ପଦମପୁର: ସରିଲା ପ୍ରଚାର, ଏବେ ଟଙ୍କା ବଂଟା!

ବାଜି ମାରିବ କିଏ? ବିଜେପି ନା ବିଜେଡି…

ପଦମପୁର: ଖୋଲାଖୋଲି ପ୍ରଚାର ଅଭିଯାନ ସରିଛି । ଏବେ ରାତିଅଧିଆ କାମ ପାଇଁ ଦୁଇଟି ଦଳ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି । କଂଗ୍ରେସ ନିଜର ପରାଜୟ ଆଗରୁ ଜାଣିସାରିଛି । ପଦମପୁରଟି ବିଜେଡି ଦଖଲରେ ଥିବାରୁ ବର୍ଷା ସିଂହ ବରିହାଙ୍କ ସମର୍ଥକମାନେ ଘରକୁ ଘର ବୁଲି ଟଙ୍କା ବଂଟା କାମ ଆରମ୍ଭ କରିପାରନ୍ତି । ବିଜେପି ପକ୍ଷରୁ ଅନୁରୂପ ପ୍ରୟାସ ଚାଲିବ ବୋଲି ଭିତିରିଆ ସୂତ୍ରରୁ ଶୁଣିବାକୁ ମିଳୁଛି । ମାତ୍ର ବିଜେପି ପାଖରେ ସେପରି ଲୋକବଳ ନଥିବାରୁ ଭୋଟରଙ୍କ ପାଖରେ ଟଙ୍କା ଠିକ୍‌ ସମୟରେ ପହଂଚି ପାରିବନି ।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କୋଉଠି ହାତଯୋଡ଼ି, କୋଉଠି ସାଷ୍ଟାଙ୍ଗ ପ୍ରଣିପାତ, କୋଉଠି କାନ୍ଦକାନ୍ଦ ମୁହଁରେ ଭୋଟ ଭିକ୍ଷା କରୁଥିଲା ବେଳେ ବର୍ଷା ବରିହା କଥା କଥାକେ ଆଖିରୁ ଲୁହ ଝରାଇ ଭୋଟ ସାଉଁଟିବା କଳା ପ୍ରୟୋଗ କରିଛନ୍ତି । ବାପା ବଂଚିଥିବା ସମୟରେ ନିର୍ବାଚନରେ ପ୍ରାର୍ଥୀ ହେବାର ସୁଯୋଗ ବର୍ଷାଙ୍କ ଭାଗ୍ୟରେ ଜୁଟି ନଥିଲା । ବାପା ମରିଯିବା ପରେ ବିଜେଡି ମୁଖିଆଙ୍କ ଶୁଭଦୃଷ୍ଟିରେ ପଡ଼ି ନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ ସମ୍ଭବତଃ ବର୍ଷାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବୋହିଆସୁଛି । ତାକୁ ଦେଖି ବିଜେଡି ବାଲାଏ କେତେ କ’ଣ କହି ଚାଲିଛନ୍ତି ।

ମଇଦାନରେ କଂଗ୍ରେସର ସତ୍ୟଭୂଷଣ ସାହୁ, ଓଜିପି ନେତା ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ବିଦ୍ୟାଧର ପାଣ୍ଡବ, ସ୍ୱାଧୀନ ପ୍ରାର୍ଥୀ ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ, ଗଙ୍ଗାଧର ସାହା ଠିଆ ହୋଇଛନ୍ତି । ୫ ତାରିଖ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ ।

୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତଦାନ କରିପାରନ୍ତି । ପଦମପୁରର ୭୪ଟି ବୁଥ ମାଓପ୍ରବଣ ଇଲାକାରେ ରହିଛି । ୭୮ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । ଅପରାହ୍ଣ ଚାରିଟା ଯାଏ ମତଦାନ ଜାରି ରହିବ । ପୁଲିଂ ଅଧିକାରୀମାନେ ବୁଥ କେନ୍ଦ୍ରକୁ ଯିବା ଆରମ୍ଭ କରିଛନ୍ତି । ଏହି ଉପନିର୍ବାଚନ ଉପରେ ବିଜେପି ଓ ବିଜେଡିର ଭବିଷ୍ୟ ରଣନୀତି ନିର୍ଭର କରୁଛି ।