ଲାଞ୍ଜିଗଡ ଗଣଦୁଷ୍କର୍ମ ଘଟଣା; ୨୪ଘଂଟା ଭିତରେ ସମସ୍ତ ଦୁଷ୍କର୍ମକାରୀଙ୍କୁ ଗିରଫ କରାଯାଉ

ମହିଳା ଓ ଶିଶୁମାନଙ୍କ ପ୍ରତି ବିଜେଡି ସରକାର ଏତେ ସମ୍ବେଦିନହୀନ କଣ ପାଇଁ

ଭୁବନେଶ୍ୱର: ଓଡ଼ିଶାରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୂଷୁଡି ଯାଇଛି । ଏନ୍‌ସିଆରବି ରିପୋର୍ଟ ଅନୁସାରେ ମହିଳା ବିରୋଧୀ ଅତ୍ୟାଚାରରେ ସର୍ବାଗ୍ରେ ରହିଛି ଓଡିଶା । ବିଜେଡି ସରକାର ମହିଳା ସୁରକ୍ଷାକୁ ଆଦୈା ଗୁରୁତ୍ୱ ଦେଉନାହାନ୍ତି । ‘୫ଟି’ ଓ ‘ମୋ ସରକାର’ ବୋଲି ମିଥ୍ୟା ପ୍ରହେଳିକା କରି ଲୋକଙ୍କୁ ଭ୍ରମିତ କରୁଛନ୍ତି । ଚଳିତ ମାସ ୧୬ତାରିଖରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର କାଞ୍ଜିବାହାଳିଠାରେ ତାରିଣୀ ଉତ୍ସବ ଦେଖି ୩ଟି ଆଦିବାସୀ ନାବାଳିକା ଘରକୁ ଫେରିବାବେଳେ ୫ଜଣ ଦୁର୍ବୁତ ଦୁଷ୍କର୍ମ କରିଥିଲେ । ଅଭିଯୋଗ କରାଯିବା ସତ୍ୱେ ପୋଲିସ ୪ଦିନ ପରେ ମାମଲା ରୁଜୁ କରିଥିଲା । ଏହେଉଛି ଆଜିର ଦିନରେ ପୋଲିସର ଭୂମିକା । ଦୁଷ୍କର୍ମକାରୀ ଅପରାଧୀମାନଙ୍କ ସାହାସ ଦିନକୁ ଦିନ ବଢ଼ୁଥିଲେ ବି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବରଂ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ବୁଝାଇ ସୁଝାଇ ମାମଲା ରୁଜୁ ନକରିବା ପାଇଁ ଚାପ ପକାଉଥିଲା । ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ପ୍ରତି ଏତେ ସମ୍ବେଦିନହୀନ କ’ଣ ପାଇଁ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟରେ ମହିଳା ଦୁଷ୍କର୍ମ, ହତ୍ୟା, ଅପହରଣ ବଢ଼ୁଥିଲେ ବି ରୋକିବା ପାଇଁ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଲାଞ୍ଜିଗଡର ୩ ନାବାଳିକା ଘଟଣାକୁ ୬ଦିନ ବିତିଥିଲେ ବି ଦୁଷ୍କର୍ମକାରୀଙ୍କୁ ପୋଲିସ ଧରିପାରିଲା ନାହିଁ । ଓଡ଼ିଶା ପୋଲିସ କାହା ସ୍ୱାର୍ଥରେ କାମ କରୁଛି? ସାଢ଼େ ଚାରିକୋଟି ଓଡିଆଙ୍କ ସ୍ୱାର୍ଥରେ ନାଁ ବିଜୁ ଜନତା ଦଳ ପାଇଁ । ଓଡ଼ିଶାର ମହିଳାଙ୍କ ପ୍ରତି ରାଜ୍ୟ ସରକାରଙ୍କ ଯଦି ସାମାନ୍ୟତମ ସମ୍ବେଦନ ଥାଏ, ତାହାଲେ ୨୪ଘଂଟା ଭିତରେ ସମସ୍ତ ଦୁଷ୍କର୍ମକାରୀଙ୍କୁ ଗିରଫ କରନ୍ତୁ । ଗତକାଲି କଟକର ମଧୁପାଟଣାଠାରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିଲେ ବି ଅପରାଧୀର ଟେର୍ ପାଉନି ପୋଲିସ । ଓଡ଼ିଶାରେ ପୋଲିସ ପ୍ରଶାସନ, ଗୋଇନ୍ଦା ବ୍ୟବସ୍ଥାର କ୍ଷୟ ଘଟିଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

