ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ପୌର ନିର୍ବାଚନ କରନ୍ତୁ: ବିଜେପିି

ତୁରନ୍ତ ପୌର ନିର୍ବାଚନ କରାନଗଲେ ରାଜ୍ୟ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ବିଜେପି

> ରାଜ୍ୟ ନିର୍ବାଚନ କମିଶନ ନିଜର ସାମ୍ବିଧାନିକ ଦାୟୀତ୍ୱ ଭୁଲି ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହେଉଛି : ପୀତାମ୍ବର ଆଚାର୍ଯ୍ୟ
> ପୌର ନିର୍ବାଚନ କରିବା ପାଇଁ ବିଜେପି ୭ ଦିନ ଭିତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ
> ୩ ବର୍ଷ ପାଖାପାଖି ବିତିଲା ପରେ ବି ରାଜ୍ୟ ସରକାର ପୌର ନିର୍ବାଚନ କରିପାରିଲେ ନାହିଁ
> ଜନପ୍ରତିନିଧୀ ନଥିବା କାରଣରୁ ଅନେକ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ
ଭୁବନେଶ୍ୱର,(ଏସ୍‌ ନ୍ୟୁଜ) ତା.୨୫/୦୭: ଦୀର୍ଘ ୩ ବର୍ଷ ଧରି ରାଜ୍ୟରେ ଏନଏସି ଓ ପୌରାଚଂଳ ମାନଙ୍କରେ ଜନ ପ୍ରତିନିଧି ନାହାଁନ୍ତି । ଏବେ ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ଦ୍ୱାରା ସହରାଚଂଳରେ ବସବାସ କରୁଥିବା ନାଗରିକମାନେ ଅନେକ ସରକାରୀ ସୁବିଧାରୁି ବଂଚିତ ରହୁଛନ୍ତି । କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରୁଥିଲେ ସୁଦ୍ଧା ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ଅର୍ଥକୁ ହରିଲୁଟ୍‌ କରୁଛନ୍ତି । ଏହା ଗଣତନ୍ତ୍ର ପ୍ରତି ବିପଦ । ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ତୁରନ୍ତ ପୌର ଏବଂ ପଂଚାୟତ ନିର୍ବାଚନ କରିବାକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପୌର ନିର୍ବାଚନ ହୋଇ ନାହିଁ । ଏହା ଭିତରେ ୩ ବର୍ଷ ବିତିଗଲାଣି । ଅର୍ବାନ ଲୋକଲ ବଡିର ନିର୍ବାଚନ ନକରାଇବା ପାଇଁ ଜଣେ ଓଏଏସଙ୍କୁ ନିର୍ବାଚନ ଅଧିକାରୀ ଭାବେ ରାଜ୍ୟ ସରକାର ସେତେବେଳେ ନିଯୁକ୍ତି କରାଯାଇଥିଲା । ସେ ମଧ୍ୟ ତାଙ୍କ କାର୍ଯ୍ୟରେ ସଫଳ ହେଲେ । ଏହା ମଧ୍ୟରେ ୩ ବର୍ଷ ପାଖାପାଖି ବିତିଲା ପରେ ବି ରାଜ୍ୟ ସରକାର ପୌର ନିର୍ବାଚନ କରିପାରିଲେ ନାହିଁ । ପଂଚାୟତ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କୁ ଚିଠି ଲେଖିଲେଣି । କିନ୍ତୁ ସେ ପୌର ନିର୍ବାଚନ କଥା ଉଠାଉ ନାହାଁନ୍ତିା ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ କରିବା ପାଇଁ ଯଦି ହାଇକୋର୍ଟଙ୍କ ଦ୍ୱାରସ୍ଥ ନହୁଅନ୍ତି ତେବେ ବିଜେପି ୭ ଦିନ ଭିତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବରଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି ।
ପୌରସଂସ୍ଥାର କାର୍ଯ୍ୟଭାର ସରକାରୀ ବାବୁ ମାନେ ଏବେ ସମ୍ଭାଳୁଛନ୍ତି । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଜନ ପ୍ରତିନିଧୀମାନେ ନିର୍ବାଚନ ଲଢିଥାନ୍ତି । ଜନପ୍ରତିନିଧୀ ନଥିବା କାରଣରୁ ଅନେକ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ । ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି । ରାଜ୍ୟ ନିର୍ବାଚନ କମିଶନ ନିଜର ସାମ୍ବିଧାନିକ ଦାୟୀତ୍ୱ ଭୁଲି ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହେଉଛି । କମିଶନଙ୍କୁ ରାଜ୍ୟ ସରକାର ଅନୁକମ୍ପା ଦେଖାଇ ପଦବୀ ଦେଇଥିବାରୁ ସେ ଗୋଡାଣିଆ ହୋଇ ରହିଛନ୍ତି । କେଉଁ ପରିପ୍ରେକ୍ଷୀରେ କାହା ଇଙ୍ଗିତରେ ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ କରୁନାହାଁନ୍ତି ଏବଂ ଜନ ପ୍ରତିନିଧୀଙ୍କୁ ସେମାନଙ୍କ ଅଧିକାରରୁ କାହିଁକି ବଂଚିତ ରଖାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
ଭାରତୀୟ ନିର୍ବାଚନ କମିଶନ ପରି ରାଜ୍ୟ ନିର୍ବାଚନ କମିଶନଙ୍କୁ ସଂସଦରେ ମହା ଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଇ ପାରିବ । ୫ ବର୍ଷ ପୂରିବା ପରେ ଯେପରି ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଉଛି, ଠିକ୍‌ ସେହିପରି ପୌର ଓ ପଂଚାୟତ ନିର୍ବାଚନ ଅବଧି ସରିବା ପରେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ବାଧ୍ୟ । କିନ୍ତୁ ସେ ତାହା ନକରି ରାଜ୍ୟ ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।