ପେଟ ପାଇଁ ଟ୍ରକ ଚୋରି କଲେ ନବୀନବାବୁଙ୍କ ଯୁବନେତା

ବିଜେଡିରେ ଅଧିକାଂଶ ଚୋର, ଟାଉଟର, ଡକାୟତ!

ବିଜୁବାବୁଙ୍କ ଆଦର୍ଶକୁ ଜାବୁଡ଼ି ଧରିଥିବା ବିଜେଡିର ନେତାମାନେ….

ଯାଜପୁର: ବିଜୁବାବୁଙ୍କ ଆଦର୍ଶକୁ ଜାବୁଡ଼ି ଧରିଥିବା ବିଜେଡିର ନେତାମାନେ ଚୋରି, ଡକାୟତି, ଚିଟ୍‌ଫଣ୍ଡ ଦଲାଲ ଭାବେ ଦୁର୍ନାମ ଅର୍ଜନ କରୁଛନ୍ତି । ନବୀନବାବୁଙ୍କ ଅଭୟରେ ରହି ସେମାନେ ଏସବୁ କାମ କରୁଥିବା କ୍ରମେ ସ୍ପଷ୍ଟ ହୋଇଛି । ବିଜୁବାବୁଙ୍କ ଆଦର୍ଶ କ’ଣ ଥିଲା ଖଣିଖାଦାନ, ଗାଡ଼ିମୋଟର, ବ୍ୟାଙ୍କ ଲୁଟି ସେହି ଟଙ୍କାରେ ରାଜନୀତି କରିବାକୁ । ସମ୍ଭବତଃ ସେଇଆ ଥିଲା; ତା’ ନହେଲେ ନବୀନବାବୁ ତାଙ୍କ ଦଳର ନେତାମାନଙ୍କୁ ଏପରି କୁକର୍ମ କରିବାକୁ ପରାମର୍ଶ ଦେଇ ନଥାନ୍ତେ । ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଆମେ ଯାଜପୁର ଜିଲ୍ଲାର ଯୁବ ଜନତା ଦଳର ଉପସଭାପତି ଅଶ୍ୱଜିତ ରାଉତଙ୍କ କଥା କହୁଛୁ । ବାବୁ ଏବେ ଜେଲକୁ ଯାଇଛନ୍ତି । କ’ଣ ପାଇଁ? ଟ୍ରକ ଚୋରି ଅଭିଯୋଗରେ । ବାବୁଙ୍କ ଦୋଷ ଘୋଡ଼ାଇବା ପାଇଁ ନବୀନବାବୁ ଅବା ପ୍ରଣବ(ବବି) ବାବୁ କହିବେ ଯେ ଅଶ୍ୱଜିତ ରାଉତ ବିଜେଡିର ଲୋକ ନୁହନ୍ତି । ବିରୋଧୀ ଦଳ ପକ୍ଷରୁ ଏପରି ଅପପ୍ରଚାର କରାଯାଉଛି । ମୋଟରୁ ନୁହେଁ ଆଜ୍ଞା । ବିଜେଡିରେ ଏବେ ଖଣି ଚୋର, ପାଣି ଚୋର, ବ୍ୟାଙ୍କ ଲୁଟେରା, ବାଇକ୍‌ ଲୁଟେରା ଭଳି ବହୁବିଧ ଲୁଟେରାମାନେ ସାମିଲ ହେଲେଣି । ଦଳକୁ ପାଣ୍ଠି ଦେଇ ନବୀନବାବୁଙ୍କ ଶଙ୍ଖ ଫୁଙ୍କି ବିଧାନସଭା ଅବା ଲୋକସଭାରେ ପଶିଗଲେ, ପୁଲିସ ଓ ଜନତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ ଯୋଜନାର ଜାତୀୟକରଣ କରିବା ସହଜ ହେବ ।

 

ପୁଲିସ ସୂଚନା ମୁତାବକ ଧର୍ମଶାଳା ଓ ବଡ଼ଚଣା ଅଂଚଳରୁ ଟ୍ରକ ଚୋରି କରି କୋଲକାତା ନେଇ ଯାଉଥିଲେ ଲୁଟେରାମାନେ । ସେଠାରେ ଟ୍ରକରୁ ପାର୍ଟସ ଖୋଲି ବିକି ଦିଆଯାଉଥିଲା । ବିଜେଡି ନେତା ଅଶ୍ୱଜିତ ରାଉତଙ୍କ ସମେତ ୯ ଜଣଙ୍କୁ ଧର୍ମଶାଳା ପୁଲିସ ଗିରଫ କରିଛି । ଅଭିଯୁକ୍ତ ୯ ଜଣଙ୍କ ଭିତରୁ ଯାଜପୁରର ୬ ଜଣ ଓ ପଶ୍ଚିମବଙ୍ଗର ୩ ଜଣ ଅଛନ୍ତି । ଧର୍ମଶାଳା ଥାନା ଭଡ଼ଙ୍ଗା ନିକଟ ଏକ କ୍ରସରରୁ ୧୧ ତାରିଖରେ ଟ୍ରକ ଚୋରି ହୋଇଥିଲା । ସେହି ଘଟଣାର ତଦନ୍ତ କରୁକରୁ ପୁଲିସ ପହଂଚିଥିଲା ଅଶ୍ୱଜିତ ରାଉତଙ୍କ ପାଖରେ । କ୍ରସର ଜଗୁଆଳି କାଳିଆ ଓରଫ ବିକ୍ରମ ନାୟକଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା ।

କାଳିଆ ସହିତ ନେଉଳପୁର ନିବାସୀ ରମେଶ ପରିଡ଼ା ଉପରେ ପୁଲିସ ନଜର ରଖିଥିଲା । ଉଭୟଙ୍କୁ ଥାନାକୁ ଆଣି ଜେରା କରିବାରୁ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । କାଳିଆ ଓ ରମେଶଙ୍କ ବୟାନକୁ ଆଧାର କରି ପୁଲିସ ଅବିନାଶ, ଅଜୟ, ଗୁଡୁ, ବିଶ୍ୱଜିତ ସାମଲ, ସୌମ୍ୟଶ୍ରୀ ଜେନା, ମହମ୍ମଦ ଅବଦୁଲ ଓ ଅଶ୍ୱଜିତକୁ ଗିରଫ କଲା । ଅଭିଯୁକ୍ତଙ୍କ ନିକଟରୁ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରାଯାଇଛି । ସବୁ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତମାନେ ବଡ଼ଚଣା ଓ ଧର୍ମଶାଳା ଅଂଚଳରୁ ଟ୍ରକ ଚୋରି କରି ତା’ର ପାର୍ଟସକୁ ବିକୁଥିଲେ ବୋଲି ଯାଜପୁର ଏସ୍‌ଡିପିଓ କହିଛନ୍ତି ।