ରାବଣଠାରୁ ଭୟଙ୍କର ନବୀନ-ନରେନ୍ଦ୍ର ଯୋଡ଼ି

ଆଜିକାଲି ଦୁର୍ନୀତି ଓ ଭ୍ରଷ୍ଟାଚାର ଶବ୍ଦ ଦେହସୁହା ହୋଇଗଲାଣି । ଭିଜିଲାନ୍ସ ଓ ସିବିଆଇ ଚଢ଼ଉରୁ ବଂଚିବାର ସରଳ ଉପାୟ ହେଉଛି କ୍ଷମତାସୀନ ଦଳରେ ଯୋଗଦାନ । ସାଧାରଣ ଲୋକଟିଏ ଜମାଖାତାରେ ଟଙ୍କାଟିଏ ରଖିଲେ, ସେ ଟଙ୍କା କୋଉଠି ଆସିଲା, ଆୟକର ବିଭାଗକୁ ତା’ର ଜବାବ ଦେବାକୁ ପଡ଼ିବ । ମାତ୍ର ରାଜନୈତିକ ଦଳ ପାଣ୍ଠିକୁ କୋଉ ସୂତ୍ରରୁ କେତେ ଟଙ୍କା ଯାଉଛି, ସେ ହିସାବ କୋଉ ରାଜନୈତିକ ଦଳକୁ ପଚାରିବା ପାଇଁ ଆୟକର ବିଭାଗ ନିକଟରେ କ୍ଷମତା ନାହିଁ ।

ସମ୍ବିଧାନରେ ସାଧାରଣ ଭୋଟରଙ୍କୁ ଅଖଣ୍ଡ କ୍ଷମତା ଦିଆଯାଇଛି । ମାତ୍ର ସଂସଦରେ ସମ୍ବିଧାନକୁ ସଂଶୋଧନ କରାଯାଇ ଦେଶବାସୀଙ୍କୁ ଭୂତାଇବାକୁ ବାଟ କରାଯାଉଛି । ଦେଶର କୌଣସି ସାମ୍ବିଧାନିକ ସଂସ୍ଥା ତା’ର ଦାୟିତ୍ୱକୁ ଠିକ ଭାବେ ତୁଲାଉନାହାନ୍ତି । ଏପରି କ୍ଷେତ୍ରରେ ଦେଶକୁ ଆଉ ଗୋଟିଏ ସ୍ୱାଧୀନତା ଆନ୍ଦୋଳନର ଆବଶ୍ୟକତା ରହିଛି । ଦେଶର ୮୦ କୋଟି ଯୁବକ ଯୁବତୀଙ୍କ ଭାଗ୍ୟକୁ ରସାତଳକୁ ଠେଲି ଦିଆଯାଇଛି ।

ଗୋଟିଏ ବିଦ୍ୟାଳୟରେ ସରକାରଙ୍କ ନିଯୁକ୍ତ ସ୍ଥାୟୀ ଶିକ୍ଷକଟିଏ ମାସକୁ ୩୦ ହଜାର ଟଙ୍କା ଦରମା ପାଇ ଯୋଉ ପାଠ ପଢ଼ଉଛନ୍ତି । ସରକାରଙ୍କ ଦ୍ୱାରା ନିଯୁକ୍ତ ଠିକା ଶିକ୍ଷକଟିଏ ମାତ୍ର ୮ ହଜାର ଟଙ୍କାରେ ସେହି ଦାୟିତ୍ୱ ତୁଲାଉଛନ୍ତି, ଏବେ କୁହନ୍ତୁ, ସମାନ କାମକୁ ସମାନ ପାରିଶ୍ରମିକ ମିଳିଲା କୋଉଠି? ବନ୍ଧୁଗଣ, ନିର୍ବାଚନ ମଇଦାନରେ ଭୋଟ ଦିଅନ୍ତୁ, ମାତ୍ର କୌଣସି ରାଜନୈତିକ ଦଳକୁ ନୁହେଁ ନୋଟାକୁ ।

ହଁ, ନିର୍ବାଚନ କମିଶନ ଆପଣଙ୍କୁ ଇଭିଏମ୍‌ ବାକ୍ସରେ ନୋଟା ରୂପକ ଅସ୍ତ୍ରଟିଏ ଦେଇଛନ୍ତି । କୌଣସି ରାଜନୈତିକ ଦଳକୁ ଭୋଟ ନଦେଇ ନୋଟାକୁ ଭୋଟ ଦେଇ ଦେଶର ସୁପ୍ରିମକୋର୍ଟଙ୍କୁ ଜଣାଇ ଦିଅନ୍ତୁ ଯେ ଆପଣମାନେ ପୂର୍ଣ୍ଣ ସ୍ୱାଧିନତା ଚାହାନ୍ତି ।