ବିରୋଧୀ ମିଶିଲେ, ବିଜେପି ଆଣ୍ଠେଇବ

୨୦୨୪ ଯାଏ ବିରୋଧୀ ଏକ ରହିବାକୁ ପରାମର୍ଶ

୨୦୨୪ ନିର୍ବାଚନ ସରିବା ପର୍ଯ୍ୟନ୍ତ ସବୁ ବିରୋଧୀ ଦଳ ଏକଜୁଟ …

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ସରିବା ପର୍ଯ୍ୟନ୍ତ ସବୁ ବିରୋଧୀ ଦଳ ଏକଜୁଟ ହୋଇରହିଲେ, ବିଜେପି ଆଣ୍ଠେଇବାକୁ ବାଧ୍ୟ ହେବ ବୋଲି ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ମଣିପୁର ବିଧାନସଭାର ୬ ଜଣ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ମିଶିଯିବା ଘଟଣା ଶୁଣିବା ପରେ ନୀତୀଶ କହିଛନ୍ତି, ଅନ୍ୟ ଦଳରୁ ଭଲ ନେତାଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଳରେ ସାମିଲ କରିବା ଆଜିକାର ବିଜେପିର ନୂଆ ରଣନୀତି ଯାହା ମୋଟରୁ ଠିକ ନୁହେଁ । ଆଜିର ବିଜେପି ଯେଉଁ ଦଳଭଙ୍ଗା ନୀତିକୁ ଉଚିତ ମଣିଛି; ତା’ର ଉଚିତ ଜବାବ ହେଉଛି ବିରୋଧୀ ଦଳଗୁଡ଼ିକ ଭିତରେ ଏକତା ।

ଦେଶର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ୨୦୨୪ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଯଦି ସବୁଦଳ ଏକଜୁଟ ରୁହନ୍ତି; ତେବେ ବିଜେପି ଠିକଣା ଜବାବ ପାଇବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ‘ସବୁ ବିରୋଧୀ ଦଳ ଏକ ହୋଇ ଲଢ଼ିବୁ, ନିର୍ବାଚନ ପରେ ବିଜେପି ମେଂଟକୁ ଠିକଣା ଜବାବ ଦେବୁ’, ଏହା ଥିଲା ଜେଡିୟୁ ନେତା ନୀତୀଶ କୁମାରଙ୍କ ଶେଷ ହୁଙ୍କାର ।

ନୀତୀଶ କୁମାରଙ୍କ ହୁଙ୍କାର କେତେଦୂର କାମ କରୁଛି; ତାହା ଆଗାମୀ ଦିନରେ ଦେଖାଯିବ । କିନ୍ତୁ ଏବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ କ୍ରମେ ବିବାଦ ଭିତରକୁ ଠେଲି ହୋଇଯାଉଛି । କଂଗ୍ରେସ ଭିତରେ କିଛି ନେତା ସଭ୍ୟଙ୍କ ତାଲିକାକୁ ସାର୍ବଜନୀନ କରିବା ପାଇଁ ମତବ୍ୟକ୍ତ କରିବାରୁ ତାକୁ କେନ୍ଦ୍ର କରି କଂଗ୍ରେସ ଭିତରେ ବିଭାଜନର ସୂତ୍ରପାତ ହୋଇଛି । କଂଗ୍ରେସର ଆଭ୍ୟନ୍ତରୀଣ କଳି କ୍ରମେ ସାର୍ବଜନୀନ ହେଉଛି ଯାହାର ପ୍ରଭାବ ଆଗାମୀ ନିର୍ବାଚନରେ ପଡ଼ିବା ସୁନିଶ୍ଚିତ ।

ଦେଶର ଦୁଇଟି ଶକ୍ତିଶାଳୀ ଜାତୀୟ ଦଳ ଭିତରୁ ଗୋଟିଏ ଦୁର୍ବଳ ହୋଇଗଲେ, ଅନ୍ୟଟି ଅପରାଜେୟ ହୋଇଯିବା ଅନିଶ୍ଚିତ ନୁହେଁ । ଏପରି ସମୟରେ ନୀତୀଶ କୁମାରଙ୍କ ‘ସବୁ ଦଳ ଏକ ହୁଅ’ ଆହ୍ୱାନ କେତେଦୂର ସଫଳ ହେବ; ତାହା ଉପରେ ଲୋକଙ୍କ ନଜର ରହିଛି ।