ବିଜେପି ଭୟରେ ରାଜନୀତି ଛାଡ଼ିଲେ ସୋନିଆ

ରାଜନୀତିରୁ ସନ୍ନ୍ୟାସ ନେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଗାନ୍ଧୀ-ନେହୁରୁ ବଂଶର ଜଣେ ବରିଷ୍ଠ ସଭ୍ୟ ପାଳି ସମାପ୍ତି ଘୋଷଣା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଧର୍ମପତ୍ନୀ ସୋନିଆ ଗାନ୍ଧୀ ଆଉ ରାଜନୀତି କରିବେ ନାହିଁ । ଭାରତ ଯୋଡେ଼ା ଯାତ୍ରା ପରେ ସୋନିଆଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଛି । ଏ ବିଷୟ ଖୋଦ୍‌ ସୋନିଆ ଗାନ୍ଧୀ ଆଜି ଜଣାଇଛନ୍ତି । ପ୍ରିୟଙ୍କା ଓ ରାହୁଲ ପୂର୍ବଜଙ୍କ ରାଜନୈତିକ ଅଭିଯାନକୁ ବଂଚାଇ ରଖିବେ । ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ କଂଗ୍ରେସର ୮୫ତମ ବର୍ଣ୍ଣାଢ଼୍ୟ ଅଧିବେଶନରେ ଯୋଗଦେଇ ସୋନିଆ ଗାନ୍ଧୀ କହିଛନ୍ତି, ୨୦୦୪ ଓ ୨୦୦୯ ନିର୍ବାଚନର ବିଜୟ ସାଙ୍ଗକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ଶାସନ କାଳ ତାଙ୍କୁ ଅଭିଭୂତ କରିଛି । ମନମୋହନ ସିଂହଙ୍କ ଶାସନ ପରେ ସୋନିଆଙ୍କ ଜୀବନରେ ଆଉ ଅବଶୋଷ ନାହିଁ । ଭାରତଯୋଡେ଼ା ଯାତ୍ରା ତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛି ।

ସୋନିଆଙ୍କ ଭାଷଣରେ କଂଗ୍ରେସର ହତାଶାଭାବ ଫୁଟିଉଠିଛି । କଂଗ୍ରେସର ଭବିଷ୍ୟତ ପ୍ରତି ସୋନିଆ ପ୍ରଶ୍ନବାଚୀ ଲଗାଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ପ୍ରତ୍ୟେକ ସଂସ୍ଥାକୁ ଦଖଲ କରିଛନ୍ତି । ସଂଖ୍ୟାଲଘୁ, ମହିଳା, ଦଳିତ ଓ ଆଦିବାସୀ ଜନଜାତିଙ୍କ ପାଇଁ ଆଉ ସ୍ୱାଧୀନତା ବୋଲି କିଛି ରହିନାହିଁ । ଜାତି-ଜାତି, ଧର୍ମ-ଧର୍ମ, ସଂପ୍ରଦାୟ-ସଂପ୍ରଦାୟ, ସବର୍ଣ୍ଣ-ଅସବର୍ଣ୍ଣ ମଧ୍ୟରେ ଘୃଣାର ବାତାବରଣ ବୃଦ୍ଧି ପାଇବାକୁ ଲାଗିଛି । ହିଂସା ବିଦ୍ୱେଷ ପରଶ୍ରୀ କାତରତା ଭଳି ବାତାବରଣ ଭିତରେ ତାଙ୍କ ଭଳି ବ୍ୟକ୍ତିଙ୍କର ଆବଶ୍ୟକତା ନାହିଁ ।