ନବୀନବାବୁ ଟାଟା ପାୱାର’ର ଅଘୋଷିତ ବ୍ରାଣ୍ଡ୍‌ ଆମ୍ବାସାଡାର୍‌

‘ଟାଟା ପାୱାର ଗୋ ବ୍ୟାକ୍‌’ ଅଭିଯାନର ଶୁଭାରମ୍ଭ…..

ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ପାୱାର’ର ଅଘୋଷିତ ବ୍ରାଣ୍ଡ ଆମ୍ବାସାଡାର । ବିଜୁଳି ଉପଭୋକ୍ତାଙ୍କ ଲୁଟିବା ପାଇଁ ଟାଟା ପାୱାରକୁ ଅଖଣ୍ଡ କ୍ଷମତା ଦିଆଯାଇଛି ।’ ଏଭଳି ଅଭିଯୋଗ କରିଛି ଏନ୍‌ୟୁବିସି । ସଂଗଠନର ରାଜ୍ୟ ସମ୍ପାଦକ କହିଛନ୍ତି, ଟାଟା ପାୱାର’ର ଲାଭଖୋର ନୀତିକୁ ତୀବ୍ର ପ୍ରତିବାଦ କରୁଛି ନ୍ୟାସ୍‌ନାଲ୍‌ ୟୁନିଅନ୍‌ ଅଫ୍‌ ବ୍ୟାକ୍‌ୱାର୍ଡ କ୍ଲାସ୍‌ (ଏନ୍‌ୟୁବିସି) । ଟାଟା ପାୱାର ବିରୋଧରେ ଲୋକଙ୍କୁ ମେଳି କରିବା ପାଇଁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି । ଏ ଅଭିଯାନକୁ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବଂଚାଇ ରଖିବୁ । ନବୀନବାବୁଙ୍କ ଟାଟା ପ୍ରେମକୁ ସାଧାରଣ ନିର୍ବାଚନ ଜରିଆରେ ଠିକଣା ଜବାବ ଦେବୁ । ପ୍ରଥମ ଦଫାରେ ସଂଗଠନ ଟାଟା ପାୱାରର ଲାଭଖୋର ନୀତି ସମ୍ପର୍କରେ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି । ଏ ସମ୍ପର୍କରେ ଏନ୍‌ୟୁବିସିର ରାଜ୍ୟ ସଂପାଦକ ସୀତାରାମ ବେହେରା କହିଛନ୍ତି, ଗ୍ରୀଡ୍‌କୋ ସହ ବୁଝାମଣା ପରେ ଟାଟା ପାୱାର ରାଜ୍ୟବାସୀଙ୍କୁ ବିଜୁଳି ବିତରଣ ଓ ଶୁଳ୍କ ଆଦାୟ ଦାୟିତ୍ୱ ବହନ କରିଛି ।

ପୂର୍ବରୁ ରିଲାଏନ୍ସ ପାୱାର ରାଜ୍ୟବାସୀଙ୍କୁ ବିଜୁଳି ଶକ୍ତି ବିତରଣ ଓ ଶୁଳ୍କ ଆଦାୟ କରୁଥିଲା । ମାଛତେଲରେ ମାଛ ଭାଜି ବେପାର କରିବା କଳାଟି ଉଭୟ ରିଲାଏନ୍ସ ଓ ଟାଟା ପାୱାରକୁ ଭଲ ଭାବରେ ଜଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କର କେଉଁ ସ୍ୱାର୍ଥ ପାଇଁ ଟାଟା ପାୱାରକୁ ବିଜୁଳି ବିତରଣ ଓ ଶୁଳ୍କ ଆଦାୟ କ୍ଷମତା ଦେଇଛନ୍ତି ବୋଲି ପ୍ରଶ୍ନ କରିଛି ଏନ୍‌ୟୁବିସି । ବିଦ୍ୟୁତ ସଂଯୋଗ ପାଇଁ ଉପଭୋକ୍ତାଙ୍କୁ ସବୁ ଖର୍ଚ୍ଚ ତୁଲାଇବାକୁ ପଡୁଛି । ମିଟର, ତାର, ଜିଆଇ ପାଇପ୍‌ ପ୍ରଭୃତି ସରଞ୍ଜାମ କିଣିବା ସହିତ ଚାହିଦା ମୁତାବକ ବିଦ୍ୟୁତ୍‌ ଯୋଗାଣ ପାଇଁ ଦରକାର ମୁତାବକ ଦେୟ ମଧ୍ୟ ଉପଭୋକ୍ତା ଦାଖଲ କରିଥାନ୍ତି । ଏ ଦିଗରେ ଟାଟା ପାୱାରକୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ି ନଥାଏ । ରିଲାଏନ୍ସ ଅମଳରେ ବସାଯାଇଥିବା ଟ୍ରାନ୍ସଫର୍ମର ଜରିଆରେ ଟାଟା ପାୱାର ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇ ଆସୁଛି ।

ରିଲାଏନ୍ସ ଅମଳରେ ବସାଯାଇଥିବା ଟ୍ରାନ୍ସଫର୍ମର ସଂପୃକ୍ତ ଅଂଚଳରେ ବସବାସ କରୁଥିବା ଉପଭୋକ୍ତାଙ୍କ ଅର୍ଥରେ କିଣାଯାଉଥିଲା । ଏବେ ଟାଟା ଉକ୍ତ ଟ୍ରାନ୍ସଫର୍ମରକୁ ପେତୃକ ସମ୍ପତ୍ତି ଭାବୁଛି । ବିଶେଷ କରି ବିନା ସୂଚନାରେ ଘଂଟା ଘଂଟା ଧରି ବିଦ୍ୟୁତ କାଟ ଓ କମ୍‌ କ୍ଷମତାସମ୍ପନ୍ନ ବିଜୁଳି ଯୋଗାଣ ପ୍ରତି ଉପଭୋକ୍ତାଙ୍କ ଅସନ୍ତୋଷ କ୍ରମେ ବଢ଼ିଚାଲିଛି । ଅଧିକାଂଶ ଉପଭୋକ୍ତାଙ୍କ ଗୋଟିଏ ଅଭିଯୋଗ, ଯଥା ସମୟରେ ବିଦ୍ୟୁତ ଦେୟ ପଇଠ କରିବୁ, ତା’ ସହିତ ଅଘୋଷିତ ବିଜୁଳି କାଟର ଯନ୍ତ୍ରଣା ଭୋଗିବୁ ।