ବିଜେଡି ମୁଖିଆଙ୍କୁ ଦୁଃଖ ଜଣାଇଲେ ‘ପୁରୁଣା-ଓ’

ଭୁବନେଶ୍ୱର: ବିଜେଡି’ରେ ପାଣ୍ଡିୟାନଙ୍କ ପ୍ରବେଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ନିଜକୁ ବୟସ୍କ ଭାବୁନାହାନ୍ତି । ବିଶେଷ କରି ଭାଟିକାନ ସିଟିରୁ ଫେରିବା ପରଠାରୁ ସାରଙ୍କ ମନପ୍ରାଣ ଓ ଶରୀର ପୁରାଦମରେ କାମ କରୁଛି । ଏମିତି ତ ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ରହି ପାଣ୍ଡିୟାନ ଶାସନର ମୁଖ୍ୟସ୍ରୋତକୁ ନିୟନ୍ତ୍ରଣ କରୁଥିଲେ । ଏବେ ନବୀନ ବାବୁଙ୍କୁ ବିଜେଡିର ଭୀଷ୍ମ ପିତାମହ କରିବା ପାଇଁ ସବୁ ସରକାରୀ ଯୋଜନାରେ ‘ବିଜୁ’ ହଟାଇ ‘ନବୀନ’ ଯୋଡ଼ିବା କାମଟି ପାଣ୍ଡିୟାନ ଆରମ୍ଭ କରିଛନ୍ତି ।

ଏପରି କଲେ କିଛି ଲାଭ ହେବନି ବୋଲି ବିଜେଡିର କିଛି ‘ପୁରୁଣା-ଓ’ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖି ଜଣାଇଛନ୍ତି । ପୁରୁଣା-ଓ’ଙ୍କ ଅଭିଯୋଗ ହେଉଛି ଯେ ନବୀନ ବାବୁ ‘ପୁରୁଣା-ଓ’ଙ୍କ ବଳରେ ୨୫ ବର୍ଷ ଧରି ଶାସନ କଲାପରେ ‘ନୂଆ-ଓ’ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ।

ରାଜ୍ୟର ପ୍ରତି ବ୍ଲକ, ସଦର ମହକୁମାରେ ‘ନୂଆ-ଓ’ଙ୍କ ଚାହିଦା ବୃଦ୍ଧି ପାଉଛି । ସେମିତି ହେଲେ ‘ପୁରୁଣା-ଓ’ଙ୍କ ବଜାର ମୂଲ୍ୟ ଶୂନ ହୋଇଯିବ । ବିଜେଡି ମୁଖିଆ ‘ନୂଆ-ଓ’ଙ୍କ ହାତ ଧରି ଶାସନ କରନ୍ତୁ; ମାତ୍ର ତା’ ସହିତ ‘ପୁରୁଣା-ଓ’ଙ୍କ ପାଇଁ କିଛି ଗୋଟାଏ ବାଟ କରନ୍ତୁ ।

ସଂକ୍ଷେପରେ କହିଲେ, ବିଜେଡିରେ ଅସନ୍ତୋଷର ଦାନା କ୍ରମେ ବୃଦ୍ଧି ପାଇଲାଣି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସର୍ବାଧିକ ମତଭେଦ ସୃଷ୍ଟି ହୋଇଛି ।