ମୋଦୀଙ୍କ ଘର ଦଖଲ କରିବେ କେଜ୍ରିୱାଲ!

ଦିଲ୍ଲୀ, ପଞ୍ଜାବ ପରେ ଗୁଜରାଟ ଅଭିଯାନ

ମାଗଣା ବିଜୁଳି, ମାଗଣା ଶିକ୍ଷା, ଏରୁଣ୍ଡିବନ୍ଧରେ ସେବା

ଅହମ୍ମଦାବାଦ: ଗୁଜରାଟର ସବୁ ବିଧାନସଭା ଆସନରେ ଆମ୍‌ ଆଦ୍‌ମୀ ପାର୍ଟି ଲଢ଼ିବାକୁ ତୟାର ହେଲାଣି । ବିଜେପିର ଗଡ଼ ରୂପେ ପରିଚିତ ଗୁଜରାଟ ମାଟିରେ ଆମ୍‌ ଆଦ୍‌ମୀ ପାର୍ଟି ଗୋଟିଏ ଆସନ ଜିତିଲେ, ତାହା ବିଜେପି ଗାଲରେ ଚାପୁଡ଼ା ଭଳି ଲାଗିବ । ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଗୁଜରାଟର ଶାସନ ଚାଲିଛି । ରାଜ୍ୟରେ ଯାହାସବୁ ଚାଲିଛି; ତା’ ପଛରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନିର୍ଦ୍ଦେଶ ରହିଛି । ଏଣୁ ବିଜେପି ହାତରୁ ଗୋଟିଏ ଆସନ ଚାଲିଯିବା ଅର୍ଥ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତିଆରା କମିବା ।

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ୍‌ ଆଦ୍‌ମୀ ପାର୍ଟି କ୍ରମଶଃ ପ୍ରଥମେ ଦିଲ୍ଲୀ ଦଖଲ କରିବା ପରେ ଅନ୍ୟ ରାଜ୍ୟକୁ ବିସ୍ତାରିତ ହୋଇଛି । ଦିଲ୍ଲୀ ପରେ ପଞ୍ଜାବ ଭଳି ବିକଶିତ ରାଜ୍ୟକୁ ଜିତିବା ପରେ କେଜ୍ରିୱାଲଙ୍କ ରଣନୀତିକୁ ବିଜେପି ମାନିବାକୁ ବାଧ୍ୟ ହେଲାଣି । ବିଜେପିରେ ବାହାପିଆ ନେତାଙ୍କ ସଂଖ୍ୟା ମାଳମାଳ ଥିଲାବେଳେ ଆପ୍‌ ଭିତରେ ସେଭଳି ନେତାଙ୍କ ସଂଖ୍ୟା ନଗଣ୍ୟ । ଦିଲ୍ଲୀ, ପଞ୍ଜାବ ପରେ ଆହୁରି କିଛି ରାଜ୍ୟର ବିଧାନସଭା ଆସନକୁ ଆପ୍‌ ଦଖଲ କରିଛି । ଆପ୍‌ ଜାତୀୟ ଦଳ ମାନ୍ୟତା ପାଇନାହିଁ । ମାତ୍ର କେଜ୍ରିୱାଲଙ୍କ ଦକ୍ଷ ନେତୃତ୍ୱରେ ଆପ୍‌ ଖୁବଶୀଘ୍ର ଜାତୀୟ ଦଳର ମାନ୍ୟତା ପାଇଯିବ ।

