ଧର୍ମେନ୍ଦ୍ରଙ୍କ ପାଇଁ ମାଟିରେ ମିଶିବ ଓଡ଼ିଶା ବିଜେପି

ଏଜେଡି ଅବା ଆରପିଡି ସହ ହାତ ମିଳାନ୍ତୁ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ରରୁ ମାଳମାଳ ମନ୍ତ୍ରୀ ଆସି ଓଡ଼ିଶାବାସୀଙ୍କ ଆଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁକୁ ଯେତେ ଦେଖାଇଲେ ମଧ୍ୟ କିଛି ଫଳ ମିଳିବନି । ଧର୍ମେନ୍ଦ୍ରଙ୍କ ମୁହଁଟି ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କୁ ସୁନ୍ଦର ଦିଶିପାରେ । ମାତ୍ର ଓଡ଼ିଶାର ଜନତା ଧର୍ମେନ୍ଦ୍ରଙ୍କ ମୁହଁକୁ ଦେଖିଦେଖି ବିରକ୍ତ ହେଲେଣି । ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏକପ୍ରକାର ଜିଦ କରିଛନ୍ତି । ଏଇଠି ଗୋଟିଏ କଥା ମୁଁ ଦୃଢ଼ତାର ସହ କହୁଛି ଯେ ଆଂଚଳିକ ଦଳ ସହିତ ବୁଝାମଣା ନକରିବା ପର୍ଯ୍ୟନ୍ତ ଓଡ଼ିଶାରେ ବିଜେପି ପୁଣି କ୍ଷମତାକୁ ଆସିବାର ପ୍ରଶ୍ନ ଉଠୁନି । ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗ ଆଉ ଗୋଟିଏ ବିରାଟ ରହସ୍ୟ । ଶ୍ରୀକୃଷ୍ଣଙ୍କୁ କୋଳରେ ଧରି ଯଶୋଦା ଗୀତଟିଏ ଗାଉଥିଲେ, ‘ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି….’ । ଧର୍ମେନ୍ଦ୍ରଙ୍କୁ ମୋଦୀଜୀ ଯେତେ ମୁଣ୍ଡେଇ ଧରୁଛନ୍ତି, ଧର୍ମେନ୍ଦ୍ର ସେତିକି ଲୋକପ୍ରିୟତା ହରାଉଛନ୍ତି ।
ଓଡ଼ିଶା ବିଜେପିରେ ୭/୮ ଗୋଷ୍ଠୀ ଅଛନ୍ତି । କୋଉ ଗୋଷ୍ଠୀ ସହିତ କାହାରି ଭଲ ସମ୍ପର୍କ ନାହିଁ । ଧର୍ମେନ୍ଦ୍ରଙ୍କ ଫଟୋ ଧରି ତାଙ୍କ ଗୋଷ୍ଠୀର କର୍ମୀମାନେ ଓଡ଼ିଶାରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିଲା ବେଳେ ଅନ୍ୟ ଗୋଷ୍ଠୀର ନେତାମାନେ ଧର୍ମେନ୍ଦ୍ରଙ୍କ ବିପକ୍ଷରେ ଭୋଟ ଦେବାକୁ ପରାମର୍ଶ ଦେବେ ।
ଏଭଳି ସ୍ଥିତିରେ ରାଜ୍ୟର ଭୋଟରମାନେ ବିଜେପିର କୋଉ ଗୋଷ୍ଠୀକୁ ଭୋଟ ଦେବେ । ବିଜେଡିରେ ଶହେ ଗୋଷ୍ଠୀ ଥିଲେ ମଧ୍ୟ ନବୀନବାବୁଙ୍କ ଗୋଷ୍ଠୀ ନିକଟରେ ସବୁ ଫିକା । ତେଣୁ ବିଜେଡି ନିକଟରୁ ଗୋଟିଏ ଆସନ ବିଜେପି ଦଖଲକୁ ଯିବାର ପ୍ରଶ୍ନ ନାହିଁ ।

 

ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ଆଂଚଳିକ ଦଳ ଏଜେଡି ପ୍ରତି ଦୃଷ୍ଟି ପକାଉଛନ୍ତି । ନୂଆ ଦଳ ହେଲେ ମଧ୍ୟ ଏଜେଡି ଉପରେ ଲୋକମାନେ ଭରସା କରିବା ଆରମ୍ଭ କରିଛନ୍ତି । ଯେହେତୁ ଏଜେଡି ନିର୍ବାଚନ ଆୟୋଗ ନିକଟରେ ପଂଜୀକୃତ ହୋଇନାହିଁ । ସେହେତୁ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ଖୋଲାଖୋଲି ଏଜେଡିରେ ମିଶି ପାରୁନାହାନ୍ତି । ନିକଟରେ ଏଜେଡି ଆବାହକ ସୀତାରାମ ବେହେରା କହିଛନ୍ତି ଯେ ତାଙ୍କ ଦଳ ଖୁବଶୀଘ୍ର ପଂଜୀକୃତ ହୋଇଯିବ । ନିର୍ବାଚନ ଆୟୋଗଙ୍କ ନିୟମାବଳୀ ଆଧାରରେ ଦରକାର ମୁତାବକ କାଗଜପତ୍ର ପ୍ରସ୍ତୁତି ଚାଲିଛି । ଆଉ ଗୋଟିଏ ଦଳ ହେଉଛି ରାଷ୍ଟ୍ରୀୟ ପରିବର୍ତନ ଦଳ (ଆରପିଡି) । ନିକଟ ଭବିଷ୍ୟତରେ ବିଜେଡିକୁ ବଡ଼ ଝଟ୍‌କା ଦେବା ପାଇଁ ଆରପିଡି ଉଦ୍ୟମ କରୁଛି । ଏ ଦଳର ଓଡ଼ିଶା ସଭାପତି ମଉକା ଦେଖି ଛକା ମାରିବା ନୀତିରେ ଅଛନ୍ତି ।

 

ତେଣୁ ଧର୍ମେନ୍ଦ୍ର ପ୍ରଧାନ ଯଦି ପ୍ରକୃତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ତେବେ ଏଜେଡି ନଚେତ୍‌ ଆରପିଡି ତାଙ୍କୁ ପୂର୍ଣ୍ଣ ସହାୟତା କରିବ କାରଣ ଏହି ଦୁଇଟି ଆଂଚଳିକ ଦଳ ବିଧାନସଭା ଓ ଲୋକସଭାରେ ପ୍ରବେଶ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ତା’ ସହିତ ଏହି ଦୁଇଟି ଦଳର ନେତାଙ୍କ ଉପରେ କଂଗ୍ରେସ ଓ ବିଜେଡି ଦୃଷ୍ଟି ପକାଇନାହିଁ । ବିଜେଡି ଓ କଂଗ୍ରେସ ସେମାନଙ୍କ ସହିତ ହାତ ମିଳାଇବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ହାତ ମିଳାଇପାରିଲେ, କିଛି ଗୋଟାଏ ବାଟ ନିଶ୍ଚିତ ବାହାରିବ । ତା’ ନହେଲେ ‘ସାରା ରାତି ଅନିଦ୍ରା, ମୁଗୁରା ପଛ ମେଲା’ ଅବସ୍ଥା ଭୋଗିବାକୁ ବେଶି ଡେରି ହେବନି ।
(ଲେଖକଙ୍କର ବ୍ୟକ୍ତିଗତ ମତାମତ ସହିତ ସଂପାଦକଙ୍କର କୌଣସି ସମ୍ପର୍କ ନାହିଁ ।)