ଡକାୟତ ଦଳକୁ ବଳି ଯାଇଛନ୍ତି କ୍ଷମତାସୀନ ରାଜନୈତିକ ଦଳ

ଦେଶବାସୀଙ୍କୁ ଲୁଟିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ରାଜନୈତିକ ଦଳକୁ ଯାବତୀୟ ସୁବିଧା ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନ ବଣ୍ଡ୍‌ ଖୋଲା ବଜାରକୁ ଗଲା । କଳାବଜାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଗଲା ରାଜନୈତିକ ଦଳ । ଯେତେ ପାରୁଛ ଲୋକଙ୍କୁ ଶୋଷଣ କର । କ୍ଷମତାସୀନ ରାଜନୈତିକ ଦଳକୁ ଚାନ୍ଦା ଦେଇ ଆରାମରେ ଦିନ କାଟ ।

ଗୋଟିଏ ଡକାୟତ ଦଳକୁ ଗିରଫ କରିବା ପାଇଁ ଭାରତୀୟ ଦଣ୍ଡ ବିଧି ଆଇନରେ ବ୍ୟବସ୍ଥା କରାଯାଇଛି । କିନ୍ତୁ ଦେଶକୁ ବିକିବା ପାଇଁ ରାଜନୈତିକ ଦଳକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ରାଜନୈତିକ ଦଳକୁ ପ୍ରଶ୍ନ ପଚାରିବା ପାଇଁ ସାଧାରଣ ଭୋଟରକୁ କ୍ଷମତା ଦିଆଯାଇନି । କୋଉ ସଂସ୍ଥା କୋଉ ଲୋକ କୋଉ ରାଜନୈତିକ ଦଳଗୁ କେତେଟଙ୍କା ଚାନ୍ଦା ଦେଲା; ତା’ର କୌଣସି ସୂଚନା ସାଧାରଣ ଭୋଟର ପାଖରେ ନାହିଁ ।

ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ସଶକ୍ତ କରିବା ପାଇଁ ନିର୍ବାଚନ ବଣ୍ଡ ଭଳି ମହାକାଳ ଫଳଟିଏ ବିଜେପିର ଭୂତପୂର୍ବ ନେତା ଅରୁଣ ଜେଟଲୀଙ୍କ ମଗଜରୁ ବାହାରିଥିଲା । ଭାରତର ରିଜର୍ଭ ବ୍ୟାଙ୍କ ଓ ନିର୍ବାଚନ କମିଶନଙ୍କ ଅନୁମୋଦନ କ୍ରମେ କ୍ଷମତାସୀନ ବିଜେପି ଦେଶ ଭିତରେ କଳାଧନ ଠୁଳକାରୀଙ୍କ ସୁରକ୍ଷା କବଚ ତିଆରି କଲେ । ଫଳରେ କେବଳ ବିଜେପି ନୁହେଁ ଅଧିକାଂଶ ରାଜ୍ୟରେ କ୍ଷମତାସୀନ ଆଂଚଳିକ ରାଜନୈତିକ ଦଳଗୁଡ଼ିକ ମଧ୍ୟ ମାଲାମାଲ ହୋଇଛନ୍ତି ।

ଓଡ଼ିଶାରେ କ୍ଷମତାସୀନ ବିଜେଡି ମଧ୍ୟ ନିର୍ବାଚନ ବଣ୍ଡ ଜରିଆରେ ମାଲାମାଲ ହୋଇଛି । ଓଡ଼ିଶାର ଜମି ଜଳ ଜଙ୍ଗଲ ପାଣି ବିଜୁଳିକୁ ଶିଳ୍ପପତିଙ୍କ ହାତକୁ ଟେକିଦେଇ ତା’ ବଦଳରେ ଦଳ ପାଇଁ କୋଟିକୋଟି ଟଙ୍କା ଚାନ୍ଦା ଆଦାୟ କରୁଛି । ସେହି ଟଙ୍କାକୁ ନିର୍ବାଚନରେ ବିନିଯୋଗ କରି କ୍ଷମତାକୁ ଯାଉଛି । ସଂକ୍ଷେପରେ କହିଲେ, ରାଜ୍ୟଟାକୁ ଲୁଟୁଛନ୍ତି ନବୀନ-ନରେନ୍ଦ୍ର ଯୋଡ଼ି ।