ନିଆରା ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ପାଇଁ ଇସାକ ମୁଣ୍ଡା ଓଡିଶାର ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି: ସମୀର ମହାନ୍ତି

ଉକ୍ରଳ ଦୃଷ୍ଟିହୀନ ସଂଘଠାରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଲେ ରାଜ୍ୟ ସଭାପତି
> ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅଲମ୍ପିକ ଖେଳାଳିମାନଙ୍କୁ ସୋସିଆଲ ମିଡିଆରେ ପ୍ରଂଶସା କରିବା ପାଇଁ ଅନୁରୋଧ କଲେ ରାଜ୍ୟ ସଭାପତି
ଭୁବନେଶ୍ୱର,(ଏସ୍‌ ନ୍ୟୁଜ) ତା.୨୫/୦୭ : ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏହା ଦ୍ୱାରା ଅନ୍ୟମାନେ ନିଶ୍ଚିତ ଭାବେ ପ୍ରୋତ୍ସାହିତ ହେବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦୃଢ ଆଶା ବ୍ୟକ୍ତ କରିଛନ୍ତି ।
ଓଡିଶାର ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକର ଆଦିବାସୀ ଯୁବକ ଇସାକ ମୁଣ୍ଡାଙ୍କୁ ଆଜି ମନ୍‌ କି ବାତ୍‌ ରେ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଛନ୍ତି । ଦିନ ମଜୁରିଆ ଭାବେ କାମ କରୁଥିବା ଇସାକ ଏବେ ୟୁଟ୍ୟୁବରେ ଭିଡିଓ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ତାଙ୍କର ଏଭଳି ନିଆରା ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ପାଇଁ ସେ ଆଜି ଓଡିଶାର ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପଖାଳ ଖାଦ୍ୟ ଖାଇବା ଏବଂ ଗ୍ରାମୀଣ ଜୀବନ ଶୈଳୀକୁ ଭିଡିଓ କରି ସମସ୍ତଙ୍କ ପାଖରେ ପହଂଚାଇବାରେ ସେ ସଫଳ ହୋଇପାରିଛନ୍ତି । ଏହା ଆତ୍ମ ନିର୍ଭର ଭାରତର ଏକ ଜ୍ୱଳନ୍ତ ଉଦାହରଣ । ଦୃଢ ଇଚ୍ଛା ଶକ୍ତିଥିଲେ ସବୁ ସମ୍ଭବ ହୋଇପାରେ ବୋଲି ମନ୍‌ କି ବାତ୍‌ ଶୁଣିବା ପରେ ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅଲମ୍ପିକ ଖେଳାଳିମାନଙ୍କୁ ସୋସିଆଲ ମିଡିଆରେ ପ୍ରଂଶସା କରିବା ପାଇଁ ଶ୍ରୀ ମହାନ୍ତି ଓଡିଶାର ଯୁବପିଢୀଙ୍କୁ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭୁବନେଶ୍ୱରର ୪୧ ନମ୍ବର ୱାର୍ଡ ଉକ୍ରଳ ଦୃଷ୍ଟିହୀନ ସଂଘ ଠାରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନାଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀଙ୍କ ୭୯ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମକୁ ରାଜ୍ୟର ବିଭିନ୍ନ ଅଂଚଳରେ ଦଳର ବରିଷ୍ଠ ନେତୃବୃନ୍ଦ, ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ରହି ଶୁଣିଥିଲେ ।