ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ

ସରକାରୀ କର୍ମଚାରୀମାନେ ବିଜେଡି କଥାରେ ପ୍ରଭାବିତ ହେଲେ ଶେଷରେ ଚାକିରୀ ହରାଇବେ : ଡ.ଲେଖାଶ୍ରୀ

ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାଳିଚରଣ ଦୁବେ ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି

ଭୁବନେଶ୍ୱର : ୨୨ବର୍ଷର ବିଜୁ ଜନତା ଦଳ ଲୋକପ୍ରିୟତା ଅଛି ବୋଲି ଆତ୍ମବଢ଼ିମା ଦେଖାଉଛି କିନ୍ତୁ ନିର୍ବାଚନ ଆସିଲେ ଶାସକ ଦଳର ଅସଲ ମୁଖା ଖୋଲିଯାଉଛି । ନିର୍ବାଚନ ଓ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଦଳର କୌଣସି କର୍ମୀ ବା କାର୍ଯ୍ୟକର୍ତା ଉପରେ ଭରସା ନକରି ସରକାରୀ କର୍ମଚାରୀଙ୍କୁ ନେଇ ନିର୍ବାଚନ ପ୍ରଚାର କରୁଛନ୍ତି । ଶାସକ ଦଳ ନିର୍ବାଚନ ବୈତରଣୀ ପାର ହେବା ଲାଗି କଳ, ବଳ ଓ କୌଶଳର ଅପବ୍ୟବହା ସହ ସରକାରୀ ଅଫିସ ଓ କର୍ମଚାରୀଙ୍କୁ ଅପବ୍ୟବହାର ରାଜନୈତିକ କାର୍ଯ୍ୟ କରାଯାଉଛି । ପଦ୍ମପୁର ଉପନିର୍ବାଚନରେ ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀ କାଳିଚରଣ ଦୁବେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନୀରଞ୍ଜନ ପୂଜାରୀ, ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂବରିହା, ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଓ ପ୍ରଚାରର ଫଟୋ ପକାଇ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ।

ସରକାରୀ କର୍ମଚାରୀ ହୋଇ ଖୋଲାଖୋଲି ଭାବେ ଏକ ରାଜନୈତିକ ଦଳ ପାଇଁ ପ୍ରଚାର କରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ କଣ୍ଡକ୍ଟ ରୁଲକୁ ଉଲ୍ଲଂଘନ କରିଛନ୍ତି ଶ୍ରୀ ଦୁବେ । ତେଣୁ ଶ୍ରୀ ଦୁବେଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ତାଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ତରଫରୁ ଦାବୀ କରାଯାଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ତଥ୍ୟ ଓ ପ୍ରମାଣ ପ୍ରଦାନ କରିଛନ୍ତି ।

ସରକାରୀ କର୍ମଚାରୀମାନଙ୍କୁ ରାଜନୈତିକ କାର୍ଯ୍ୟ କରିବାକୁ ଅନୁମତି ନାହିଁ ଏଥିରୁ ନିବୃତ ରହିବାକୁ ଡ.ଲେଖାଶ୍ରୀ କହିଛନ୍ତି । ଯଦି ସରକାରୀ କର୍ମଚାରୀମାନେ ବିଜୁ ଜନତା ଦଳ କଥାରେ ପ୍ରଭାବିତ ହୁଅନ୍ତି ତାହାଲେ ସରକାରୀ ଶିକ୍ଷକ କୃଷ୍ଣ ମୋହନ ପଣ୍ଡା, ବିନୟ ରଞ୍ଜନ ପଣ୍ଡା, ସୁଧୀର ରଥଙ୍କ ଭଳି ଦଣ୍ଡିତ ହୋଇ ଚାକିରୀ ହରାଇବେ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍‌, ରାଜ୍ୟ ଲିଗାଲ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।