ଜାତୀୟ ଦଳ ମାନ୍ୟତା ପାଇ ନଥିଲେ ମଧ୍ୟ ବହୁ ରାଜ୍ୟରେ ଆପ୍‌ ଦୋକାନ ଖୋଲି ନିର୍ବାଚନ ରଣନୀତି ଆରମ୍ଭ କରିସାରିଲାଣି । ଆଗାମୀ ଲୋକସଭା ନିର୍ବାଚନରେ ଆପ୍‌ ସବୁ ଆସନରୁ ଲଢ଼ିବା ପାଇଁ ସଜବାଜ ହେଉଛି । ଓଡ଼ିଶାର ସବୁ ବିଧାନସଭା ଓ ଲୋକସଭା ଆସନରୁ ଆପ୍‌ ଲଢ଼ିବାର ସମ୍ଭାବନା ଅଛି । ଓଡ଼ିଶାରେ ବିଜେପି, କଂଗ୍ରେସ ଉପରୁ ଲୋକଙ୍କ ଭରସା ତୁଟିଗଲାଣି । ଏଜେଡି, ଆରପିଡି ଭଳି କିଛି ଦଳ ଲୋକଙ୍କ ସାମ୍ନାକୁ ଆସିଲେ ମଧ୍ୟ ସେସବୁ ଦଳ ଆପ୍‌ ତୁଳନାରେ ଦୁର୍ବଳ । ଆପ୍‌ ଦୁଇଟି ରାଜ୍ୟର ଶାସନରେ ଥିଲା ବେଳେ ଆରପିଡି ଓ ଏଜେଡି ଏବେ ଏନ୍ତୁଡ଼ିଶାଳରେ ଅଛନ୍ତି ।
ସପା, ବିଏସ୍‌ପି, ଆରପିଆଇ ଦଳଗୁଡ଼ିକର ଓଡ଼ିଶା ମୁହଁ ନଈରେ ଭାସମାନ ଚିଙ୍ଗୁଡ଼ିଆ ଦଳ ଭଳି । ଯୁଆଡେ଼ ବର୍ଷା, ସେଆଡ଼କୁ ଛତା ଦେଖେଇ ରାଜନୀତି କରିବା ଏଇ ଦଳଗୁଡ଼ିକର ଅଭ୍ୟାସଗତ ବେଉସା ।
ହଁ ଆମେ କହୁଥିଲୁ ଗୁଜରାଟ ବିଧାନସଭା ନିର୍ବାଚନ କଥା । ପହଂଚିଗଲୁ ଓଡ଼ିଶାତଟରେ; କେମିତି ନହେବ, ଗୁଜରାଟୀ ବାବୁ ଦିଲ୍ଲୀ ସିଂହାସନରେ ବସି ଯଦି କହିପାରୁଛନ୍ତି, ‘ପୂର୍ବୋଦୟରୁ ଭାରତର ଉଦୟ’ । ତେବେ ଗୁଜରାଟ କଥା ଆରମ୍ଭ କରୁକରୁ ଆମେ ଓଡ଼ିଶାତଟରେ ପହଂଚିବା ଅସମ୍ଭବ ନୁହେଁ ।

ଗୁଜରାଟ ଓ ଓଡ଼ିଶା ଭିତରେ ଘନିଷ୍ଠ ସମ୍ପର୍କ ରହିଛି । ଗୁଜରାଟ ଭାରତର ପଶ୍ଚିମତଟରେ ବିରାଜମାନ କରୁଥିଲା ବେଳେ ଓଡ଼ିଶା ଭାରତର ପୂର୍ବତଟକୁ ଗୌରବମୟ କରିଛି । ଗୁଜରାଟର ବ୍ୟବସାୟୀମାନେ ଓଡ଼ିଶା ବଜାରକୁ ଦଖଲ କରୁଥିଲା ବେଳେ ଗୁଜରାଟର ଶ୍ରମିକ ବଜାରକୁ ଓଡ଼ିଶାର ଅଧାପାଠୁଆ ଲୋକମାନେ ଦଖଲ କରିଛନ୍ତି । ଗୁଜରାଟକୁ ବିଜେପି ଶାସନ କରୁଥିଲା ବେଳେ ଓଡ଼ିଶାରେ ବିଜେପି କ୍ରମେ ଦୁର୍ବଳ ହେଉଛି । ସେହି ଦୃଷ୍ଟିରୁ ଗୁଜରାଟ ବିଧାନସଭାରେ ଆପ୍‌ କିଛି ଆସନ ଦଖଲ କରିବା ଅର୍ଥ ଓଡ଼ିଶାରେ ବିଜେପି ସମାଧି ନେବା ଅବସ୍ଥାକୁ ଚାଲିଯିବ ।