ଯୋଗୀଙ୍କ କାରନାମା: ଭୂତ ପାଉଛନ୍ତି କିଷାନ ଟଙ୍କା

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାଣତରେ ବାଡ଼ ଖାଉଛି ଶସ୍ୟ

ନୂଆଦିଲ୍ଲୀ: ପରଲୋକଗତ ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ପଠାଯାଉଛି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ବାବଦ ଟଙ୍କା । ଏପରି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିବା ପରେ ବିଭାଗୀୟ ସ୍ତରରେ ତନାଘନା ଆରମ୍ଭ ହୋଇଛି । ସଦ୍ୟ ରିପୋର୍ଟ ମୁତାବକ ୪୫୦୦ରୁ ଅଧିକ ଭୂତଚାଷୀଙ୍କ ନିକଟକୁ ପିଏମ୍‌ କିଷାନ ନିଧି ଯୋଜନା ବାବଦ ସହାୟତା ଟଙ୍କା ପଠାଯାଇଛି । ଚାଷୀଙ୍କ ସଦ୍ୟ ତାଲିକା ପ୍ରସ୍ତୁତ କରା ନଯାଇ ଟଙ୍କା ପଠାଯିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେବଳ ସେତିକିରେ ସରକାରୀ କଳର କଳଙ୍କିତ ଅଧ୍ୟାୟ ଶେଷ ହୋଇନି । ଆୟକର ଟିକସ ପ୍ରଦାନ କରୁଥିବା ଦେଢ଼ହଜାର ଚାଷୀଙ୍କୁ ମଧ୍ୟ କିଷାନ ଯୋଜନା ଟଙ୍କା ଦିଆଯାଉଛି । ଏସବୁ ବ୍ୟତିକ୍ରମ ୟୁପିର ହମିରପୁର ଜିଲ୍ଲାରେ ଘଟିଛି । ଭାତହାଣ୍ଡିରୁ ଗୋଟିଏ ଚିପିବା ପରି ହମିରପୁର ଜିଲ୍ଲାକୁ ଉଦାହରଣ ଦିଆଯାଇଛି । ମାତ୍ର ଦେଶବ୍ୟାପୀ ଖୋଳତାଡ଼ କଲେ ବହୁ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିବ । ୟୁପି କୃଷି ବିଭାଗ ଯାଂଚ କରିବା ଫଳରେ ମୋଟ ୮୧୦୫ ଅଯୋଗ୍ୟ କୃଷକଙ୍କ ଜମାଖାତାକୁ କିଷାନ ଟଙ୍କା ଯାଇଥିବା ଜଣାପଡ଼ିଛି । ଅବଶ୍ୟ ସେମାନଙ୍କ ଭିତରୁ ୬୬୦ ଜଣ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ୩୪ ଲକ୍ଷ ୭୯ ହଜାର ଟଙ୍କା ଆଦାୟ କରାଯାଇଛି । ହମିରପୁର ଜିଲ୍ଲାରେ ଚାଷୀଙ୍କ ସଂଖ୍ୟା ପ୍ରାୟ ଅଢେ଼ଇ ଲକ୍ଷ । ସେମାନଙ୍କ ଭିତରୁ ଏକ ଲକ୍ଷ ୮୭ ଜଣ କୃଷକଙ୍କୁ ପିଏମ୍‌ କିଷାନ ଯୋଜନାରେ ସାମିଲ କରାଯାଇଥିଲା ।

ତାଲିକାଭୁକ୍ତ ଚାଷୀଙ୍କ ଭିତରୁ ୧ ଲକ୍ଷ ୪୩ ହଜାର ଛୋଟ ଚାଷୀ ଓ ଭାଗଚାଷୀ । ସମସ୍ତଙ୍କୁ ଖାତାକୁ ପ୍ରାୟ ୧୧ ଥର କିଷାନ ଟଙ୍କା ପଠାଯାଇଛି ଯାହାର ପରିମାଣ ୩୪୮.୨୧୦ କୋଟି ଟଙ୍କା । କଡ଼ା ଯାଂଚ କରିବା ଫଳରେ ପ୍ରକୃତ ଚାଷୀଙ୍କ ସଂଖ୍ୟା ଏକ ଲକ୍ଷରୁ କମ୍‌ ବୋଲି ଜଣାପଡ଼ିଛି । ପ୍ରଶ୍ନ ଉଠୁଛି, ୟୁପିରେ ବିଜେପି ମେଂଟ ଶାସନ କରୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ଏଭଳି ବଡ଼ଧରଣର ତ୍ରୁଟି ହେଲା କେମିତି?