ତା ୧୦ତାରିଖ ହେବାକୁ ଥିବା ଉପନିର୍ବାଚନର ୭ଦିନ ପୂର୍ବରୁ ଆଜିପୁଣି ଝାରସୁଗୁଡାର ମଙ୍ଗଳା ବଜାର ବୁଥ୍ ନଂ ୨୦ରେ ଶାସକ ବିଜେଡି ଗଣ୍ଡଗୋଳ ଓ ଗୁଣ୍ଡାରାଜ ଆରମ୍ଭ କରିଛି । ଲୋକେ ରାଜ୍ୟ ସରକାରଙ୍କଠୁ ମୁହଁ ଫେରାଉଥିବା କାରଣରୁ ଶାସକ ବିଜେଡି ଝାରସୁଗୁଡାରେ ହିଂସାକୁ ଆପଣାଇଛି । ଯାହା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି ପାଇଥିବାରୁ ଭାରତୀୟ ଜନାତା ପାର୍ଟିର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

ସେହିପରି ଝାରସୁଗୁଡା ବିଧାନସଭାର ସମୁଦାୟ ୨୫୩ ବୁଥ୍ ମଧ୍ୟରୁ ୭୧ଟି ବୁଥ୍ ଅତି ଉତେଜନାପ୍ରବଣ ଥିବା ଆଶଙ୍କା କରିଛି ଭାରତୀୟ ଜନତା ପାର୍ଟି । ସ୍ଥାନୀୟ ଜନସାଧାରଣଙ୍କ ମତ ଓ ଶାସକ ବିଜେଡିର ଆଚରଣକୁ ସମୀକ୍ଷା କରି ଏହି ୭୧ଟି ବୁଥ୍ ଅତି ଉତେଜନା ପ୍ରବଣ ବୋଲି ଚିହ୍ନଟ କରିଛି ବିଜେପି । ନିର୍ବାଚନ ସମୟରେ ଏହି ୭୧ଟି ଅତି ଉତେଜନା ପ୍ରବଣ ବୁଥ୍‌ରେ ବ୍ୟାପକ ସୁରକ୍ଷା ଓ ସିସିଟିଭିର ବ୍ୟବସ୍ଥା କରି ଝାରସୁଗୁଡା ଉପନିର୍ବାଚନରକୁ ଅବାଧ, ମୁକ୍ତ, ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଅନୁରୋଧ କରିଛନ୍ତି ।

ଏଥିସହିତ ଯୁଗ୍ମ ବୁଥ୍ କେନ୍ଦ୍ର ବାହାରେ ଓ ଭିତରେ ଡ୍ରୋନ କ୍ୟାମେରାର ବ୍ୟବସ୍ଥା କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ଏବେଠୁ ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳର ଆଚରଣ, ସ୍ଥାନୀୟ ପୋଲିସ ପ୍ରଶାସନର କାର୍ଯ୍ୟ ଦେଖିଲା ପରେ ରାଜ୍ୟ ସରକାରଙ୍କ ଉପରେ ଭରସା ପାଉନାହିଁ । ନିର୍ବାଚନ ସମୟରେ କେନ୍ଦ୍ରୀୟ ପୋଲିସଙ୍କୁ ନିର୍ବାଚନରେ ନିୟୋଜିତ କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ସୋନାଲୀ ସାହୁ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।