“ପରୀ ରଥ” କୁଆଡେ ଗଲା ? ମୁଖ୍ୟମନ୍ତ୍ରୀ ଜିରୋ ଟଲରେନ୍ସି କଥା କହି ଭୁଲିଗଲେ । ଓଡ଼ିଶାର ମହିଳାଙ୍କ ପ୍ରତି ଏଭଳି ହୃଦୟହୀନ ଘଟଣା ଘଟିଥିଲେ ବି ମୁଖ୍ୟମନ୍ତ୍ରୀ, ମହିଳା ଶିଶୁବିକାଶମନ୍ତ୍ରୀ, ମହିଳା ଶିଶୁବିକାଶ ଉପଦେଷ୍ଟା, ବିଜୁ ଜନତା ଦଳର ନେତ୍ରୀ, ଓଡ଼ିଶାର ମହିଳା ମନ୍ତ୍ରୀମାନେ ମୁହଁ ଚୁପ୍ କ’ଣ ପାଇଁ ରହିଛନ୍ତି? ପୋଲିସ ସମ୍ବିଧାନ ବିଧିବ୍ୟବସ୍ଥାର ଅଙ୍ଗ, ରାଜନୀତି ଛାଡି ମହିଳା ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । ଓଡ଼ିଶାର ଗଣତନ୍ତ୍ର ଏବେ ବିପଦରେ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ଓଡ଼ିଶା ପୋଲିସ ଘଟଣାର ସଠିକ୍ ତଦନ୍ତ କରି ଅପରାଧୀଙ୍କୁ ଦଣ୍ଡିତ କରିବା ପରିବର୍ତେ ପୀଡିତାଙ୍କୁ ବୁଝାଇବା, ପ୍ରଲୋଭନ ଦେଖାଇବା, ଧମକାଇ କେସ୍‌କୁ ରଫାଦଫା କରିବା କାର୍ଯ୍ୟରେ ବ୍ୟସ୍ତ । ରାଜ୍ୟରେ ଦଣ୍ଡବିଧାନ ହାର ସର୍ବଭାରତୀୟ ସ୍ତର ଅପେକ୍ଷା ବହୁ କମ୍ । ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଅତୀତରେ ମମିତା ମେହେର ହତ୍ୟାରେ ଶାସକ ଦଳର ପ୍ରଭାବଶାଳୀ ମନ୍ତ୍ରୀ ଲିପ୍ତ ଥିଲେ, କିନ୍ତୁ ପୋଲିସ ଏ ଘଟଣାର ଲିପାପୋତି କରିଦେବା ସହ ସାକ୍ଷୀଙ୍କୁ ହତ୍ୟା କରି ଦିଆଗଲା । ଅପରାଧ ଓ ଅପରାଧୀଙ୍କୁ ବିଜେଡି ସରକାର ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେଉଥିବାରୁ ସେମାନଙ୍କ ମନରେ ଆଉ ଭୟ ରହୁନାହିଁ ବରଂ ଅଧିକ ଅପରାଧ କରିବା ପାଇଁ ପ୍ରୋତ୍ସାହିତ ହେଉଛନ୍ତି ।

କୁଖ୍ୟାତ ଅପରାଧୀ ଅତିକ୍ ଅହମ୍ମଦଙ୍କ ଘନିଷ୍ଟ ସହଯୋଗୀ ଗୁଡୁ ମୁସଲିମ୍‌ର ପୁରୀଠାରେ ଥିବାର ସୁଚନା ଦେଇଛି ଉତରପ୍ରଦେଶ ଏସଟିଏଫ୍ । ତାହେଲେ ଓଡ଼ିଶା ପୋଲିସ, ଗୋଇନ୍ଦା ବିଭାଗ କ’ଣ କରୁଥିଲା? ଗୁଡୁର ଲିଙ୍କ ବରଗଡରେ ରହିଛି ଏବଂ ତାର ଘନିଷ୍ଟ ସହଯୋଗୀ ହେଉଛି ଭଟଲୀର ରାଜା ଖାନ୍‌, ଯିଏ କି ବିଜୁ ଜନତା ଦଳର ବାହୁବଳୀ ନେତା ତଥା ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କ ସହଯୋଗୀ । ସୁଶାନ୍ତ ସିଂଙ୍କ ଅପରାଧ ସାମ୍ରାଜର ବଡ କାର୍ପଟଦାର ରାଜା ବୋଲି ବର୍ତମାନ ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶାର ମହିଳାମାନେ ଓଡ଼ିଶାକୁ ସୁରକ୍ଷିତ ମନେ ନକରୁଥିବାବେଳେ ଗୁଡୁ ମୁସଲମାନ ଭଳି କୁଖ୍ୟାତ ଅପରାଧୀମାନେ ସୁରକ୍ଷିତ ଭାବୁଛନ୍ତି । ଏହା ଅତ୍ୟନ୍ତ ଚିନ୍ତାର କାରଣ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତୀ ବେହେରା ବିଧାନସଭାରେ ଉତର ରଖିଥିଲେ ଯେ, ଗତ ୨୦୧୯ ରୁ ୨୦୨୨ ମସିହା ସାଢ଼େ ତିନିବର୍ଷ ଭିତରେ ଓଡ଼ିଶାରେ ୧୫ହଜାର ମହିଳା ଦୁଷ୍କର୍ମ, ୧୬ରୁ ଅଧିକ ମହିଳା ନିଖୋଜ, ୧୦୧୩୮ଟି ଦୁଷ୍କର୍ମ କେସ୍ ରୁଜୁ କରାଯାଇଛି ଏବଂ ସେଥିରେ ନାବାଳିକା ଦୁଷ୍କର୍ମ ୫୫୮୪ଟି ରହିଛି । ଏଥିରୁ ରାଜ୍ୟରେ ମହିଳାମାନେ କେତେ ଅସୁରକ୍ଷିତ ତାହା ସ୍ପଷ୍ଟ ହୋଇଛି । ଓଡ଼ିଶାରେ ମହିଳା ଓ ଶିଶୁ ଅସୁରକ୍ଷିତ ଥିବାବେଳେ ମୁଖ୍ୟମନ୍ତ୍ରୀ କିଭଳି ଶାନ୍ତିରେ ବସି ରହୁଛନ୍ତି ତାହାର ଉତର ରଖନ୍ତୁ ବୋଲି ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ମହିଳାମୋର୍ଚ୍ଚାର ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ଓ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।