ଦୁର୍ନୀତିର ସୌଦାଗର ନବୀନ-ନରେନ୍ଦ୍ର

ରାବଣକୁ ମାରିବା ପାଇଁ ଭଗବାନ ରାମଙ୍କୁ ଜନ୍ମ ନେବାକୁ ପଡ଼ିଥିଲା । ମାତ୍ର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମାରିବା ପାଇଁ ଭଗବାନ ରାମଙ୍କୁ ଜନ୍ମ ନେବାର ରାସ୍ତା ବନ୍ଦ କରି ଦେଇଛନ୍ତି ନବୀନ-ନରେନ୍ଦ୍ର ଯୋଡ଼ି । ଗଣମାଧ୍ୟମର ତଂଟିକୁ ଚାପି ଏ ଦେଶର ଜନତାଙ୍କୁ ଗୋଲାମ ଜୀବନ କାଟିବାକୁ ସମ୍ବିଧାନରେ ବ୍ୟବସ୍ଥା କରାଯାଉଛି ।

ଏତିକି ବେଳୁ ଆପଣମାନେ ସାବଧାନ ହୋଇଯାଆନ୍ତୁ । ନଚେତ୍‌ ଆପଣଙ୍କ ହାତରେ କୌଣସି କ୍ଷମତା ରହିବନି । ନିଜ ହାତରେ ବିଷ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ । କ୍ଷମତାଲୋଭୀ ରାଜଶକ୍ତି ଅତୀତରେ ବିଚକ୍ଷଣ ଦାର୍ଶନିକ ସକ୍ରେଟିସଙ୍କୁ ବିଷ ପିଇ ମରିବା ପାଇଁ ବାଧ୍ୟ କରିଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତାଙ୍କୁ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ତିନିମାଙ୍କଡ଼ ଭଳି ବସାଇ ଦେଇଛନ୍ତି ।

ଜନତାଙ୍କ ଆଗରେ ବିଜେପି-ବିଜେଡି ପରସ୍ପରଠାରୁ ଅଲଗା । ମାତ୍ର ଲୋକସଭା ଓ ବିଧାନସଭା ଭିତରେ ସେମାନଙ୍କ ସଂପର୍କ ଭାରି ନିବିଡ଼ । ଖାସ୍‌ ସେଇଥିପାଇଁ ଚିଟ୍‌ଫଣ୍ଡ କେଳେଙ୍କାରୀକୁ ଚାପି ଦିଆଗଲା । ବିଜେଡିର ଯୋଉ ବିଧାୟକ ଓ ସାଂସଦମାନେ ଚିଟଫଣ୍ଡ ସଂସ୍ଥା ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡାର ପାଲଟିଥିଲେ । ସେଇମାନଙ୍କ ପୁଅଝିଅ ପତ୍ନୀଙ୍କୁ ଦଳୀୟ ଟିକେଟ୍‌ ଦିଆଯାଇ ବିଧାନସଭା ଭିତରେ ସୁରକ୍ଷିତ ଆସନରେ ବସାଇ ଦିଆଗଲା ।

ଦୁଇ ରାଜନୈତିକ ଦଳ ଲୋକଙ୍କ କଲ୍ୟାଣ ପାଇଁ ଯୋଜନା ପ୍ରଣୟନ କରୁଛନ୍ତି । ସେହି ଆଳରେ ରାଜକୋଷରୁ କୋଟିକୋଟି ଟଙ୍କା ଠିକାଦାରଙ୍କ ହାତକୁ ଟେକି ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମ୍ବାନୀ-ଅଦାନୀ ଭଳି ଶିଳ୍ପପତିଙ୍କ ପକେଟରେ ଥିଲା ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ଓ ବେଦାନ୍ତ ପକେଟରେ ଅଛନ୍ତି । ରାଜନୀତି ଆଜି ଆଉ ପବିତ୍ର ସେବା ହୋଇ ରହିନାହିଁ । ବ୍ୟବସାୟ ପାଲଟିଛି । ଏମିତି ଏକ ବ୍ୟବସାୟ କରିବା ପାଇଁ ଆପଣଙ୍କୁ ପୁଲିସର ସୁରକ୍ଷା ବଳୟରେ ରହି ଯାବତୀୟ ଅପରାଧ କରିବାକୁ ପଡ଼ିବ । ଠିକ୍‌ ଯେମିତି ନବୀନ-ନରେନ୍ଦ୍ର ସୁରକ୍ଷିତ ରହି ଜନତାଙ୍କୁ ଶୋଷଣ କରୁଛନ୍ତି ।